ହାଇଦ୍ରାବାଦ: କ୍ରିକେଟର 3ଟି ଫର୍ମାଟରେ ଫଟାଫଟ କ୍ରିକେଟ ବା ଟି-20 କ୍ରିକେଟ ଦର୍ଶକଙ୍କ ବିପୁଳ ଗ୍ରହଣୀୟତା ହାସଲ କରିଛି । ତେବେ ବିଶ୍ବରେ ଖେଳାଯାଉଥିବା ଟି-20 ଲିଗ ମଧ୍ୟରୁ ଇଣ୍ଡିଆନ ପ୍ରିମିୟର ଲିଗ ସବୁଠୁ ଅଧିକ ପ୍ରଭାବଶାଳୀ । ଯୁବ କ୍ରିକେଟର, ସିନିୟର କ୍ରିକେଟର, ଦର୍ଶକ ସମସ୍ତଙ୍କୁ ପାଇଁ ଆଇପିଏଲ ଅନେକ କିଛି ଦେଇଛି । ଅନେକ ସମୟରେ ଟିମ ଇଣ୍ଡିଆ ବିଶ୍ବକ୍ରିକେଟରେ ଆଧିପତ୍ୟ ବିସ୍ତାର କରିବା ପଛରେ ଆଇପିଏଲର ଅବଦାନ ରହିଥିବା ଚର୍ଚ୍ଚା ହୁଏ । ତେବେ ସବୁଠୁ ଗରୁତ୍ବପୂର୍ଣ୍ଣ କଥା ହେଉଛି ବର୍ଷ 2008ରୁ ଆରମ୍ଭ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ( ଆଇପିଏଲ)ରେ ଶ୍ରେଷ୍ଠ ବନାମ ଶ୍ରେଷ୍ଠ ମଧ୍ୟରେ ଲଢେଇ ହୁଏ । ଏହାର ଭରପୁର ମଜା ଦର୍ଶକ ଉଠାଇଥାନ୍ତି । କ୍ରିକେଟ ମନୋରଞ୍ଜନ ଆକାରରେ ଆଇପିଏଲ କ୍ରିକେଟପ୍ରେମୀଙ୍କୁ ଅନେକ କିଛି କିଛି ଦେଇଛି । ତେବେ ଆଇପିଏଲରେ ସୁପର ଓଭରର ରୋମାଞ୍ଚ ସବୁବେଳେ ନିଆରା...
ନଜର ପକାନ୍ତୁ ଆଇପିଏଲ ଇତିହାସରେ ଘଟିଥିବା 5ଟି ରୋମାଞ୍ଚକର ଆଇପିଏଲ ମୁକାବିଲା ଉପରେ...
ଦିଲ୍ଲୀ କ୍ୟାପିଟାଲ୍ସ ବନାମ କୋଲକାତା ନାଇଟ ରାଇଡର୍ସ (ଆଇପିଏଲ-2019)
ପଏଣ୍ଟ ଦୃଷ୍ଟିରୁ ଏହି ମ୍ୟାଚ ଉଭୟ ଟିମ ପାଇଁ କର ବା ମର ଥିଲା । ପ୍ରଥମେ ବ୍ୟାଟିଂ କରି କେକେଆର 185 ରନ ସଂଗ୍ରହ କରିଥିଲା । ଆଣ୍ଡ୍ରେ ରସେଲ ଅବିଶ୍ବସନୀୟ 28 ବଲରୁ 62 ରନର ବିସ୍ପୋରକ ଇଂନିସ ଖେଳିଥିଲେ । 186 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ପୃଥ୍ବୀ ଶ 99 ରନର ଇଂନିସ ଖେଳି ଦିଲ୍ଲୀକୁ ବିଜୟ ମୁହାଁ କରାଇଥିଲେ । ତେବେ ପୃଥ୍ବୀ ଶଙ୍କ ୱିକେଟ ପତନ ପରେ ହନୁମା ବିହାରୀ ଓ କଲିନ ଇନଗ୍ରାମ ବଡସଟ ଖେଳିପାରେ ବିଫଳ ହେଲେ । ଫଳରେ ମ୍ୟାଚ ସୁପର ଓଭରରେ ପହଞ୍ଚିଥିଲା । ପ୍ରସିଧ କ୍ରୀଷ୍ଣା କେକେଆର ପକ୍ଷରୁ ମାତ୍ର 10 ରନ ସୁପର ଓଭରରେ ବ୍ୟୟ କରି ଦିଲ୍ଲୀ କ୍ୟାପଟେନ ଶ୍ରେୟସ ଆୟରଙ୍କ ୱିକେଟ ହାସଲ କରିଥିଲେ । ପରେ ନାଇଟ ରାଇଡର୍ସ 11 ରନର ସହଜ ବିଜୟ ଲକ୍ଷ୍ୟକୁ ହାସଲ କରିବାକୁ ପଡିଆକୁ ଓହ୍ଲାଇଥିଲା । ସାମ୍ନାରେ ଥିଲେ ଦୁର୍ଦ୍ଦଶ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଆଣ୍ଡ୍ର ରସେଲ । ଦିଲ୍ଲୀ ପକ୍ଷରୁ କାସିଗୋ ରବାଡା କିନ୍ତୁ ଆଇପିଏଲ ସୁପର ଇତିହାସରେ ଅନ୍ୟତମ ଶ୍ରେଷ୍ଠ ଓଭର ବୋଲିଂ କରିଥିଲେ । 5ଟି ବଲରେ 7ରନ ବ୍ୟୟ କରିବା ପରେ ଶେଷ ବଲରେ ରସେଲଙ୍କୁ ଆଉଟ କରିଥିଲେ । ଫଳରେ 3 ରନରେ କେକେଆରକୁ ହରାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ ।
ମୁମ୍ବାଇ ଇଣ୍ଡିଆନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ(ଆଇପିଏଲ-2019)
2019 ଆଇପିଏଲରେ ଆଉ ଏକ ଚର୍ଚ୍ଚିତ ସୁପର ଓଭର ମୁକାବିଲା ଦେଖିବାକୁ ମିଳିଥିଲା ଦୁଇ ଶକ୍ତିଶାଳୀ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବଦ ମଧ୍ୟରେ । ୱାଙ୍ଖେଡେ ଷ୍ଟାଡିୟମ ଏହି କଡା ମୁକାବିଲାର ସାକ୍ଷି ପାଲଟିଥିଲା । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ 20 ଓଭରରେ 162 ରନ କରିଥିଲା । 58 ବଲରୁ 69 ରନର ଇଂନିସ ଖେଳିଥିଲେ କ୍ବିଣ୍ଟନ ଡିକକ । ଏହାପରେ 163 ରନର ବିଜୟ ଲକ୍ଷକୁ ପିଛାକରି ସନରାଇଜର୍ସ ହାଇଦ୍ରାବାଦ ଦମଦାର ଆରମ୍ଭ କରିଥିଲା । ଓପନର ମାର୍ଟିନ ଗୁପ୍ଟିଲ, ରିଦ୍ଧିମାନ ଶାହାଙ୍କ ପରେ ମନିଷ ପାଣ୍ଡେ ଅପରାଜିତ 71 ରନର ଇଂନିସ ଖେଳିଥିଲେ । ତେବେ ପାଣ୍ଡଙ୍କ ଇଂନିସ ହାଇଦ୍ରବାଦକୁ ବିଜୟ ଦେଇପାରିନଥିଲା । ସମାନ ସ୍କୋରରେ ଅଟକିଯାଇଥିଲା ସନରାଇଜର୍ସ । ଏହାପରେ ସୁପର ଓଭର ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ମାତ୍ର 9 ରନ କରିପାରିଥିଲା । ଓଭରର ପ୍ରଥମ ବଲରେ ବୁମରାା ମନିଷ ପାଣ୍ଡେଙ୍କୁ ପାଭିଲିୟନ ପଠାଇଥିଲେ । ଏହାପରେ ମୁମ୍ବାଇ ସୁପର ଓଭର ବିଜୟ ପାଇଁ ପଡିଆରେ ପହଞ୍ଚିଥିଲା । ତେବେ ସନରାଇଜର୍ସ କ୍ୟାପଟେନ ୱିଲିୟମସନ ସ୍ପିନର ରସିଦ ଖାନଙ୍କୁ ବୋଲିଂ ଦାୟିତ୍ବ ଦେଇଥିଲେ । ମାତ୍ର ପ୍ରଥମ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା ବିରାଟ ଛକା ମାରି ମୁମ୍ବାଇ ବିଜୟକୁ ସୁନିଶ୍ଚିନ୍ତ କରିଥିଲେ ।