କଲମ୍ବୋ: 2011 ବିଶ୍ବକପର ଫାଇନାଲ ମ୍ୟାଚ ଯାହା ଭାରତ ବନାମ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା ସେଥିରେ ଫିକ୍ସିଂ ହୋଇଥିବା ଅଭିଯୋଗ କରିଥିଲେ ଶ୍ରୀଲଙ୍କାର ପୂର୍ବତନ କ୍ରୀଡାମନ୍ତ୍ରୀ । ଯାହାପରେ ବର୍ତ୍ତମାନ ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ଏକ ସ୍ବତନ୍ତ୍ର ତଦନ୍ତ ୟୁନିଟ ଗଠନ କରି ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ବର୍ତ୍ତମାନ ଏହି ତଦନ୍ତକୁ ବନ୍ଦ କରିଦିଆଯାଇଛି ବୋଲି କହିଛନ୍ତି ସ୍ବତନ୍ତ୍ର ତଦନ୍ତକାରୀ ୟୁନିଚର ମୁଖ୍ୟ ଏସଏସପି ଜଗତ ଫୋନସେକା ।
ଫୋନସେକା କହିଛନ୍ତି ଯେ ଏହି ଘଟଣାର ତଦନ୍ତ କରିବାକୁ ଯାଇ ଶ୍ରୀଲଙ୍କା ଖେଳାଳି ଯେଉଁମାନେ ଏହି ମ୍ୟାଚରେ ସମ୍ପୃକ୍ତ ଥିଲେ ସେମାନଙ୍କୁ ମଧ୍ୟ ଆମେ ପଚରା ଉଚରା କରିଥିଲୁ କିନ୍ତୁ ସେଥିରୁ ଅଭିଯୋଗର କୌଣସି ପ୍ରମାଣ ମିଳି ନଥିଲା ।
ଏକ ସ୍ଥାନୀୟ ଖବର କାଗଜକୁ ଫୋନସେକା କହିଛନ୍ତି ଯେ, ‘‘ବର୍ତ୍ତମାନ ପର୍ଯ୍ୟନ୍ତ ରେକର୍ଡ ହୋଇଥିବା 3ଟି ବୟାନରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଆଣିଥିବା 14ଟି ଅଭିଯୋଗର କୌଣସି ପ୍ରମାଣ ମିଳିଲା ନାହିଁ । ଆଇସିସି ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ରଖିନାହିଁ । ଏହାସହ କୌଣସି ତଦନ୍ତ ପାଇଁ ମଧ୍ୟ କରିନାହିଁ ।’’
ଏହି ପରୀପ୍ରେକ୍ଷାରେ ଯେଉଁ କ୍ରିକେଟର ମାନେ ନିଜର ବୟାନ ଦେଇଛନ୍ତି ସେମାନେ ହେଲେ ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା, ମାହେଲା ଜୟବର୍ଦ୍ଧନେ, ଉପୁଲ ଥରଙ୍ଗା ଓ ଅରବିନ୍ଦ ଡି ସିଲଭା ଯିଏ କି 2011 ପୂର୍ବରୁ ଚୟନକର୍ତ୍ତାଙ୍କ ଚେୟାରମ୍ୟାନ ଥିଲେ ।
ଫୋନସେକା କହିଛନ୍ତି ଯେ ଏସଆଇୟୁ ତଦନ୍ତ ରିପୋର୍ଟକୁ କ୍ରୀଡ଼ା ମନ୍ତ୍ରଣାଳୟର ସଚିବଙ୍କ ନିକଟକୁ ପଠାଇବ। ଶୁକ୍ରବାର ସକାଳେ ଅନୁଷ୍ଠିତ ସ୍ବତନ୍ତ୍ର ତଦନ୍ତ ୟୁନିଟର ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା ବେଳେ ତଦନ୍ତ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।