ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରେ ସବୁଠାରୁ ଦ୍ରୁତ 400ଟି ଛକା ମାରିବାର ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି ରୋହିତ ଶର୍ମା । ବୁଧବାର ୱାଙ୍ଖେଡ଼େ ଠାରେ ୱେଷ୍ଟେଣ୍ଡିଜ ବିପକ୍ଷ ମ୍ୟାଚରେ ରୋହିତ 71 ରନର ପାଳି ଖେଳିଛନ୍ତି ଯେଉଁଥିରେ 5ଟି ଛକା ମାରି ରୋହିତ 404ଟି ଛକା ମାରିବାର ରେକର୍ଡ କରିଛନ୍ତି।
ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠାରୁ ଅଧିକ ଛକ୍କା ମାରିଥିବା ତାଲିକାରେ କ୍ରିସ ଗେଲ 534 ଛକା ସହ ପ୍ରଥମରେ ରହିଥିବା ବେଳେ, 476ଟି ଛକା ସହ ଶାହିଦ ଆଫ୍ରିଦି ଦ୍ବିତୀୟରେ ରହିଛନ୍ତି । ତେବେ ବର୍ତ୍ତମାନ ହିଟମ୍ୟାନ ରୋହିତ 404ଟି ଛକା ସହ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ରୋହିତଙ୍କ ପଛକୁ 398 ଛକା ସହ ବ୍ରାଣ୍ଡନ ମେକ୍ୟୁଲମ ଓ 359 ଛକା ସହ ଏମଏସ ଧୋନି ରହିଛନ୍ତି।
32 ବର୍ଷୀୟ ରୋହିତଙ୍କ ଛକାକୁ ନେଇ ଆଉ ଏକ ରେକର୍ଡ ମଧ୍ୟ ରହିଛି । ଆଗରୁ 350ଟି ଛକା ମାରିଥିବା ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଥିଲେ ରୋହିତ । ଏହା ପୂର୍ବରୁ କପିଲ ଦେବ 100ଟି ଛକା ମାରିଥିବା ପ୍ରଥମ ଭାରତୀୟ ହୋଇଥିବା ବେଳେ, 150ଟି ଛକା ମାରିବାରେ ପ୍ରଥମ ହୋଇଥିଲେ ସଚିନ ତେନ୍ଦୁଲକର । ସେହିପରି 200 ଛକା ମାରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଥିଲେ ଗାଙ୍ଗୁଲି, 250 ଛକା ମାରିବାରେ ତେନ୍ଦୁଲକର ଓ 300 ଛକା ମାରିବାରେ ପ୍ରଥମ ଭାରତୀୟ ହୋଇଥିଲେ ଧୋନି।
400 ଛକା ମାରିଥିବା ପ୍ରଥମ ଭାରତୀୟ ହେଲେ ରୋହିତ ଏହାସହ ଗୋଟିଏ କ୍ୟାଲେଣ୍ଡର ବର୍ଷରେ 20ରୁ ଅଧିକ ଛକା ମାରିଥିବା ଖେଳାଳି ହୋଇଛନ୍ତି ରୋହିତ ଶର୍ମା । ଭାରତୀୟ ଟିମର ଉପଅଧିନାୟକ ଟେଷ୍ଟ କ୍ରିକେଟରେ 52ଟି, ଦିନିକିଆରେ 232ଟି ଓ ଟି-20ରେ 120ଟି ଛକା ମାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ