ଚେନ୍ନାଇ: ଶେଷ ପର୍ଯ୍ୟାୟରେ ଆଇପିଏଲର ଚଳିତ ସଂସ୍କରଣ । ଆଜି ମ୍ୟାଚ ନମ୍ବର 50ରେ ହେବ ଦୁଇ ଟପ୍ପରଙ୍କ ମଧ୍ୟରେ ଟକ୍କର । ଦ୍ବିତୀୟ ଥର ପାଇଁ ଆଇପିଏଲର ସିଂହକୁ ଭେଟିବ ଟପ୍ ସ୍ପଟରେ ଥିବା ଯୁବ ଦିଲ୍ଲୀ ଦଳ ।
ତେବେ ଏହି ଦୁଇ ଦଳ ପ୍ଲେ-ଅଫରେ ସାମିଲ ହୋଇସାରିଥିବା ବେଳେ ଆଜିର ମ୍ୟାଚ ଔପଚାରିକ ହେବ । ମାତ୍ର ସିଜନ ଆରମ୍ଭରୁ ଟେବୁଲ ଟପ୍ପର ଥିବା ଚେନ୍ନାଇ ଆଜି ମ୍ୟାଚ ଜିତି ପୁଣିଥରେ ଟପ୍ ସ୍ପଟକୁ ବଜାୟ ରଖିବାକୁ ଚାହିଁବ । ସେହିପରି ନିଜର ଘରୋଇ ଗ୍ରାଉଣ୍ଡରେ ଚେନ୍ନାଇଠାରୁ ପାଇଥିବା ପରାଜୟର ବଦଲା ନେବାକୁ ବି ତୟାର ଯୁବ ଦିଲ୍ଲୀ ଦଳ । ଚେନ୍ନାଇର ଏମ. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ।
ତେବେ ଗତ 10 ଦିନ ଭିତରେ ନିଜର ମୋମେଣ୍ଟମ ହରାଇଥିବା ସିଏସକେ ପାଇଁ ଏବେ ପ୍ଲେ-ଅଫ ମ୍ୟାଚର ଚିନ୍ତା ଘାରିଛି । ପ୍ରଥମ 8ଟି ମ୍ୟାଚରୁ 7ଟି ମ୍ୟାଚ ଜିତିଥିବା ଧୋନିଙ୍କ ଦଳ ଶେଷ 4ଟି ମ୍ୟାଚରୁ ମାତ୍ର ଗୋଟିଏରେ ବିଜୟ ହାସଲ କରିଛି । ସେହିପରି ଧୋନିଙ୍କ ଅନୁପସ୍ଥିତିରେ ଦଳ ଦୁଇଟି ଯାକ ମ୍ୟାଚ ହାରିଛି । ମୁମ୍ବାଇ ବିପକ୍ଷ ଶେଷ ମ୍ୟାଚରେ 155ରନର ଟାର୍ଗେଟକୁ ଚେଜ୍ କରିବାକୁ ବି ବିଫଳ ହୋଇଥିଲା ଦଳ । ତେବେ ଲଗାତାର ଧୋନିଙ୍କ ଅଣ୍ଟା ଯନ୍ତ୍ରଣା ପାଇଁ ଧୋନି ମ୍ୟାଚରୁ ବିଶ୍ରାମ ନେଉଛନ୍ତି । ଅନ୍ୟପଟେ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଅସୁସ୍ଥ ଥିବାରୁ ସେ ମଧ୍ୟ ଏକାଧିକ ମ୍ୟାଚରୁ ବିଶ୍ରାମ ନେଇଛନ୍ତି ।