ମୁମ୍ବାଇ: ପରମ୍ପରା ବଜାୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ । ଆଇପିଏଲରେ ନିଜ ପ୍ରଥମ ମ୍ୟାଚରେ ପରାଜୟ ଧାରା ଜାରି ରହିଛି । ଆଉ ନାମ ପରିବର୍ତ୍ତନ ପରେ ଦିଲ୍ଲୀ ପାଇଁ ବଦଳିଛି ଏହି ଧାରା । ରବିବାର ଆଇପିଏଲର ଦ୍ବାଦଶ ସଂସ୍କରଣର 3ୟ ମ୍ୟାଚରେ ମୁମ୍ବାଇକୁ 37 ରନରେ ପରାସ୍ତ କରିଛି ଦିଲ୍ଲୀ । ଭାରତୀୟ ଦଳର ଷ୍ଟାର ତଥା ଦିଲ୍ଲୀ କ୍ୟାପିଟାଲ୍ସ ୱିକେଟ କିପର ଋଷଭ ପନ୍ତଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଦଳ ବିଜୟ ସହ ଏଥର ଆଇପିଏଲ ଅଭିଯାନ ଆରମ୍ଭ କରିଛି ।
ଘରୋଇ ଷ୍ଟାଡିୟମରେ ଦର୍ଶକଙ୍କ ବିପୁଳ ସମର୍ଥନ ମଧ୍ୟ ମୁମ୍ବାଇକୁ ବଞ୍ଚାଇ ପାରିନାହିଁ । ତାରକା ଖଚିତ ତଥା ତିନି ଥର ବିଜେତା ମୁମ୍ବାଇ 2013ରୁ ଏପର୍ଯ୍ୟନ୍ତ ନିଜର ସମସ୍ତ ଓପନିଂ ମ୍ୟାଚରେ ପରାସ୍ତ ହୋଇଛି । ତେବେ ଦିଲ୍ଲୀ ମଧ୍ୟ ସମାନ ବର୍ଷରୁ ଏହି ଧାରା ବଜାୟ ରଖିଥିବା ବେଳେ ଏଥର ନାମ ପରିବର୍ତ୍ତନ ପରେ ଏଥିରେ ବଦଳିଛି । ଗତ ସମସ୍ତ ସିଜିନରେ ଦିଲ୍ଲୀ ଡେୟାର ଡେଭିଲସ ଥିବାବେଳେ ଏଥର ଦଳ ଦିଲ୍ଲୀ କ୍ୟାପିଟାଲ୍ସ ନାମରେ ଖେଳୁଛି । ଆଉ ଏହାସହ ଏଥର ସିଜିନର ପ୍ରଥମ ଦିନ ବୋଲରଙ୍କ ଥିବାବେଳେ 2ୟ ଦିବସ ବ୍ୟାଟ୍ସମ୍ୟାନଙ୍କ ପାଇଁ ଥିଲା ।
ୱାଙ୍ଖଡେରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ତେବେ ଦିଲ୍ଲୀ ପାଇଁ ଓପନିଂ ଆରମ୍ଭ ଏତେ ଭଲ ନଥିଲା । ପୃଥ୍ବୀ ଶ (୭) ଓ ଅଧିନାୟକ ଶ୍ରେୟସ ଆୟର(୧୬, 10 ବଲ, 2 ଚୌକା, 1 ଛକା) ଜଲଦି ଆଉଟ ହୋଇଯାଇଥିଲେ । ତେବେ ଶିଖର ଧୱନ(୪୩, 36 ବଲ, 4 ଚୌକା, 1 ଛକା) ଏବଂ ଦକ୍ଷିଣ ଆଫ୍ରିକାର କଲିନ ଇନଗ୍ରାମ (47, 32 ବଲ, 7 ଚୌକା, 1 ଛକା) ପାଳି ସମ୍ଭାଳିଥିଲେ । 3ୟ ୱିକେଟ୍ ପାଇଁ ଏମାନେ 83 ରନ ଯୋଡିଥିଲେ ।