କଟକ: କିଏ ହାତେଇବ ଓଡିଶା କ୍ରିକେଟର ଭାର ? କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ । ସେ ନେଇ ଲାଗି ରହିଛି ଛକାପଞ୍ଝା । ତେବେ ଏହି କଳ୍ପନାଜଳ୍ପନା ଉପରେ ପୁର୍ଣ୍ଣଛେଦ ପଡିବାର ସମୟ ଆସିଛି । କାରଣ ରାତି ପାହିଲେ ଓସିଏ ନିର୍ବାଚନ ।
ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ ସେଥିପାଇଁ ଚଳଚଞ୍ଚଳ ହେବ ଓସିଏ କାର୍ଯ୍ୟାଳୟ । 5ଟି ପଦ ପାଇଁ 10 ଜଣ ପ୍ରାର୍ଥୀ ମୁହାଁମୁହିଁ ହେବେ । ଏବେ କେବଳ ଅପେକ୍ଷା ମତଦାନକୁ । ଓସିଏର ନୂଆ ମୁଖିଆ ନେଇ ଆସନ୍ତାକାଲି ହିଁ ସ୍ପଷ୍ଟ ହୋଇଯିବ ।
5ଟି ପଦ ପାଇଁ 10 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଦିନ11.30ରୁ ଆରମ୍ଭ ହେବ ମତଦାନ ପ୍ରକିୟା । ସମସ୍ତ ଭୋଟର ନିୟମ ଅନୁସାରେ ନିଜ ମତଦାନ କରିବେ । ଅପରାହ୍ନ 2ଟା ସୁଦ୍ଧା ଶେଷ ହେବ ଭୋଟିଂ ପ୍ରକ୍ରିୟା । ଏହାପରେ ଭୋଟ ଗଣତି କରାଯାଇ ସନ୍ଧ୍ୟା 6ଟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ ବୋଲି କହିଛନ୍ତି ନିର୍ବାଚନ କମିଶନର ଏମ ଏଲ ମଜୁମଦାର ।
ସଭାପତି ଲଢେଇରେ ଅଛନ୍ତି ପ୍ରଦୀପ ଚୌହାନ ଓ ପଙ୍କଜ ଲୋଚନ ମହାନ୍ତି । ସମ୍ପାଦକ ଲଢେଇରେ ନବ ରଞ୍ଜନ ପଟ୍ଟନାୟକ ଓ ସଞ୍ଜୟ ବେହେରାଙ୍କ ମଧ୍ୟରେ ଟକ୍କର ହେବ ।
ଏହି ନିର୍ବାଚନ ପାଇଁ ସମସ୍ତ କ୍ଲବ ଜିଲା ସ୍କୁଲର ମତଦାତା ସଦ୍ୟସ୍ୟଙ୍କ ସହ ଆଲୋଚନା ସରିଛି । ଏହି ନିର୍ବାଚନ ବେଶ ରୋମାଞ୍ଚକର ହେବ । ଗୋଟିଏ ଗୋଟିଏ ଭୋଟ ବି ବିଜୟ ଗଣିତକୁ ଭୁଲ କରିବାର ସମ୍ଭାବନା ରହିଛି ।
ଯଦି ବିଜୟ ହୁଏ, କ୍ରିକେଟକୁ ଏକ ସ୍ଵତନ୍ତ୍ର ସ୍ଥାନ ଦେବି ବୋଲି କହିଛନ୍ତି ସଭାପତି ପ୍ରାର୍ଥୀ ପ୍ରଦୀପ ଚୌହାନ । ଏଥିସହିତ ଆଶୀର୍ବାଦ ବେହେରା ଯଦି ଭୋଟ ଦିଅନ୍ତି, କୌଣସି ପ୍ରଭାବ ପଡିବନି ବୋଲି କହିଛନ୍ତି ପ୍ରଦୀପ ।
ଅନ୍ୟପଟେ ବାପାଙ୍କ ଅନୁପସ୍ଥିତି ନିଶ୍ଚିତ ମନକୁ କଷ୍ଟ ଦେଉଛି । ବାପା ଥିଲେ ଚାପ ଟିକେ ହାଲୁକା ହୋଇଥାନ୍ତା କହିଛନ୍ତି, ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ତଥା ସମ୍ପାଦକ ପ୍ରାର୍ଥୀ ସଞ୍ଜୟ ବେହେରା । ତଥାପି ବାପାଙ୍କ ସମର୍ଥକ ଓ ସମର୍ଥନ ମୋ ସହ ରହିଛନ୍ତି । ବିଜୟୀ ହେବାର ଆଶା ମଧ୍ୟ ମଜଭୁତ ଅଛି ବୋଲି କହିଛନ୍ତି ସଞ୍ଜୟ । ତେବେ ଦୀର୍ଘ ବର୍ଷ ର ବ୍ୟବଧାନ ପରେ, ଚଳିତବର୍ଷ ଓସିଏରେ ସିଲେକ୍ସନ ନୁହେଁ ଇଲେକ୍ସନ ହେବ । ଯାହାକୁ ନେଇ ରାଜ୍ୟ କ୍ରୀଡା ଜଗତରେ ବେଶ ଉଷ୍ମତା ଦେଖାଦେଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ