ଲଣ୍ଡନ: ଆଜି ଲର୍ଡ୍ସ ଗ୍ରାଉଣ୍ଡରେ ଦର୍ଶକ ଦେଖିବେ କ୍ରିକେଟ ମହାକୁମ୍ଭର ଅନ୍ତିମ ଯୁଦ୍ଧ । ବିଶ୍ବକପ ଟାଇଟଲ ନିଜ ନାଁରେ କରିବା ପାଇଁ ଭଭୟ ଦଳ ଇଂଲଣ୍ଡ -ନ୍ୟୁଜିଲାଣ୍ଡ ପ୍ରସ୍ତୁତ । ତେବେ ଫାଇନାଲ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡ ଟିମର ଅଧିନାୟକ କେନ ଓ୍ବିଲିୟମସନ କହିଛନ୍ତି ଯେ ଆମେମାନେ ଅତ୍ୟଧିକ ଉତ୍ସାହିତ ନ ହୋଇ କିପରି ଅନ୍ତିମ ମ୍ୟାଚରେ ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବୁ, ସେ ଦିଗରେ ଧ୍ୟାନ ଦେବୁ ।
ଅଧିନାୟକ ଓ୍ବିଲିୟମସନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମ୍ୟାଚ ଖେଳିବା ସମୟରେ ଏପରି କିଛି ପରିସ୍ଥିତି ସୃଷ୍ଟି ହୁଏ, ଯେଉଁଥିପାଇଁ ଖେଳରୁ ଧ୍ୟାନ ହଟିଯାଏ । ବିଶ୍ବକପ ଫାଇନାଲ ମ୍ୟାଚରେ ଏପରି ହେବା ସ୍ବାଭାବିକ । ଏଥିସହ ଆମ ଟିମ ଏହି ଟୁର୍ଣ୍ଣାମେଣ୍ଟରେ ଯେଉଁ ପରିସ୍ଥିତି ଦେଇ ଗତି କରିଛି, ସେଥିପାଇଁ ଆମ ଚେଷ୍ଟା ରହିବ ଯେ ଆମର ପୁରା ଟିମ ମନ ପ୍ରାଣ ଦେଇ ଖେଳିବ ।
ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ@cricketworldcup
ଆହୁରି ମଧ୍ୟ ସେ କହିଛନ୍ତି ଯେ, ଆମେ ଯେପରି ଖେଳି ଆସିଛୁ ସେହିପରି ଖେଳିବୁ । ଏହି ଟୁର୍ଣ୍ଣାମେଣ୍ଟରେ ଦେଖିଛୁ କୌଣସି ଟିମ କାହାକୁ ବି ହରାଇ ପରେ । ଫାଇନାଲ ମ୍ୟାଚରେ ଉଭୟ ଦଳ ଗ୍ରାଉଣ୍ଡରେ ନିଜର ସର୍ବଶ୍ରେଷ୍ଠ ରଣନୀତି ପ୍ରଦର୍ଶନ କରିବ ।
ସୂଚନାଥାଉକି, ନ୍ୟୁଜିଲାଣ୍ଡ କ୍ରମାଗତ ଭାବେ 2ୟଥର ପାଇଁ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି । ଗତ ବିଶ୍ବକପ ଫାଇନାଲ ମ୍ୟାଚରେ କଙ୍ଗାରୁ ଦଳ ବିପକ୍ଷରେ କିଓ୍ବି ଦଳ ଗ୍ରାଉଣ୍ଡକୁ ଓହ୍ଲାଇ ଥିଲା । କିନ୍ତୁ ସେହି ଫାଇନାଲ ମ୍ୟାଚରେ ପରାଜୟର ସାମ୍ନା କରିଥିଲା ନ୍ୟୁଜିଲାଣ୍ଡ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@cricketworldcup
ତେବେ ସେହି ଫାଇନାଲ ମ୍ୟାଚ ସମ୍ପର୍କରେ ଓ୍ବିଲିୟମସନ କହିଛନ୍ତି ଯେ, 4ବର୍ଷ ପୂର୍ବେ କିପରି ଅନୁଭବ କରିଥିଲି ତାହା ମନେ ନାହିଁ । ଏବେ ଦଳରେ ବହୁତ ପରିବର୍ତ୍ତନ ହୋଇଛି । ଏବେ ଟିମରେ ଅଲଗା ପ୍ରକାରର ପରିସ୍ଥିତି ରହିଛି । ଆମର ଧ୍ୟାନ କେବଳ ଖେଳରେ ରହିଛି ।