ହାଇଦ୍ରାବାଦ:ଆଇସିସି ବିଶ୍ବକପ ପ୍ରଥମ ସେମିଫାଇନାଲକୁ ବର୍ଷ ପୁରିଛି । 2019 ଜୁଲାଇ 9 ତାରିଖରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ, ଯାହା ବର୍ଷା ପାଇଁ ଦୁଇ ଦିନ ଧରି ଚାଲିଥିଲା । ନ୍ୟୁଜିଲାଣ୍ଡଠାରୁ 18ରନରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା ଭାରତ । ଆଉ ଏହି ମ୍ୟାଚ ପରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳି ନାହାଁନ୍ତି ପୂର୍ବତନ ଅଧିନାୟକ ଏମଏସ ଧୋନି ।
ଭାରତୀୟ କ୍ରିକେଟର ସେହି ହୃଦୟ ବିଦାରକ ମୁହୂର୍ତ୍ତକୁ ଆଉ ଥରେ ଅତୀତର ସ୍ମୃତିରୁ ମନେ ପକାଇବା । ଆଇସିସି ବିଶ୍ବକପ ସେମିଫାଇନାଲ ଇଂଲଣ୍ଡର ମାଞ୍ଚେଷ୍ଟର ଗ୍ରାଉଣ୍ଡରେ ମ୍ୟାଚ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନିଏ ନ୍ୟୁଜିଲାଣ୍ଡ । ଆକ୍ରମଣାତ୍ମକ ଢଙ୍ଗରେ ମ୍ୟାଚ ଆରମ୍ଭ କରେ ଭାରତ । ମ୍ୟାଚର ପ୍ରଥମ କେଇ ଓଭରରେ ଭାରତକୁ ମିଳେ ସଫଳତା । ବିପକ୍ଷ ଓପନର ମାର୍ଟିନ ଗପ୍ଟିଲଙ୍କୁ ସହଳ ପାଭିଲିଅନ ପଠାନ୍ତି ବୁମରା । ଜାରି ରହିଥାଏ ଭାରତର ଆକ୍ରମଣ । ବ୍ଲାକ କ୍ୟାପ ଦଳର ଅଭିଜ୍ଞ ରସ ଟେଲର ଓ ଅଧିନାୟକ କେନ୍ ଉଲିୟମସନଙ୍କୁ ଛାଡି ଦେଲେ ଆଉ କୌଣସି ବି ବ୍ୟାଟ୍ସମ୍ୟାନ ଭାରତୀୟ ଆକ୍ରମଣ ସାମ୍ନାରେ ତିଷ୍ଠି ପାରନ୍ତି ନାହିଁ । ସବୁ କିଛି ବିରାଟଙ୍କ ଯୋଜନା ମୁତାବକ୍ ଚାଲିଥାଏ ।
ମାତ୍ର ହଠାତ୍ ଆରମ୍ଭ ହୋଇଯାଏ ବର୍ଷା । ଭାରତୀୟ ବୋଲିଂର 46ତମ ଓଭରର ପ୍ରଥମ ବଲରେ ଖେଳ ବନ୍ଦ କରିବାକୁ ବାଧ୍ୟ ହୁଅନ୍ତି ଅମ୍ପେୟାର । ସମସ୍ତଙ୍କ ମନରେ ଥାଏ ଆଶା ଓ ଆଶଙ୍କା । କଣ ହେବ ସେମିଫାଇନାଲର ଭାଗ୍ୟ । ଶେଷରେ 2ୟ ଦିନକୁ ସ୍ଥାନାନ୍ତରିତ ହୁଏ ମ୍ୟାଚ, ଅର୍ଥାତ ବୁଧବାର । ବାକି ଥିବା 23 ବଲ ଖେଳିବା ପାଇଁ ବ୍ୟାଟିଂ ଆସନ୍ତି କିୱି ଖେଳାଳି । ତେବେ 23 ବଲରୁ ମାତ୍ର 28ରନ ବ୍ୟୟରେ 3 ୱିକେଟ ହାସଲ କରନ୍ତି ଭାରତୀୟ ବୋଲର । ଫଳରେ ଭାରତୀୟ ଦଳ ସାମ୍ନାରେ ରହେ 240 ରନର ବିଜୟ ଲକ୍ଷ୍ୟ ।