ହାଇଦ୍ରାବାଦ: 50 ବର୍ଷରେ ପାଦ ଦେଇଛନ୍ତି ଜଭଗଲ ଶ୍ରୀନାଥ । ଶ୍ରୀନାଥ 1969 ଅଗଷ୍ଟ 31ରେ ଜନ୍ମ ହୋଇଥିଲେ । ଟିମ ଇଣ୍ଡିଆର ଏହି ଷ୍ଟାର ପେସ ବୋଲର ନିଜ ସମୟର ଜଣେ ଶ୍ରେଷ୍ଠ ବୋଲର ଥିଲେ । ଭାରତୀୟ କ୍ରିକେଟରେ ଶ୍ରୀନାଥ ଚିର ପରିଚିତ ନାମଟିଏ । ପେସ ଓ ବାଉନ୍ସରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେଉଥିଲେ ଶ୍ରୀନାଥ । ସେଥିପାଇଁ ତାଙ୍କୁ 'ମହୀଶୁର ଏକ୍ସପ୍ରେସ' ବୋଲି ମଧ୍ୟ କୁହାଯାଏ ।
ଦିନିକିଆ କ୍ରିକେଟରେ ଭାରତୀୟ ପେସ ବୋଲରଙ୍କ ମଧ୍ୟରେ ଶ୍ରୀନାଥଙ୍କ ନାମରେ ରହିଛି ସର୍ବାଧିକ ୱିକେଟ ନେବାର ରେକର୍ଡ । ଶ୍ରୀନାଥ ଭାରତ ପାଇଁ 315 ଦିନିକିଆ ୱିକେଟ ଅକ୍ତିଆର କରିଛନ୍ତି । ଅଜିତ ଅଗରକର 288 ୱିକେଟ ଅକ୍ତିଆର କରି 2ୟ ସ୍ଥାନରେ ରହିଛନ୍ତି । ତୃତୀୟ ସ୍ଥାନରେ 268 ୱିକେଟ ସହ ଜାହିର ଖାନ ରହିଛନ୍ତି । କପିଲ ଦେବଙ୍କ ପରେ 2ୟ ପେସ ବୋଲର ଭାବେ ଟେଷ୍ଟ କ୍ରିକେଟରେ ଶ୍ରୀନାଥ 200 ୱିକେଟ ପୂରଣ କରିଥିଲେ । ଦିନିକିଆ କ୍ରିକେଟରେ ଦ୍ରୁତତମ 100 ୱିକେଟ ମଧ୍ୟ ଶ୍ରୀନାଥ ହାସଲ କରିଥିଲେ ।