ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ- ଯେଉଁଠି ପ୍ରତିଭାକୁ ମିଳେ ପରିଚୟ । ପ୍ରଭାବୀ ପ୍ରଦର୍ଶନ ଆଧାରରେ ଜଣେ ସାଧାରଣ ଅଜଣା କ୍ରିକେଟରକୁ ସଫଳତା ସହ ମିଳେ ବିଶ୍ୱ କ୍ରୀଡାରେ ସମ୍ମାନଜନକ ସ୍ଥାନ । ସେଥିପାଇଁ ତ ବିଶ୍ୱରେ ଶ୍ରେଷ୍ଠ ଓ ପ୍ରସିଦ୍ଧ ଟି-20 ଲିଗ ଭାବେ ପରିଗଣିତ ହୋଇଛି ଆଇପିଏଲ ।
ବର୍ଷ 2008ରେ ଆଇପିଏଲର ଆରମ୍ଭ ହୁଏ, ତେବେ ସମୟ ବଦଳିବା ସହ ଆଇପିଏଲ ହୋଇଯାଏ ବିଶ୍ୱର ବିତ୍ତଶାଳୀ ଟି-20 କ୍ରିକେଟ ଲିଗ । ପରେ ଆଇପିଏଲ ଭାରତୀୟ କ୍ରିକେଟକୁ ଏକାଧିକ ସୁପରଷ୍ଟାରକୁ ଜନ୍ମଦିଏ । ରେଡ୍ ବଲ କ୍ରିକେଟରେ ଭାରତୀୟ ଦଳର ସର୍ବାଧିକ ୱିକେଟ ହାସଲକାରୀ ବୋଲର ରବିଚନ୍ଦ୍ରନ ଅଶ୍ୱିନୀଙ୍କ ଭଳି ଖେଳାଳି ଆଇପିଏଲରୁ ମିଳନ୍ତି । ଟିମ ଇଣ୍ଡିଆର ଷ୍ଟାର ବୋଲର ଜଶପ୍ରୀତ ବୁମରା ମଧ୍ୟ ଭାୟା ଆଇପିଏଲ ଦେଇ ଅନ୍ତର୍ଜାତୀୟ ସ୍ତରରେ ଅନ୍ୟତମ ଶ୍ରେଷ୍ଠ ବୋଲର ହୋଇଛନ୍ତି ।
ଆଇପିଏଲ ପ୍ରତିଭାକୁ ସଫଳତା ରାସ୍ତାରେ ପଥିକ କରି ସାଧାରଣ ଖେଳାଳିଜଣକୁ ଷ୍ଟାର ବନାଇ ଦେବାର କ୍ଷମତା ରଖେ । ଏପରିକି ଏକାଧିକ ଖେଳାଳି ଗୋଟିଏ ଆଇପିଏଲ ସଂସ୍କରଣରେ ଅବିଶ୍ୱସନୀୟ ସଫଳ ପ୍ରଦର୍ଶନ କରି ଚର୍ଚ୍ଚିତ ହୋଇଛନ୍ତି । ତାଙ୍କର ପ୍ରଦର୍ଶନ ସ୍ମରଣୀୟ ଓ ଆକର୍ଷଣୀୟ ହୋଇ ରହିଛି ।
ତେବେ ନଜର ପକାନ୍ତୁ ଆଇପିଏଲ ଇତିହାସରେ ସେମିତି କିଛି ଖେଳାଳିଙ୍କ ଉପରେ...ଯାହାଙ୍କ ପ୍ରଦର୍ଶନକୁ ସ୍ମରଣ କଲେ କ୍ରିକେଟ ପ୍ରେମୀଙ୍କ ମନରେ ଉତ୍ସାହ ଭରିଯାଏ ।
ପଲ୍ ଭଲଥାଟି (କିଙ୍ଗ୍ସ ଇଲେଭେନ ପଞ୍ଜାବ)
କିଙ୍ଗ୍ସ ଇଲେଭେନ ପଞ୍ଜାବ ଟିମରେ ପଲ ଭଲଥାଟିଙ୍କୁ ଜଣେ ବ୍ୟାଟିଂ ଷ୍ଟାର ଭାବେ ସାମିଲ କରିଥିଲା । 2011 ସଂସ୍କରଣରେ ଅବିଶ୍ୱସନୀୟ ପ୍ରଦର୍ଶନ କରିଥିଲେ ଭଲଥାଟି । 14 ମ୍ୟାଚରୁ 35.61 ବ୍ୟାଟିଂ ହାରରେ ସେ 463 ରନ ସଂଗ୍ରହ କରିଥିଲେ । ଏହା ମଧ୍ୟରେ ଅପରାଜିତ 120 ରନର ଇଂନିସ ମ୍ଦୟ ସାମିଲ ରହିଛି ।
ଆଇପିଏଲ ଶକ୍ତିଶାଳୀ ଟିମ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ 63 ବଲରୁ ଅପରାଜିତ 120 ରନର ଇଂନିସ ତାଙ୍କୁ ଖବରର ଶୀରୋନାମାରେ ରଖିଥିଲା । ସେହି ସଂସ୍କରଣରେ ସେ ସର୍ବାଧିକ ରନ ହାସଲକାରୀ ବ୍ୟାଟ୍ସମ୍ୟାନ ତାଲିକାରେ ଷଷ୍ଠ ସ୍ଥାନରେ ରହିଥିଲେ । ଏହାପରେ ଜାତୀୟ ଟିମରେ ସ୍ଥାନ ପାଇବା ନେଇ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ, ଆଇପିଏଲର ପରବର୍ତ୍ତୀ ସଂସ୍କରଣରେ ନିଜର ପୂର୍ବ ପ୍ରଦର୍ଶନ ବଳବତ୍ତର ରଖିବାକୁ ଅସମର୍ଥ ହୋଇଥିଲେ । ଫଳସ୍ବରୂପ 2012 ସଂସ୍କରଣରେ 6ଟି ମ୍ୟାଚ ଓ 2013 ସଂସ୍କରଣରେ ମାତ୍ର ଗୋଟିଏ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲ । ପରବର୍ତ୍ତୀ ସଂସ୍କରଣରେ ସେ ମାତ୍ର 30 ରନ କରିଥିଲେ । ବର୍ତ୍ତମାନ ଏୟାର ଇଣ୍ଡିଆ ପକ୍ଷରୁ ଖେଳିବା ସହ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି ।
ରାହୁଲ ଶର୍ମା (ଡେକାନ ଚାର୍ଜର୍ସ)
ଯୁବ ସ୍ପିନରଙ୍କୁ ଏକଦା ଅଶ୍ୱିନୀଙ୍କ ସହ ତୁଳନା କରାଯାଉଥିଲା । ପ୍ରଥମ ଥର ଆଇପିଏଲ ଖେଳି 2011 ସଂସ୍କରଣରେ ସଚିନ ତେନ୍ଦୁଲକରଙ୍କୁ ଆଉଟ କରିବା ପରେ ପ୍ରମୁଖ ଗଣମାଧ୍ୟମର ହେଡଲାଇନରେ ସ୍ଥାନ ପାଇଥିଲେ ରାହୁଲ । ଆଇପିଏଲ 2011ରେ 14ଟି ମ୍ୟାଚରୁ 17.06 ହାରରେ 13 ୱିକେଟ ହାସଲ କରିଥିଲେ । ପରେ ପୁନେ ୱାରିୟର୍ସ ଇଣ୍ଡିଆ ତାଙ୍କୁ ଟିମରେ ସାମିଲ କରିଥିଲା । ଏହାପରେ ଜାତୀୟ ଟିମରୁ ରାହୁଲଙ୍କୁ ଡାକରା ଆସିଥିଲା । 4ଟି ଅନ୍ତର୍ଜାତୀୟ ଦିନିକିଆ ଓ ଦୁଇଟି ଟି-20 ମଧ୍ୟ ଖେଳିଥିଲେ । ତେବେ ବର୍ଷ 2012 ଜୁଲାଇରେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ସ୍ତରରେ ଶେଷ ସେ ମ୍ୟାଚ ଖେଳିଥିଲେ ।