ହାଇଦ୍ରାବାଦ: ଭାରତୀୟ କ୍ରିକେଟ୍ ର 'ଦ ୱାଲ' ରାହୁଲ ଦ୍ରାବିଡ । ସେ ଥିଲେ ଟିମ ଇଣ୍ଡିଆର ଅନ୍ୟତମ ନିର୍ଭରଯୋଗ୍ୟ ୱିକେଟକିପର ବ୍ୟାଟ୍ସମ୍ୟାନ । 47 ବର୍ଷରେ ପାଦ ଦେଇଛନ୍ତି ଏହି ଭାରତୀୟ କ୍ରିକେଟର । ତେବେ ଆପଣ ଜାଣନ୍ତି କି, ଦାବିଡଙ୍କୁ ୱିକେଟ କିପିଂ ଆଦୌ ପସନ୍ଦ ନୂହେଁ । ମାତ୍ର ଭାରତୀୟ କ୍ରିକେଟ ଦଳର ସେ ଥିଲେ ପ୍ରମୁଖ ୱିକେଟ କିପର । ଆଜି ତାଙ୍କ ଜନ୍ମଦିନରେ ଜାଣିବା ଦ୍ରାବିଡଙ୍କ ୱିକେଟ କିପିଂ ପଛର କିଛି ରୋଚକ କାହାଣୀ ।
କେମିତି ଦ୍ରାବିଡ ବନିଥିଲେ ୱିକେଟକିପର, ଦେଖନ୍ତୁ ଭିଡିଓ... ସମୟ ଥିଲା ଭାରତୀୟ ଦଳରେ ୱିକେଟ କିପର ପାଇଁ କୌଣସି ନିର୍ଭରଯୋଗ୍ୟ ଖେଳାଳି ମିଳି ପାରୁନଥିଲେ । ସେହି ସମୟରେ ଦ୍ରାବିଡ ବନିଥିଲେ ଭାରତୀୟ କ୍ରିକେଟ ଦଳର ୱିକେଟ ରକ୍ଷକ । ଟିମକୁ ଧୋନିଙ୍କ ଆଗମନ ପୂର୍ବରୁ 73ଟି ଦିନିକିଆ ମ୍ୟାଚରେ ୱିକେଟ କିପିଂ କରିଛନ୍ତି ଦ୍ରାବିଡ । 73ଟି ମ୍ୟାଚରୁ 71ଟି କ୍ୟାଚ ଧରିଛନ୍ତି ଓ 13ଟି ଷ୍ଟମ୍ପିଂ କରିଛନ୍ତି ।
ଏକ ସାକ୍ଷାତକାର ଦେଇ ସେ କହିଥିଲେ, "ମୁଁ କେବେ ଜଣେ ଭଲ ୱିକେଟ ରକ୍ଷକ ନଥିଲି । ଏହା ମୋ ସ୍କୁଲ ଜୀବନରୁ ଦୈବାତ ଆରମ୍ଭ ହୋଇଥିଲା । ଆମ ସ୍କୁଲ ଟିମରେ ୱିକେଟ କିପିଂ ପାଇଁ କେହି ନଥିଲେ । ତେଣୁ ମୁଁ ଚିନ୍ତା କଲି ଦଳରେ ସ୍ଥାନ ପାଇବାକୁ ହେଲେ ଏହା ଏକମାତ୍ର ସୁଯୋଗ । ତେଣୁ ମୁଁ ୱିକେଟ ରକ୍ଷକ ବନିଥିଲି ।"
ଉଲ୍ଲେଖଥାଉ କି, ପାଖାପାଖି 25,000 ଅନ୍ତର୍ଜାତୀୟ ରନ ରହିଛି ଟିମ ଇଣ୍ଡିଆର ଏହି ପୂର୍ବତନ କ୍ୟାପଟେନଙ୍କ ନାମରେ । 3 ଏପ୍ରିଲ 1996ରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ ଦ୍ରାବିଡ । ଦ୍ରାବିଡ 164ଟି ଟେଷ୍ଟରୁ 36 ଶତକ ଓ 63 ଅର୍ଦ୍ଧଶତକ ସହ 13,288 ରନ କରିଛନ୍ତି । ଟେଷ୍ଟରେ ଦ୍ରାବିଡଙ୍କ ସର୍ବାଧିକ ରନ 270 । ଦିନିକିଆରେ 344ଟି ମ୍ୟାଚରୁ 12 ଶତକ ଓ 83 ଅର୍ଦ୍ଧଶତକ ସହ 10,889 ରନ ସଂଗ୍ରହ କରିଛନ୍ତି । ଦିନିକିଆରେ 153 ରନ ଦ୍ରାବିଡଙ୍କ ସର୍ବାଧିକ ବ୍ୟକ୍ତିଗତ ରନ ।
ମାର୍ଚ୍ଚ 2012ରେ ଦ୍ରାବିଡ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିଲେ ।
ତେବେ ଭାରତୀୟ କ୍ରିକେଟକୁ ଦୂରେଇ ନାହାଁନ୍ତି । ଜାତୀୟ କ୍ରିକେଟ ଏକାଡେମୀର ନିର୍ଦ୍ଦେଶକ ଦାୟିତ୍ବ ତୁଲାଉଛନ୍ତି ଏହି ମହାନ କ୍ରିକେଟର । ଏଥିସହିତ 19 ବର୍ଷରୁ କମ ଭାରତୀୟ କ୍ରିକେଟ ଟିମ ଓ ଇଣ୍ଡିଆ ଏ ଟିମ ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି ଦ୍ରାବିଡ । ଦ୍ରାବିଡଙ୍କ କୋଚ ରହିବା ସମୟରେ 2016 U-19 କ୍ରିକେଟ ବିଶ୍ବକପରେ ରନର୍ସଅପ ଓ 2018 U-19 କ୍ରିକେଟ ବିଶ୍ବକପ ଚମ୍ପିଆନ ହୋଇଛି । 2019ରେ ବିସିସିଆଇ ଜାତୀୟ କ୍ରିକେଟ ଏକାଡେମୀ(NCA)ର ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । 47ତମ ଜନ୍ମଦିନରେ କ୍ରୀଡାଜଗତରୁ ଭାରତୀୟ କ୍ରିକେଟର ଭବିଷ୍ୟତଙ୍କୁ ଗଢୁଥିବା ଏହି ଖେଳାଳିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।