ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ଆଡ୍ଡା ସମ୍ପୂର୍ଣ୍ଣ ଧ୍ୱଂସ ପାଇଛି। ଗତକାଲି ପିଓକେରେ ପଶି ଆତଙ୍କୀଙ୍କୁ ସଫା କରିଥିଲା ଭାରତୀୟ ବାୟୁସେନା। ତେବେ ଆକ୍ରମଣ ପରେ ଏହା ଉପରେ ପ୍ରତିକ୍ରିୟା ଦେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ସତର୍କ କରାଇଥିଲେ । ଯାହା ଉପରେ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଟ୍ୱିଟ କରି ଜବାବ ଦେଇଛନ୍ତି ।
ଭାରତ ଆକ୍ରମଣ ପରେ ପାକିସ୍ତାନର ଜାତୀୟ ସୁରକ୍ଷା କମିଟି(ଏନଏସସି) ଇମ୍ରାନଙ୍କ ସହ ବୈଠକ କରିଥିଲା । ଏହାପରେ ଭାରତକୁ ଏହା ଚେତାବନୀ ଦେଇ କହିଥିଲା ଯେ ଭାରତ ଏକ ଭୁଲ କରିଛି । ଏହା ଅକାରଣେ ଉତ୍ତେଜନା ସୃଷ୍ଟି କରିଛି । ଉଭୟ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ବାତାବରଣ ଥିବାବେଳେ ଭାରତ ଏଥିରେ ବ୍ୟାଘାତ ଆଣିଛି । ଭାରତର ଏହି ପଦକ୍ଷେପ ବିରୋଧରେ ପାକ୍ ଜବାବ ଦେବ। ଏଥିପାଇଁ ଉପଯୁକ୍ତ ସମୟକୁ ଅପେକ୍ଷା କରାଯାଇଛି । ନିଜ ଇଚ୍ଛାରେ ସମୟ ଓ ସ୍ଥାନ ବାଛି ଏହା ଭାରତକୁ ସଠିକ ଜବାବ ଦେବ ବୋଲି ଏନଏସସି କହିଥିଲା ।
ଏହାକୁ ଗମ୍ଭୀର ପରିହାସ କରି କଡା ଜବାବ ଦେଇଛନ୍ତି । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଏନଏସସିର କଥାକୁ ସାମାନ୍ୟ ପରିବର୍ତ୍ତନ କରି ଲେଖିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି "ଆମେ ସମୟ ନିର୍ଦ୍ଧାରଣ କଲୁ, ଆମେ ସ୍ଥାନ ନିର୍ଦ୍ଧାରଣ କଲୁ ଏବଂ ଆମେ ଭାଗ୍ୟ ମଧ୍ୟ ନିର୍ଦ୍ଧାରଣ କଲୁ। ଆଉ ସର୍ଜିକାଲ ଷ୍ଟ୍ରାଇକ 2 ତଥା ଏୟାରଷ୍ଟ୍ରାଇକ କଲୁ।" ଗମ୍ଭୀରଙ୍କ ଟ୍ୱିଟର ଅର୍ଥ ଯାହା ପାକିସ୍ତାନ କରିବ ବୋଲି ଭାବୁଛି ତାହା ଭାରତ କରିସାରିଛି। ଏବେ ଗମ୍ଭୀରଙ୍କ ଏହି ଟ୍ୱିଟର ପ୍ରଶଂସା କରାଯିବା ସହ ଏହାକୁ ଅନେକ ରିଟ୍ୱିଟ କରୁଛନ୍ତି।
ପୂର୍ବରୁ ପୁଲୱାମା ଆଟାକ ପରେ ସର୍ବଦା ସୋସିଆଲ ମିଡିଆରେ ନିଜ ମନ୍ତବ୍ୟ ରଖୁଥିବା ଗମ୍ଭୀର ପ୍ରତିଶୋଧ ପରାୟଣ ହୋଇ ଟ୍ବିଟ କରି ଲେଖିଥିଲେ, "ହଁ, ବିଚ୍ଛିନତାବାଦୀଙ୍କ ସହ କଥା ହେବାର ସମୟ ଆସିଯାଇଛି । ହଁ, ପାକିସ୍ତାନ ସହ କଥା ଆରମ୍ଭ କରିବାର ସମୟ ଆସିଯାଇଛି। କିନ୍ତୁ ଏଥର ଟେବୁଲରେ ନୁହେଁ ଯୁଦ୍ଧ କ୍ଷେତ୍ରରେ ସାମ୍ନାସାମ୍ନି ହେବା। ବହୁତ ହେଲା ।"
ରିପୋର୍ଟ ଅନୁସାରେ ଫେବୃୟାରୀ 14ରେ ହୋଇଥିବା ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନା । ମଙ୍ଗଳବାର ଭୋର 3ଟା 30 ସମୟରେ ନିୟନ୍ତ୍ରଣ ରେଖା ପାର କରି ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିଛି। ଏଥିରେ ପାଖାପାଖି ୨୫୦ରୁ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ରିପୋର୍ଟ ମିଳିଛି।