ମୁମ୍ବାଇ: ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ସହ ସବୁ ପ୍ରକାର ସମ୍ପର୍କ ଛିନ୍ନ ପାଇଁ ଭାରତ ଚେଷ୍ଟା ଚଳାଇଛି । କୂଟନୈତିକ ସ୍ତରଠାରୁ ଆରମ୍ଭ କରି ସିନେମା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ପାକିସ୍ତାନକୁ ଏକଘରକିଆ କରିବାର ପ୍ରୟାସ ଭାରତ ଜାରି ରଖିଛି । ଏହିକ୍ରମରେ ଆଗାମୀ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ବାତିଲ ପାଇଁ ଦାବି ଜୋର ଧରିଛି ।
ସୂଚନାନୁସାରେ ଦିନିକିଆ କ୍ରିକେଟ ବିଶ୍ୱକପ ଏବର୍ଷ ହେବାକୁ ଯାଉଥିବାବେଳ ଜୁନ 16ରେ ଭାରତ-ପାକିସ୍ତାନ ମ୍ୟାଚ ନିର୍ଦ୍ଧାରିତ ହୋଇଛି । ତେବେ ପୁଲୱାମା ଆଟାକ ପରେ ଏହି ମ୍ୟାଚ ବାତିଲ ପାଇଁ ଦାବି ଜୋର ଧରିଛି । ଖେଳାଳିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଏକ ସ୍ବରରେ ପାକ ସହ ମ୍ୟାଚ ନ ଖେଳିବା ପାଇଁ କହିଛନ୍ତି । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଭାରତ ସରକାରଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି ବୋଲି କହିଛି ।
ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିସିସିଆଇ ବର୍ତ୍ତମାନ ପାକିସ୍ତାନକୁ ବିଶ୍ୱକପରୁ ବାଦ ଦେବା ପାଇଁ ଯୋଜନା କରୁଥିବା ଜଣାପଡିଛି । ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)କୁ ବିସିସିଆଇ ଚିଠି ଲେଖିବ ବୋଲି ଜଣାପଡିଛି । ଜଣେ ବରିଷ୍ଠ ସାମ୍ବାଦିକଙ୍କ ଟ୍ୱିଟ ଅନୁସାରେ ଜଣାପଡିଛି ଯେ ବିସିସିଆଇ, ଆଇସିସିକୁ ଏହା ଉପରେ ଚିଠି ଲେଖିବ ଯେ କାହିଁକି ବିଶ୍ୱକପରୁ ହିଁ ପାକିସ୍ତାନକୁ ବାଦ ଦିଆଯିବ ନାହିଁ ।
ଆସନ୍ତାକାଲି କ୍ରିକେଟ ପ୍ରଶାସକ କମିଟିର ବୈଠକରେ ଏହା ଉପରେ ଫାଇନାଲ ନିଷ୍ପତ୍ତି ନିଆଯିବ । କେବଳ ମ୍ୟାଚ ବାତିଲ ନୁହେଁ ବରଂ ପାକିସ୍ତାନକୁ ପୁରା ବିଶ୍ୱକପରୁ ବାଦ ଦେବା ପାଇଁ ଭାରତ ଚିନ୍ତା କରୁଥିବା ଉକ୍ତ ସାମ୍ବାଦିକ ଜଣକ ଟ୍ୱିଟରେ ଲେଖିଛନ୍ତି । ଆସନ୍ତା ଫେବୃୟାରୀ 27ରେ ଆଇସିସିର ଦୁବାଇ ବୈଠକରେ ଏହା ଉପରେ ଆଲୋଚନା ହୋଇ ଭାରତ-ପାକିସ୍ତାନ ମ୍ୟାଚ ଉପରେ ନିଷ୍ପତ୍ତି ନିଆଯିବ ।