ବର୍ମିଙ୍ଘମ: ଆରମ୍ଭରୁ ପାଳି ଦୋହଲିଥିଲେ ବି ପାକ ପାଇଁ 238 ରନର ଟାର୍ଗେଟ ରଖିଛି ବ୍ଲାକକ୍ୟାପ ଦଳ । ଜେମ୍ସ ନିସାମ ଓ କଲିନ ଡି ଗ୍ରାଣ୍ଡହୋମ ସମ୍ଭାଳିଥିଲେ ନ୍ୟୁଜିଲାଣ୍ଡର ପାଳି । 83 ରନରେ 5ଟି ୱିକେଟ ହରାଇଥିବା ନ୍ୟୁଜିଲାଣ୍ଡ ପାଇଁ ଗୋଟିଏ ସମୟରେ 200 ରନ ଅତିକ୍ରମ କରିବା ସମ୍ଭବ ଦେଖା ଯାଉନଥିଲା । କିନ୍ତୁ ନିସାମଙ୍କ 97 ଓ ଗ୍ରାଣ୍ଡହୋମଙ୍କ 64 ବଲରେ 71 ରନ ବଳରେ ନ୍ୟୁଜିଲାଣ୍ଡ 237 ରନ କରିବାରେ ସକ୍ଷମ ହୋଇଥିଲା । ସେପଟେ ପାକିସ୍ତାନ ପାଇଁ ସାହିନ ଆଫ୍ରିଦି 28 ରନ ଦେଇ ସର୍ବାଧିକ ତିନୋଟି ୱିକେଟ ନେଇଥିଲେ ।
ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା କିୱି ଦଳକୁ ପାକିସ୍ତାନ ଦେଇଥିଲା ପ୍ରାରମ୍ଭିକ ଝଟକା । ଦୁଇ ଓପନର ମାର୍ଟିନ ଗୁପ୍ଟିଲ, କଲିନ ମୁର୍ନୋ 5 ଓ 12, ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ରସ ଟେଲର ଓ ପରେ ପରେ ଟମ ଲାଥମ ମଧ୍ୟ ନିଜ ୱିକେଟ ଦେଇ ବସିଥିଲେ । ଏହାପରେ ଅଧିନାୟକ କେନ ୱିଲିୟମସନ ଓ ଜେମ୍ସ ନିସାମ ନ୍ୟୁଜିଲାଣ୍ଡ ପାଳି ସମ୍ଭାଳିଥିଲେ କିନ୍ତୁ 41 ରନ କରି ୱିଲିୟମସନ ଶଦାବ ଖାନଙ୍କ ଶିକାର ହୋଇଥିଲେ । ପରେ ଜେମ୍ସ ନିସାମ ଓ କଲିନ ଡି ଗ୍ରାଣ୍ଡହୋମଙ୍କ 132 ରନର ଭାଗିଦାରି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ବିପର୍ଯ୍ୟୟରୁ ବଞ୍ଚାଇଥିଲା ।