ଆବୁଧାବି:ଟି 10 ଟୁର୍ଣ୍ଣାମେଣ୍ଟରେ ନିଜର ଚିରାଚରିତ ବିସ୍ଫୋରକ ବ୍ୟାଟିଂ ଅବତାର ଦେଖାଇଛନ୍ତି କ୍ରିସ ଗେଲ୍ । 22 ବଲରୁ 84 ରନର ଅପରାଜିତ ଇଂନିସ ଖେଳି ଆବୁଧାବି ଟିମକୁ 9 ୱିକେଟରେ ବିଜୟୀ କରାଇଛନ୍ତି ଗେଲ୍ । ମାରାଥା ଆରବିଆନସ ବିପକ୍ଷ ମ୍ୟାଚରେ 9ଟି ଛକା ଓ 6ଟି ଚୌକା ସହାୟତାରେ ଏହି ମାରାଥନ ଇଂନିସ ଖେଳିଛନ୍ତି ୟୁନିଭର୍ସ ବସ୍ ।
ପ୍ରଥମେ ବ୍ୟାଟିଂ କରି ମାରାଥା ଆରବିଆନସ 4 ୱିକେଟ ହରାଇ 97 ରନ କରିଥିଲା । ତେବେ ଗେଲ୍ଙ୍କ ବିସ୍ଫୋରକ ଇଂନିସ ସହାୟତାରେ ମାତ୍ର 5.3 ଓଭରରେ 27 ବଲ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ଆବୁଧାବି ।
କ୍ରିସ ଗେଲ୍ଙ୍କ ବିସ୍ଫୋରକ ବ୍ୟାଟିଂ 84 ରନ ମଧ୍ୟରୁ 78 ରନ କେବଳ ବାଉଣ୍ଡ୍ରୀ ମାଧ୍ୟମରେ ଆସିଥିଲା । ମାତ୍ର 12ଟି ବଲରୁ ଅର୍ଦ୍ଧଶତକ ହାସଲ କରିବାସହ ଟି10 କ୍ରିକେଟ ଇତିହାସର ମହମ୍ମଦ ସେହଜାଦଙ୍କ ରେକର୍ଡ ସହ ସମକକ୍ଷ ହୋଇଥିଲେ ଗେଲ୍ । ପୂର୍ବରୁ 2018 ସଂସ୍କରଣରେ ସେହଜାଦ ରାଜପୁତ ପକ୍ଷରୁ ଖେଳି ଏହି ରେକର୍ଡର ଅଧିକାରୀ ହୋଇଥିଲେ ।
ସଂକ୍ଷିପ୍ତ ସ୍କୋର: ମାରାଥା ଆରବିଆନସ 97/4(ଆଲିସାନ ସାଫରୁ 33, ମହମ୍ମଦ ହାଫିଜ 20, ଓବେଦ ମକୟ 2-20); ଟିମ ଆବୁଧାବି 100/1(କ୍ରିସ ଗେଲ୍ 84*, ମୋଶଦେକ ହୋସେନ 1-22) ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ