ଭୁବନେଶ୍ବର:ରାଜଧାନୀର ସମସ୍ତ କ୍ରିକେଟରଙ୍କର ଉନ୍ନତି ଲକ୍ଷ୍ୟ ନେଇ ତିଆରି ହୋଇଛି ଭୁବନେଶ୍ବର କ୍ରିକେଟ ଆସୋସିଏସନ(Bhubaneswar Cricket Association) । ତେଣୁ ରାଜ୍ୟ ସରକାର ଓ ଓସିଏ ପକ୍ଷରୁ ଏହାକୁ ସୀକୃତି ପ୍ରଦାନ ପାଇଁ ଦାବି ହୋଇଛି । ବୁଧବାର ଆସୋସିଏସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଆସୋସିଏସନର ସଦସ୍ୟ ମିହିର କୁମାର ମହାନ୍ତି । ଭୁବନେଶ୍ବର ଆଥଲେଟିକ ଆସୋସିଏସନ(Bhubaneswar Athletic Association) ନିକଟରୁ ଭୁବନେଶ୍ବର କ୍ରିକେଟ ସମ୍ବନ୍ଧୀୟ ସମସ୍ତ ଦାୟିତ୍ବ ହଟାଇ ଭୁବନେଶ୍ବର କ୍ରିକେଟ ଆସୋସିଏସନକୁ ଦେବା ପାଇଁ BCA ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାବି କରାଯାଇଛି ।
ଭୁବନେଶ୍ବର କ୍ରିକେଟ ଆସୋସିଏସନ ଲୋଧା କମିଟି ସୁପାରିଶ ଦ୍ବାରା ଗଠନ ହୋଇଛି । ଗୋଟେ ଆସୋସିଏସନ ଗଠନ ହୋଇ ଯେଉଁ ନିୟମ ମାନି ଚଳିବା କଥା ତାହା ପାଳନ କରୁନାହିଁ ଭୁବନେଶ୍ବର ଆଥଲେଟିକ ଆସୋସିଏସନ । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଁଏ କ୍ରିକେଟ ଆସୋସିଏସନ ହେବା ଆବଶ୍ୟକ ଏବଂ ଜିଲ୍ଲାରେ କିପରି କ୍ରିକେଟର ବିକାଶ ହେବ ସେ ଦିଗରେ ଧ୍ୟାନ ଦିଆଯିବା ଉଚିତ୍ ବୋଲି କହିଛନ୍ତି ଆସୋସିଏସନର ସଦସ୍ୟ । କ୍ରିକେଟ ନିହାତି ଅଲଗା ହେବା ଦରକାର ବୋଲି କହିଛନ୍ତି ଓଡିଶା କ୍ରିକେଟର ଦ୍ରୋଣାଚାର୍ଯ୍ୟ କିଶୋର ମାଣିଆ ।