ହାଇଦ୍ରାବାଦ: ଭାରତର ବିଶ୍ବକପ୍ ପରାଜୟ ସହ ଶେଷ ହୋଇଛି ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ କାର୍ଯ୍ୟକାଳ । ସେ ଏହି ପଦ ପାଇଁ ପୁଣିଥରେ ଆବେଦନ କରିବେ ନା ଆଉ କାହାକୁ ଏହି ଗୁରୁଦାୟିତ୍ବ ଦିଆଯିବ, ସେନେଇ ବିସିସିଆଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ । ଦ୍ରାବିଡଙ୍କ ପ୍ରଶିକ୍ଷଣରେ ଟିମ୍ ଇଣ୍ଡିଆ ବିଶ୍ବକପ୍ ୨୦୨୩ରେ ଚମତ୍କାର ପ୍ରଦର୍ଶନ କରିଥିଲା । ସମସ୍ତ ଲିଗ୍ ମ୍ୟାଚ୍ ପରେ ସେମିରେ ନ୍ୟୁଜିଲାଣ୍ଡକୁ ମଧ୍ୟ ହରାଇଥିଲା ଭାରତ । ହେଲେ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷ ପରାଜୟ ପରେ ସୋସିଆଲ ମିଡିଆରେ ଅନେକ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମାଙ୍କୁ ସମାଲୋଚନା କରୁଛନ୍ତି । ତେଣୁ ଦ୍ରାବିଡ ଏହି ପଦ ପାଇଁ ପୁଣିଥରେ ଆବେଦନ କରି ନପାରନ୍ତି ବୋଲି କୁହାଯାଉଛି ।
ଭାରତର ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ ୨୦୨୧ ମସିହାରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ପୂର୍ବତନ କୋଚ୍ ରବି ଶାସ୍ତ୍ରୀଙ୍କ ଚୁକ୍ତି ଟି୨୦ ବିଶ୍ବକପ୍ ୨୦୨୧ ପରେ ଶେଷ ହୋଇଥିଲା । ଏହାପରେ ତାଙ୍କ କାର୍ଯ୍ୟକାଳକୁ ଆଉ ଆଗକୁ ବଢାଇନଥିଲା ବିସିସିଆଇ । ଏହାପରେ ଦ୍ରାବିଡଙ୍କୁ ୨ ବର୍ଷ ପାଇଁ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ଵରେ ନିଯୁକ୍ତି ଦିଆଯାଇଥିଲା । ବର୍ତ୍ତମାନ ବିଶ୍ବକପ୍ ୨୦୨୩ ସହିତ ଦ୍ରାବିଡଙ୍କ ଚୁକ୍ତି ମଧ୍ୟ ଶେଷ ହୋଇଛି । ଯଦି ଟିମ୍ ଇଣ୍ଡିଆ ଚମ୍ପିଆନ ହୋଇଥାନ୍ତା, ତେବେ ହୁଏତ ଦ୍ରାବିଡଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ଦାବି ହୋଇଥାନ୍ତା । ହେଲେ ବର୍ତ୍ତମାନ ଯଦିଓ ଭାରତ ବିଶ୍ବକପ୍ ଟ୍ରଫି ଜିତିବାରେ ବିଫଳ ହୋଇଛି, ହେଲେ ସେମିଫାଇନାଲ ପର୍ଯ୍ୟନ୍ତ ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲା । ତେଣୁ ଦ୍ରାବିଡଙ୍କ କାର୍ଯ୍ୟକାଳ ନେଇ ବିସିସିଆଇ ଖୁବଶୀଘ୍ର ନିଷ୍ପତ୍ତି ନେବ ।