ପୁଣେ:ପାଞ୍ଚଥର ଚମ୍ପିଆନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଆଉ ଏକ ପରାଜର ସାମ୍ନା କରିବାକୁ ପଡିଛି । ଚଳିତ ଆଇପିଏଲରେ ବିଜୟ ଖାତା ଖୋଲିବାରେ ବିଫଳ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । 18ତମ ମ୍ୟାଚରେ ମୁମ୍ବାଇକୁ 7 ୱିକେଟରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହା ସହ ଲଗାତର ତୃତୀୟ ବିଜୟ ହାସଲ କରିଛି ଆରସିବି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିୟାନ୍ସ 6 ୱିକେଟ ହରାଇ 151 ରନ କରିଥିଲା । ଜବାବରେ ରୟାଲ ଚ୍ୟାଲେଞ୍ଜର୍ସ 18.3 ଓଭରରେ 3 ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରିନେଇଥିଲେ । କୋହଲି ଓ ଅନୁଜ ରାୱତ ଦମଦାର ପ୍ରଦର୍ଶନ କରିଥିଲେ । ଅର୍ଦ୍ଧଶତକୀୟ ଇନିଂସ ଖେଳି ଅନୁଜ ରାୱତ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।
Bangalore registered their third consecutive victory ପାୱରପ୍ଲେ ଶେଷସୁଦ୍ଧା କୌଣସି ୱିକେଟ ନ ହରାଇ ୫୦ ରନ୍ ସଂଗ୍ରହ କରି ସୁବିଧା ସ୍ଥିତିରେ ରହିଥିଲା ମୁମ୍ବାଇ । ଫଳରେ ଏକ ବଡ ଟାର୍ଗେଟ ଆଡକୁ ମୁହାଁଇଥିଲା MI । ଦୁଇ ଓପନର କ୍ୟାପଟେନ ରୋହିତ ଶର୍ମା ୧୫ ବଲ୍ରୁ ୨୬ ଓ ଇଶାନ କିଶନ ୨୮ ବଲ୍ରୁ ୨୬ ରନ୍ର ଇଂନିସ ଖେଳିଥିଲେ । ତେବେ RCB ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ପାୱରପ୍ଲେ ପରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ୫ ଥରର ଚାମ୍ପିୟନ ଟିମ । ୧୩.୨ ଓଭର ସୁଦ୍ଧା ମାତ୍ର ୭୯ ରନ୍ରେ ୬ ୱିକେଟ ହରାଇ ସଙ୍କଟରେ ପଡିଥିଲା ।
ତେବେ ଷ୍ଟାର ବ୍ୟାଟ୍ର ସୂର୍ଯ୍ୟକୁମାର ଯାଦବ ଟିମ ପାଇଁ ସଙ୍କଟମୋଚକ ସାଜିଥିଲେ । ୩୭ ବଲ୍ରୁ ୫ଟି ଚୌକା ଓ ୬ଟି ଛକା ସହାୟତାରେ ୬୮ ରନ୍ର ଲଢୁଆ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଜୟଦେବ ଉନଦକତ୍ ମଧ୍ୟ ସୂର୍ଯ୍ୟଙ୍କୁ ଭରପୁର ସାଥ୍ ଦେଇଥିଲେ । ଫଳରେ ଉଭୟ ମିଶି ମୁମ୍ବାଇର ସ୍କୋର ୧୫୦ ପାର୍ କରାଇଥିଲେ । ସପ୍ତମ ୱିକେଟ ଯୋଡିରେ ଉଭୟଙ୍କ ମଧ୍ୟରେ ୭୨ ରନ୍ର ଭାଗିଦାରୀ ହୋଇଥିଲା । ଅନ୍ୟପଟେ RCB ପକ୍ଷରୁ ହର୍ଷଲ ପଟେଲ ଓ ୱାନିନ୍ଦୁ ହସରଙ୍ଗା ସର୍ବାଧିକ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଆକାଶ ଦୀପଙ୍କୁ ଗୋଟିଏ ୱିକେଟ ମିଳିଥିଲା ।
୧୫୨ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ବାଙ୍ଗାଲୋର ବାହିନୀ । ଫାଫ ଡୁ ପ୍ଲେସି ଓ ଅନୁଜ ରାୱତ ପ୍ରଥମ ୱିକେଟରେ 50 ରନ ସଂଗ୍ରହ କରିଥିଲେ । ଡୁ ପ୍ଲେସି ବ୍ୟକ୍ତିଗତ 16 ରନ କରି ଆଉଟ ହୋଇଥିଲେ । ଏହିପରେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ । ଅନୁଜଙ୍କ ସହ ମିଶି କୋହଲି ରନ ଗାଡି ଆଗକୁ ନେଇଥିଲେ । ରାୱତ ଅର୍ଦ୍ଧଶତକ ହାସଲ କରିଥିଲେ । ଦ୍ବିତୀୟ ୱିକେଟରେ 80ରନ ସଂଗ୍ରହ ହୋଇଥିଲା । ଦଳୀୟ ସ୍କୋର 130ରେ ଅନୁଜ (66) ରନ କରି ଆଉଟ ହୋଇଥିଲେ । ଶେଷ 2ଓଭରରେ ବିଜୟ ପାଇଁ ବାଙ୍ଗାଲୋରକୁ 7 ରନ ଦରକାର ଥିଲା । ବ୍ୟକ୍ତିଗତ 48ରନ କରି କୋହଲି ଆଉଟ ହୋଇଥିଲେ । ପରବର୍ତ୍ତୀ 2 ବଲରେ ମ୍ୟାକ୍ସୱେଲ 2ଟି ଚୌକା ମାରି ଦଳକୁ ଜିତାଇଥିଲେ । 9ଟି ବଲ ବାକି ଥାଇ ବାଙ୍ଗାଲୋର ବିଜୟ ହାସଲ କରି ନେଇଛି । ଆଇପିଏଲରେ ସବୁଠୁ ଶକ୍ତିଶାଳୀ ଟିମ ମୁମ୍ବାଇ ଚଳିତ ସିଜିନରେ କିଛି କମାଲ କରିପାରି ନାହିଁ । ମୁମ୍ବାଇର ପ୍ରଦର୍ଶନ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି ।