ହାଇଦ୍ରାବାଦ: ଅପରାଜେୟ ଅଷ୍ଟ୍ରେଲିଆ ସପ୍ତମ ଥର ପାଇଁ ବିଶ୍ବକପ ଚାମ୍ପିୟନ ହୋଇଛି । ଏଥିସହିତ ବିଶ୍ବକପ ଫାଇନାଲରେ ସର୍ବଶ୍ରେଷ୍ଠ ସ୍କୋର, ବିଶ୍ବକପ ଫାଇନାଲରେ ପ୍ରଥମ ୩୦୦ରୁ ଅଧିକ ସ୍କୋର ଓ ବିଶ୍ବକପ ଫାଇନାଲରେ ସର୍ବାଧିକ ରନ୍ର ଭାଗିଦାରୀ ଭଳି ଅନେକ ରେକର୍ଡ ହୋଇଛି । ମହିଳା ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି ଅଷ୍ଟ୍ରେଲିଆ ୱିକେଟକିପର ଆଲେସ ହେଲି । ଫାଇନାଲ ମୁକାବିଲାରେ ୧୭୦ ରନ୍ର ମାରାଥନ ଇଂନିସ ଖେଳିଥିବା ହେଲି ଆଉ ଏକ ବିଶ୍ବକପ ବିଜେତା ହେବାସହ ଏକାଧିକ ବିଶ୍ବରେକର୍ଡ ନିଜ ନାମରେ କରିଛନ୍ତି ।
୧୭୦-ବିଶ୍ବକପ ଫାଇନାଲ୍ ମ୍ୟାଚ୍ରେ ବୃହତ ବ୍ୟକ୍ତିଗତ ସ୍କୋର୍:
ଆଲେସା ହେଲି ବିଶ୍ବକପ ଫାଇନାଲରେ ଇଂଲଣ୍ଡ ବିପକ୍ଷରେ ୧୭୦ ରନ୍ର ଇଂନିସ ଖେଳିଛନ୍ତି । ଏହା ମହିଳା କିମ୍ବା ପୁରୁଷ ବିଶ୍ବକପ ଫାଇନାଲ ମ୍ୟାଚ୍ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ । ଏହି ମ୍ୟାଚ୍ ବିଜୟୀ ଇଂନିସ ସହ ହେଲି ଆଡାମ ଗିଲଖ୍ରୀଷ୍ଟଙ୍କ ୧୪୯ ରନ୍ର ରେକର୍ଡକୁ ଭଙ୍ଗ କରିଛନ୍ତି । ୨୦୦୭ ବିଶ୍ବକପର ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଏହି ଇଂନିସ ଖେଳିଥିଲେ ଗିଲଖ୍ରୀଷ୍ଟ । ଏହି ତାଲିକାର ତୃତୀୟରେ ରହିଛନ୍ତି ଇଂଲଣ୍ଡର ମହିଳା ବ୍ୟାଟ୍ର ନାଟ୍ ସ୍କିଭର । ୨୦୨୨ ମହିଳା ବିଶ୍ବକପ ଫାଇନାଲ ମୁକାବିଲାରେ ଅପରାଜିତ ୧୪୮ ରନ୍ର ଇଂନିସ ଖେଳିଛନ୍ତି ସ୍କିଭର । ଚତୁର୍ଥରେ ରହିଛନ୍ତି ରିକି ପଣ୍ଟିଂ, ଭାରତ ବିପକ୍ଷରେ ୨୦୦୩ ବିଶ୍ବକପ ଫାଇନାଲରେ ଅପରାଜିତ ୧୪୦ ରନ୍ର ଇଂନିସ ଖେଳିଥିଲେ । ତାଲିକାର ପଞ୍ଚମରେ ଭିଭି ରିଚାର୍ଡସ ରହିଛନ୍ତି । ସେ ୧୯୭୯ ବିଶ୍ବକପ ଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୧୩୮ ରନ୍ର ଇଂନିସ ଖେଳିଥିଲେ ।
ବିଶ୍ବକପ ଫାଇନାଲରେ ୩୫୬/୫:
ମହିଳା ODI ବିଶ୍ବକପ ଫାଇନାଲରେ ପ୍ରଥମ ଥର ପାଇଁ ଏହା ଅଷ୍ଟ୍ରେଲିଆର ୩୦୦ରୁ ଅଧିକ ସ୍କୋର । ଏହାପୂର୍ବରୁ ୨୦୦୫ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୫୯ ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆର ସର୍ବାଧିକ ସ୍କୋର ଥିଲା । ଅଷ୍ଟ୍ରେଲିଆର ୩୫୬ ମଧ୍ୟ ମହିଳା କିମ୍ବା ପୁରୁଷ ବିଶ୍ବକପ ଫାଇନାଲରେ ଦ୍ବିତୀୟ ସର୍ବାଧିକ ସ୍କୋର । ୨୦୦୩ ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲୀୟ ପୁରୁଷ ଟିମର ୩୫୯/୨ ସର୍ବଶ୍ରେଷ୍ଠ ସ୍କୋର ରହିଛି ।
ମହିଳା ଏକଦିବସୀୟ ମ୍ୟାଚ୍ରେ ସର୍ବାଧିକ ରନ୍
- ମହିଳା ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍ରେ ୩୫୬ ଅଷ୍ଟ୍ରେଲିଆର ତୃତୀୟ ସର୍ବବୃହତ୍ ସ୍କୋର । ଏହାପୂର୍ବରୁ ଡେନମାର୍କ ବିପକ୍ଷରେ ୧୯୯୭ ବିଶ୍ବକପରେ ୪୧୨/୩ ଓ ପାକିସ୍ତାନ ବିପକ୍ଷରେ ସମାନ ବର୍ଷ ୩୯୭/୪ ସ୍କୋର କରିଥିଲେ । ଏହାମଧ୍ୟ ମହିଳା ODIରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ସର୍ବବୃହତ ସ୍କୋର୍ । ନିଜର ଏହି ରେକର୍ଡକୁ ପୂର୍ବରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ହାମିଲଟନ୍ରେ ୩୧୦/୩ ସହ ଭଙ୍ଗ କରିସାରିଛି କଙ୍ଗାରୁ ଟିମ ।
- ଅଷ୍ଟ୍ରେଲିଆ ପାଇଁ ହେଲିଙ୍କ ୧୭୦ ମହିଳା ODIରେ ଦ୍ବିତୀୟ ସର୍ବବୃହତ ସ୍କୋର୍ । ଏହି ତାଲିକାର ଶୀର୍ଷରେ ରହିଛନ୍ତି ଅନ୍ୟତମ ଅଷ୍ଟ୍ରେଲୀୟ ଖେଳାଳି ବେଲିଣ୍ଡା କ୍ଳାର୍କ । ସେ ୧୯୯୭ ବିଶ୍ବକପରେ ଡେନମାର୍କ ବିପକ୍ଷରେ ଅପରାଜିତ ୨୨୯* ରନ୍ର ମାରାଥନ ଇଂନିସ ଖେଳିଥିଲେ । ଏହି ଫର୍ମାଟରେ ହେଲିଙ୍କ ପ୍ରଦର୍ଶନ ମଧ୍ୟ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ । ଏହି ରେକର୍ଡ ପୂର୍ବରୁ କ୍ଳାର୍କଙ୍କ(୧୪୬*, ୨୦୦୦) ନାମରେ ରହିଥିଲା ।
- ହେଲି ପ୍ରଥମ ୫୦ ବଲ୍ରୁ ୫ଟି ଚୌକା ଯୋଗେଁ ମାତ୍ର ୩୭ ରନ୍ କରିଥିଲେ । ପରବର୍ତ୍ତୀ ୫୦ ବଲ୍ରୁ (୫୧ରୁ ୧୦୦ ବଲ୍) ୮ଟି ଚୌକା ସହାୟତାରେ ୬୩ ରନ୍ ଓ ଶେଷ ୩୮ ବଲ୍ରୁ ୧୩ଟି ଚୌକା ସହାୟତାରେ ୭୦ ରନ୍ ସଂଗ୍ରହ କରିଥିଲେ ।