ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଅଧିନାୟିକା ମେଗ ଲାନିଙ୍ଗ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । 13ବର୍ଷର ଅନ୍ତର୍ଜାତୀୟ କ୍ରିକେଟ ଯାତ୍ରାରେ 182 ମ୍ୟାଚ ଖେଳିଛନ୍ତି 31 ବର୍ଷୀୟ ମେଗ ଲାନିଙ୍ଗ । ବର୍ତ୍ତମାନ ଲାନିଙ୍ଗ ମହିଳା ବିଗ୍ ବ୍ୟାସ ଲିଗ ମେଲବୋର୍ଣ୍ଣ ଷ୍ଟାର୍ସର ନେତୃତ୍ବ ନେଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟୁ ଅବସର ନେବା ବର୍ତ୍ତମାନ ଠିକ ସମୟ ବୋଲି କହିଛନ୍ତି ମେଗ ଲାନିଙ୍ଗ । ମହିଳା ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ ମେଗ୍ ଲାନିଙ୍ଗଙ୍କ କାନ୍ଧରେ ରହିଛି ।
ଅବସର ଘୋଷଣା କରି 31 ବର୍ଷୀୟ ମେଗ ଲାନିଙ୍ଗ କହିଛନ୍ତି, ''ଅନ୍ତର୍ଜାତୀୟ କ୍ରିକେଟରୁ ଦୂରକୁ ଯିବା ନିଷ୍ପତ୍ତି ନେବା କଷ୍ଟକର ଥିଲା । ମାତ୍ର ମୋତେ ଲାଗୁଛି କି ମୋ ପାଇଁ ଏହା ସଠିକ ସମୟ । ମୁଁ ଭାଗ୍ୟଶାଳୀ ଯେ କି 13 ବର୍ଷ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛି । ଏବେ କିଛି ନୂଆ କରିବାକୁ ଆଗକୁ ବଢିବାକ ସଠିକ ସମୟ ଆସିଛି । ମୁଁ ଯାହା ହାସିଲ କରିଛି ତାକୁ ନେଇ ଗର୍ବିତ । ଦଳରେ ସାଥୀ ଖେଳାଳିଙ୍କ ସମର୍ଥନ ପାଇଁ ଧନ୍ୟବାଦ ।''
ରିଙ୍କିଂ ପଏଣ୍ଟି ଓ ଧୋନୀଙ୍କୁ ପଛରେ ପକାଇଥିଲେ:ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପ 2023ରେ ଅଷ୍ଟ୍ରେଲିଆ 6 ଥର ପାଇଁ ବିଶ୍ବ ବିଜୟୀ ହୋଇଥିଲା । ଅଧିନାୟିକା ମେଗ ଲାନିଙ୍ଗଙ୍କ ନେତୃତ୍ବରେ ଦଳ ଚମ୍ପିଆନ ହୋଇଥିଲା । ଏହା ସହିତ ମହିଳା କ୍ରିକେଟର ମେଗ ଲାନିଙ୍ଗ ସଫଳ ଅଧିନାୟିକା ହୋଇଥିଲେ । ମେଗ ଲାନିଙ୍ଗ ସର୍ବାଧିକ 5ଟି ଆଇସିସି ଟ୍ରଫି ହାସଲ କରି ଏହି ବିରଳ ରେକର୍ଡ କରିଥିଲେ । ବିଶ୍ବ କ୍ରିକେଟ ପୁରୁଷ ଓ ମହିଳାରେ ପ୍ରଥମ ଅଧିନାୟିକା ଭାବେ 5ଟି ଆଇସିସି ଟ୍ରଫି ବିଜୟୀ ହୋଇଥିଲେ ମେଗ ଲାନିଙ୍ଗ । ସେଥିରେ 4ଟି ଟି-20 ବିଶ୍ବକପ ଗୋଟିଏ ବିଶ୍ବକପ ଟ୍ରଫି ସାମିଲ ରହିଛି । ଏହା ସହିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଗୋଲ୍ଡ ପଦକ ଜିତିଥିଲା ଲାନିଙ୍ଗଙ୍କ ନେତୃତ୍ବାଧୀନ ଅଷ୍ଟ୍ରେଲିଆ । ପୁରୁଷ ହେଉ କି ମହିଳା ଆଜି ଯାଏ କୌଣସି ବି ଦଳର ଅଧିନାୟକ 5ଟି ଆଇସିସି ଟ୍ରଫି ଜିତି ନାହାନ୍ତି ।