ଦୁବାଇ:ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଗୃପ ବି' ମ୍ୟାଚରେ ବାଂଲାଦେଶକୁ 2 ୱିକେଟରେ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି ଶ୍ରୀଲଙ୍କା । ବିଜୟ ସହ ସୁପର 4 ରାଉଣ୍ଡକୁ ପ୍ରବେଶ କରିଛି ଦଳ । ପ୍ରଥମ ମ୍ୟାଚରେ ଆଫାଗାନିସ୍ତାନଠୁ ପରାସ୍ତ ହୋଇଥିଲା ଶ୍ରୀଲଙ୍କା ମାତ୍ର ଦ୍ବିତୀୟ ମ୍ୟାଚରେ ଜବରଦସ୍ତ କମବ୍ୟାକ୍ କରିଛି । ବାଂଲାଦେଶ ଆଫାଗାନିସ୍ତାନଠୁ ପ୍ରଥମ ମ୍ୟାଚ ହାରିଥିଲା । ଏହାପରେ ଶ୍ରୀଲଙ୍କା ଠାରୁ ଦ୍ବିତୀୟ ମ୍ୟାଚ ହାରିବା ପରେ ଦଳର ଏସିଆ କପ୍(Asia Cup) ଅଭିଯାନ ଶେଷ ହୋଇଛି ।
ଟସ୍ ଜିତି ଶ୍ରୀଲଙ୍କା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିଲା ବାଂଲାଦେଶ । ଦଳ ପକ୍ଷରୁ ମେହଦି ହାସାନ ମିରାଜ ଓ ସବିର ରେହମାନ ପାଳି ଆରମ୍ଭ କରିଥିଲେ । ଦଳୀୟ ସ୍କୋର 19ରେ ବ୍ୟକ୍ତିଗତ 5 ରନ କରି ସବିର ଆଉଟ ହୋଇଥିଲେ । ମିରାଜ ଆକ୍ରାମଣତ୍ମକ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ତାଙ୍କୁ ସାଥ ଦେଇଥିଲେ ସକିବ ଅଲ ହାସନ । ଦଳୀୟ ସ୍କୋର 58ରେ ମିରାଜ 38 ରନ କରି ଆଉଟ ହୋଇଥିଲେ । ମଧ୍ୟଭାଗରେ ମୁସଫିକର ରହିମା (4) ରନ କରି ନିରାଶ କରିଥିଲେ । ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ରନ ବଳରେ ଦଳୀୟ ସ୍କୋର 183ରେ ପହଞ୍ଚିଥିଲା । 7 ୱିକେଟ ହରାଇ ବାଂଲାଦେଶ 183 ରନ କରିଥିଲା । ସାକିବ 24, ଅଫିଫ 39, ମୋସାଦେକ ହୋସେନ ଅପରାଜିତ 24 ଓ ଟସ୍କିନ ଅହମ୍ମଦ ଅପରାଜିତ 11 ରନ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ୱାନିନ୍ଦୁ ହସରଙ୍ଗା ଓ ଚାମିକା କରୁଣାରତ୍ନେ 2ଟି ଲେଖାଏଁ ୱିକେଟ ନେଇଥିଲେ ।