ହାଇଦ୍ରାବାଦ:ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଭାରତର ଲଗାତର ଦ୍ବିତୀୟ ପରାଜୟ ହୋଇଛି । ସୁପର ଫୋର ରାଉଣ୍ଡରେ ଶ୍ରୀଲଙ୍କାଠୁ ପରାସ୍ତ ହୋଇଛି ଟିମ ଇଣ୍ଡିଆ । 6 ୱିକେଟରେ ସୁପର ଫୋର ମ୍ୟାଚକୁ ଜିତି ନେଇଛି ଶ୍ରୀଲଙ୍କା । ଭାରତର ଏହି ପରାଜୟ ପାଇଁ ଏସିଆ କପ୍ ବିଦାୟ ଦ୍ବାରରେ ପହଞ୍ଚିଛି । ସେପଟେ ଲିଗ ପର୍ଯ୍ୟାୟର ପ୍ରଥମ ମ୍ୟାଚ ହାରିବା ପରେ ଜବରଦସ୍ତ କମବ୍ୟାକ କରିଛି ଶ୍ରୀଲଙ୍କା । ଲଗାତାର ଦ୍ବିତୀୟ ମ୍ୟାଚ ଜିତି ଫାଇନାଲ ନିକଟତର ହୋଇଛି ଦଳ । ଅଲରାଉଣ୍ଡର ପ୍ରଦର୍ଶନ କରି ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିବା ଅଧିନାୟକ ଡାସୁନ ଶଣକା ପ୍ଲେୟାର ଅଫ ଦ ମ୍ୟାଚ ବିବେଚତି ହୋଇଛନ୍ତି ।
ଟସ ଜିତି ଶ୍ରୀଲଙ୍କା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ପାଳି ଆରମ୍ଭ କରିଥିଲା ଟିମ ଇଣ୍ଡିଆ । ମାତ୍ର 13 ରନରେ 2ଟି ୱିକେଟ ହରାଇଥିଲା ଭାରତ । ଓପନର କେ ଏଲ ରାହୁଲ (6) ରନ କରି ଆଉଟ ହୋଇଥିଲେ । ବିରାଟ କୋହଲି ଖାତା ଖୋଲି ନପାରି ସଅଳ ପାଭିଲିୟନ ଫେରିଥିଲେ । ଅପରାଜିତ ଓପନର ରୋହିତ ଶର୍ମା ଦୃଢ ବ୍ୟାଟିଂ କରିବା ସହ ସୂର୍ଯ୍ୟକୁମାର ଯାଦବ ତାଙ୍କ ସାଥ ଦେଇଥିଲେ । ଉଭୟ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । 32 ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ରୋହିତ । ତୃତୀୟ ୱିକେଟରେ ଦଳ 97 ରନ ସଂଗ୍ରହ କରିଥିଲା । ଦଳୀୟ ସ୍କୋର 110ରେ ରୋହିତ 41 ବଲରୁ ବ୍ୟକ୍ତିଗତ 72 ରନ କରି ଆଉଟ ହୋଇଥିଲେ । ଏହାପରେ ନିୟମିତ ବ୍ୟବଧାନରେ ଭାରତ ୱିକେଟ ହରାଇଥିଲା । ସୂର୍ଯ୍ୟକୁମାର 34, ଋଷବ ପନ୍ତ 17, ଦୀପକ ହୁଡା 3 ରନ କରି ଆଉଟ ହୋଇଥିଲେ । ରବି ଚନ୍ଦ୍ରନ ଅଶ୍ବିନ 7ଟି ବଲରୁ ଅପରାଜିତ 15 ରନ କରି ଦଳୀୟ ସ୍କୋରକୁ 173ରେ ପହଞ୍ଚାଇଥିଲେ । ଭାରତ 8 ୱିକେଟ ହରାଇ 173 ରନ ସଂଗ୍ରହ କରିଥିଲା ।