ଦୁବାଇ: ଚଳିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ଭାରତର ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି । ହଂକଂକୁ 40ରନରେ ପରାସ୍ତ କରି ଡିଫେଣ୍ଡିଂ ଚାମ୍ପିଅନ ଭାରତ ସୁପର ଫୋରରେ ପ୍ରବେଶ କରିଛି । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ହରାଇଥିବା ଭାରତ ତାର ଦ୍ବିତୀୟ ମୁକାବିଲାରେ ହଂକଂକୁ ହରାଇଛି । ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଓ ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ଦମଦାର ବିଜୟ ହାସଲ କରିଛି । ସୂର୍ଯ୍ୟକୁମାର ଯାଦବ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
ପ୍ରଥମେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ହଂକଂ । ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଦଳ । ଭାରତ ପକ୍ଷରୁ ରୋହିତ ଶର୍ମା ଓ ଲୋକେଶ ରାହୁଲ ପାଳି ଆରମ୍ଭ କରିଥିଲେ । ହଂକଂ ବୋଲର ପ୍ରଥମରୁ ଶୃଙ୍ଖଳିତ ବୋଲିଂ କରିଥିଲେ । ଦୁଇ ଓପନର ବଡ ସଟ ଖେଳି ପାରି ନଥିଲେ । ଦଳୀୟ ସ୍କୋର 38ରେ ରୋହିତ 21 ରନ କରି ଆଉଟ ହୋଇଥିଲେ । ଏହାପରେ ବିରାଟ କୋହଲି ଆସିଥିଲେ । ରାହୁଲ କୋହଲି ମିଶି ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ । ଦ୍ବିତୀୟ ୱିକେଟରେ ଉଭୟ 56 ରନ ଭାଗିଦାରୀ କରିଥିଲେ । 13ତମ ଓଭରରେ ରାହୁଲ ମହମ୍ମଦ ଗଜନଫରଙ୍କ ବଲରେ ଆଉଟ ହୋଇଥିଲେ । ରାହୁଲ 39 ବଲରୁ 36 (2ଛକା) ରନ କରିଥିଲେ । ଏହାପରେ କ୍ରିଜକୁ ଓହ୍ଲାଇଥିଲେ ସୂର୍ଯ୍ୟକୁମାର । ବିସ୍ଫୋରକ ସଟ ଖେଳି ହଂକଂ ବୋଲରଙ୍କୁ ଧରାଶାୟୀ କରିଥିଲେ ସୂର୍ଯ୍ୟ । କୋହଲି ସୂର୍ଯ୍ୟ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ସୂର୍ଯ୍ୟକୁମାରକୁ ଅଟକାଇବା ହଂକଂ ବୋଲରଙ୍କ ପାଇଁ କାଠିକର ପାଠ ହୋଇଥିଲା । ମାତ୍ର 26 ବଲରୁ ସୂର୍ଯ୍ୟକୁମାର 6 ଛକା 6 ଚୌକା ବଳରେ ଅପରାଜିତ 68 ରନ ସଂଗ୍ରହ କରିଥିଲେ । କୋହଲି 31 ତମ ଟି-20 ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ । ସେ 1 ଚୌକା ଓ 3 ଛକା ମାରି 59 ରନ କରିଥିଲେ । ଦଳୀୟ ସ୍କୋର 192ରେ ପହଞ୍ଚିଥିଲା । ହଂକଂକୁ 193 ରନ ଟାର୍ଗେଟ ଦେଇଥିଲା ଭାରତ ।