୨୦୧୩ରେ ରିଲିଜ ହୋଇଥିବା ନିଖିଲ ଆଡଭାନିଙ୍କ ନିର୍ଦ୍ଦେଶିତ ଉଗ୍ର ଜାତୀୟତାବାଦ ଫିଲ୍ମ ଡି-ଡେ’ରେ ଏକ ସ୍ମରଣୀୟ ଦୃଶ୍ୟ ରହିଛି । ଦୃଶ୍ୟରେ ଦେଖାଯାଇଛି ଯେ, ରିଷି କପୁରଙ୍କ ଗୋଲଡମ୍ୟାନ ଚରିତ୍ର (ଦାଉଦ ଇବ୍ରାହିମ ସହ ମେଳ ଖାଉଥିବା ଚରିତ୍ର ) ର’ ଏଜେଂଟ ୱାଲି ( ଇରଫାନ )ଙ୍କ ହାତ ଧରି ପଚାରୁଛନ୍ତି ଯେ, ଦୁନିଆ ସେମାନଙ୍କୁ ସବୁଦିନ ପାଇଁ କିଭଳି ଭାବେ ଦେଖିବ ?
ଦୁଇ କଳାକାର ଆଉ ନାହାଁନ୍ତି । ଗୋଟିଏ ଦିନ ବ୍ୟବଧାନରେ ଦୁହେଁ ଆଗ ପଛ ହୋଇ ବିଦାୟ ନେଇଥିଲା ବେଳେ ନିଜ ନିଜ ଅଭିନୟ କ୍ୟାରିଅରର ଶୀର୍ଷରେ ଥିବା ଏହି ଦୁଇ କଳାକାରଙ୍କୁ ମନେ ପକାଉଛି ଦୁନିଆ । ଦିବଂଗତ ଦୁଇ ଅଭିନେତାଙ୍କ ମଧ୍ୟରେ ଥିଲା ଆକାଶ ପାତାଳ ଫରକ । ମୁମ୍ବାଇ ସିନେମାର ପ୍ରଥମ ପରିବାରର ତୃତୀୟ ପୀଢିର ଅଭିନେତା ଥିଲେ ୬୭ ବର୍ଷିୟ ରିଷି କପୁର । ମଦ୍ୟପାନ ଓ ନିଜର ଅସୁରକ୍ଷିତ ମନୋଭାବକୁ ଛାଡିଦେଲେ ତାଙ୍କୁ ଜୀବନରେ ଆଉ ବିଶେଷ ସଂଘର୍ଷ କରିବାକୁ ପଡିନାହିଁ । ୫୩ ବର୍ଷିୟ ଇରଫାନ ଥିଲେ ଏକ ପ୍ରକାର ସାହିବଜାଦେ ( ରାଜକୁମାର ) । ରାଜସ୍ଥାନ ଟୋଙ୍କ୍ ର ଏକ ଛୋଟ ରାଜ ପରିବାରର ସଦସ୍ୟ ଥିଲେ ଇରଫାନ । ନ୍ୟାସନାଲ ସ୍କୁଲ୍ ଅଫ ଡ୍ରାମାରୁ ମୁମ୍ବାଇ ସିନେମାରେ ଭାଗ୍ୟ ଆପଣାଇବାକୁ ଆସିଥିଲେ ଇରଫାନ । କିନ୍ତୁ ପ୍ରତିଷ୍ଠିତ ହେବାକୁ କିଛି ବର୍ଷ ଲାଗିଯାଇଥିଲା । ଜଣେ ଥିଲେ ସ୍ୱତଃପ୍ରବୃତ୍ତ ଓ ନିଜ ବିଚାରଧାରାରେ ହିଁ ବିଶ୍ୱାସ କରୁଥିବା ଅଭିନେତା । ଅନ୍ୟ ଜଣେ ଥିଲେ ପ୍ରଶିକ୍ଷିତ ଓ ଦାର୍ଶନିକ ଚିନ୍ତାଧାରା ସଂପନ୍ନ ଅଭିନେତା ।
ଜଣଙ୍କର ଜିନ୍ରେ ଥିଲା ଅଭିନୟ, ଯିଏ କି ମାତ୍ର ତିନିବର୍ଷ ବୟସରେ ବାପାଙ୍କ ଶ୍ରୀ ୪୨୦ ପିଲ୍ମ ପ୍ୟାର ହୁଆ ଇକରାର୍ ହୁଆ ଗୀତରେ ପ୍ରଥମ ଥର ପାଇଁ କ୍ୟାମେରାର ସାମନା କରିଥିଲେ । କିନ୍ତୁ ଅନ୍ୟଜଣକ ଜଣେ ଏୟାରକଂଡିସନର ରିପେର୍ ମ୍ୟାନ୍ ଭାବେ ପ୍ରଥମେ ମୁମ୍ବାଇ ଆସିଥିଲେ । ଆଉ ତାଙ୍କ ପରିବାରର ଟାୟାର ବିଜିନେସ୍ । ଏସବୁ ଫରକ ସତ୍ୱେ ଦୁହିଁଙ୍କ ମଧ୍ୟରେ ଥିଲା ଅନେକ ସମାନତା । ଦୁଇ କଳାକାରଙ୍କ ସିନେମା ପ୍ରତି ଥିଲା ଅଶେଷ ଶ୍ରଦ୍ଧା । ନୋ ନନ୍ସେନ୍ସ ଆଭିମୁଖ୍ୟରେ ବିଶ୍ୱାସ ରଖୁଥିଲେ ଉଭୟ ରିଷି ଓ ଇରଫାନ । ଅନାବଶ୍ୟକ ଆଡମ୍ବରକୁ ବି ପସନ୍ଦ କରୁ ନ ଥିଲେ ଦୁଇ କଳାକାର । ଦୁଇ ଅଭିନେତାଙ୍କ ଏମିତି ବହୁତ ଫିଲ୍ମ ରହିଛି, ଯାହାକୁ କି ଦର୍ଶକ ସବର୍ଦା ପସନ୍ଦ କରିବେ ।
ମୀରା ନାୟାରଙ୍କ ସଲାମ ବମ୍ବେ ଫିଲ୍ମରେ ଇରଫାନଙ୍କୁ ପ୍ରମୁଖ ଭୂମିକାରେ ନେବା ପାଇଁ ବିଚାର କରାଯାଉଥିଲା । କିନ୍ତୁ ୧୯୮୮ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ଏକ ବୟ ଗ୍ୟାଙ୍ଗଷ୍ଟରର ଭୂମିକା ପାଇଁ ଇରଫାନ ସେତେବେଳେ ଟିକେ ବୟସ୍କ ଲାଗୁଥିଲେ ବୋଲି ଫିଲ୍ମର ସହ କାହାଣୀ ଲେଖକ ସୋନି ତାରାପୋରବାଲା କହନ୍ତି । ଦୁଃଖର ସହ ମୀରା ନାୟାର ଇରଫାନଙ୍କୁ ସେହି ପ୍ରମୁଖ ଭୂମିକା ଦେଇ ନ ଥିଲେ । ଶେଷରେ ଏକ ରୋଡସାଇଡ୍ ଲେଖକର ଛୋଟ ଭୂମିକାରେ ଅଭିନୟ କରିଥିଲେ ଇରଫାନ୍ ।
ରିଷି କପୁର କିନ୍ତୁ ନିଜ କ୍ୟାରିଅର ଆରମ୍ଭରୁ ଇଟରନାଲ ଲଭର୍ ବୟର ଭୂମିକା ନିଭାଇଥିଲେ । ୧୯୭୦ର ମେରା ନାମ ଜୋକର ଫିଲ୍ମରେ ନିଜ ଶିକ୍ଷୟିତ୍ରୀଙ୍କୁ ଭଲ ପାଉଥିବା ଜଣେ ଅସ୍ଥିର କିଶୋର ହୁଅନ୍ତୁ ବା ୧୯୭୩ର ଫିଲ୍ମ ବବିରେ ସୌଖୀନ, ସୁଟ୍ ପିନ୍ଧା ଟିନଏଜ୍ ଲଭର । ବବି ଫିଲ୍ମ ସତୁରୀ ଦଶକର କିଶୋରଙ୍କୁ ବେଶ୍ ପ୍ରଭାବିତ କରିଥିଲା । ବବି ଫିଲ୍ମ ସେମାନଙ୍କୁ ପ୍ରେମ, ଦୈହିକ ସଂପର୍କ, ନଟେଡ୍ ଟପ୍ ଓ ଲେଦର ଜ୍ୟାକେଟ୍ ବାବଦରେ ପରିଚିତ କରାଇଲା । କୌଣସି ଶ୍ରେଣୀ ଓ ଧର୍ମ ନ ମାନି ନୀର୍ଭିକ ଭାବେ ପ୍ରେମ କରିବା ଯୁବକମାନଙ୍କୁ ଶିଖାଇଥିଲା ରିଷିଙ୍କ ବବି । ବବି ସହ ଏକାଧିକ ସାଂଗୀତିକ ମନୋରଂଜନଧର୍ମୀ ରୋମାନ୍ସ ଡ୍ରାମାରେ ଅଭିନୟ କରିଚାଲିଲେ ରିଷି ।