ଓଡିଶା

odisha

ETV Bharat / sitara

ଦର୍ଶକଙ୍କ ମନ କିଣୁଛି ଫିଚର୍ ଫିଲ୍ମ, ଜାତୀୟ ପୁରସ୍କାରରେ ହେଉଛି ସମ୍ମାନିତ - sala budha badla

ଓଡିଆ ସିନେମା ପ୍ରତି ଦର୍ଶକଙ୍କ ଆଗ୍ରହ କମିବାରେ ଲାଗିଛି, ହେଲେ ଏଭଳି ସ୍ଥିତିରେ ଫିଚର୍ ଫିଲ୍ମ ହିଁ ଓଡିଆ ସିନେ ଜଗତକୁ ବଞ୍ଚାଇ ରଖିଛି ଆଉ ଏହାକୁ ପ୍ରୋତ୍ସାହନ ଦେଇଛି ଜାତୀୟ ପୁରସ୍କାର । ଅଧିକ ପଢନ୍ତୁ...

ଦର୍ଶକଙ୍କ ମନରେ ରାଜ୍ କରୁଛି ଫିଚର୍ ଫିଲ୍ମ, ଜାତୀୟ ପୁରସ୍କାରରେ ହେଉଛି ସମ୍ମାନିତ
ଦର୍ଶକଙ୍କ ମନରେ ରାଜ୍ କରୁଛି ଫିଚର୍ ଫିଲ୍ମ, ଜାତୀୟ ପୁରସ୍କାରରେ ହେଉଛି ସମ୍ମାନିତ

By

Published : Mar 26, 2021, 2:50 PM IST

ଭୁବନେଶ୍ବର: ଲୁପ୍ତପ୍ରାୟ ଓଡିଆ ସିନେମାର ଲୋକପ୍ରିୟତା । ଦିନ ଥିଲା ସିନେମା ଜଗତରେ ନିର୍ମାଣ ହେଉଥିଲା ଓଡିଶାର ସମ୍ଭ୍ରାନ୍ତ ସଂସ୍କୃତି ଓ ପରମ୍ପରାର କାହାଣୀ । ଯାହାକୁ ଦେଖି ଭାବବିହ୍ବଳ ହୋଇପଡୁଥିଲା ପ୍ରତିଟି ଓଡିଆ । ଭିଲେନଠୁ ହିରୋ ମାଡ ଖାଉଥିବା ବେଳେ ଦର୍ଶକକୁ କାଟୁଥିଲା ଆଉ ହିରୋକୁ ହିରୋଇନ ସହ ପ୍ରେମ ହେଲେ ଫୁଲ ହସୁଥିଲା । ପ୍ରତି ରବିବାର ସମସ୍ତଙ୍କର ସେଇ ଗୋଟିଏ ଅପେକ୍ଷା, କେତବେଳେ ବାଜିବ 4 ଟା । ହେଲେ ଗତ ଦଶନ୍ଧି ଧରି ଏଠି କାହାଣୀ ତ ଦୂରର କଥା ଟାଇଟେଲ ବି ହିନ୍ଦୀ ଅନୁବାଦ । ଯାହାଫଳରେ ଅବହେଳିତ ଓଡିଆ ଫିଲ୍ମ ଜଗତରୁ ଦୂରେଇ ରହୁଥିଲେ ଆଜିର ଯୁବପିଢୀ ତଥା ବୟୋଜ୍ୟେଷ୍ଠ । ହେଲେ ଏବେ ଅସ୍ତଗାମୀ ସୂର୍ଯ୍ୟ ପୁନଃ ଉଦୟ ହୋଇ ଓଡିଶା ତଥା ଓଡିଆ ସିନେମା ଜଗତ ପାଇଁ ସୃଷ୍ଟି କରିଛି ନୂତନ ସମ୍ଭାବନା ।

ଦର୍ଶକଙ୍କ ମନରେ ରାଜ୍ କରୁଛି ଫିଚର୍ ଫିଲ୍ମ, ଜାତୀୟ ପୁରସ୍କାରରେ ହେଉଛି ସମ୍ମାନିତ
ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ଓଡିଆ ଫିଲ୍ମ । ଗୋଟିଏ ନୁହେଁ ଏକାବେଳେ 3-3ଟା ଫିଲ୍ମ । ଉଚ୍ଚକୋଟୀର ଫିଲ୍ମ ନିର୍ମାଣ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି ନିର୍ଦ୍ଦେଶକ ଡଃ ସବ୍ୟସାଚୀ ମହାପାତ୍ର, ନୀଳମାଧବ ପଣ୍ଡା ଓ ଆଶୁତୋଷ ପଟ୍ଟନାୟକ । ସଂସ୍କୃତି, ପରମ୍ପରା ଓ ଲୋକସଂସ୍କୃତିକୁ ପ୍ରଦର୍ଶନ କରି ଜାତୀୟ ସ୍ତରରେ ସମ୍ମାନିତ ହୋଇଛି ଶଲା ବୁଢାର ବଦଲା, କାଲିର ଅତୀତ ଓ ଶ୍ରୀକ୍ଷେତ୍ରରୁ ସାହିଯାତ ।ବହୁ ଚର୍ଚ୍ଚିତ ସମ୍ବଲପୁରୀ ଚଳଚ୍ଚିତ୍ର ‘ଶଲା ବୁଢା’ ଲୋକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅକ୍ତିଆର୍ କରିଥିବାବେଳେ ବର୍ତ୍ତମାନ ଫିଲ୍ମର ସ୍ବିକେଲ୍ ‘ଶଲା ବୁଢାର ବଦଲା’, ଓ ନୀଳମାଧବ ପଣ୍ଡାଙ୍କ ‘କାଲିର ଅତୀତ’ ହାତେଇଛି ଆଞ୍ଚଳିକ ଭାଷା ବର୍ଗରେ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ରର ମାନ୍ୟତା । ନିର୍ମାତା ସବ୍ୟସାଚୀ ମହାପାତ୍ର ପ୍ରତିଥର ଭଳି ଏଥର ବି ଫିଲ୍ମରେ ଗାଉଁଲି ଛାପକୁ ବେଶ୍ ସୁନ୍ଦର ଭାବେ ଚିତ୍ରଣ କରିଥିବାବେଳେ ଓସ୍କାର ଦୌଡରୁ ବାଦ୍ ପଡିଥିବା ‘କାଲିର ଅତୀତ’ରେ ଜଳବାୟୁ ପରିବର୍ତ୍ତନର ବାର୍ତ୍ତା ଦେଇ 1999 ମସିହାର ସେହି କରାଳ ମହାବାତ୍ୟାକୁ ଫିଲ୍ମ ଜରିଆରେ ଜୀବନ୍ତ କରିଛନ୍ତି ନୀଳମାଧବ ପଣ୍ଡା।ସେପଟେ ଯୁବ ଫିଲ୍ମ ନିର୍ମାତା ଆଶୁତୋଷ ପଟ୍ଟନାୟକଙ୍କ ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ନନ୍-ଫିଚର କାଟେଗୋରୀରେ ହୋଇଛି ସମ୍ମାନିତ । ପୁରୀର ଅତି ପୁରାତନ ଲୋକକଳା ସାହି ଯାତ୍ରା, ‘ଗୋଷାଣୀ ଯାତ୍ରା’କୁ ଏଥିରେ ଖୁବ୍ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି । ଦଶହରା ସମୟରେ ସମସ୍ତ ଦୁର୍ଗାମେଢ ବଡଦାଣ୍ଡରେ ଆସି ଏକାଠି ହୁଅନ୍ତି ପରେ ବିରାଟ ପଟୁଆରରେ ପୁରୀର ପ୍ରତ୍ୟେକ ସାହି ବୁଲା ପରମ୍ପରାକୁ ଚଳଚ୍ଚିତ୍ର ମାଧ୍ୟମରେ ଆଶୁତୋଷ ପଟ୍ଟନାୟକ ବେଶ୍ ସୁନ୍ଦର ଭାବେ ଉପସ୍ଥାପନା କରିପାରିଛନ୍ତି ।ତେବେ ଦୁଃଖର ବିଷୟ ଜାତୀୟ ସ୍ତରରେ ସମ୍ମାନିତ ଫିଲ୍ମ ଗୁଡିକ ବିଷୟରେ ଏବେବି ଅନେକ ଓଡିଆ ଅଜ୍ଞ । କାହାପାଖେ ପ୍ଲାଟଫର୍ମ ଥିଲେ ଦେଖିବାର ଇଚ୍ଛାଶକ୍ତି ଅଭାବ ତ ଇଚ୍ଛା ଥିଲେ ପ୍ଲାଟଫର୍ମର ଅଭାବ । ଗାଁ ଗହଳି ମହିଳାଙ୍କ ପାଇଁ ତ ଓଟିଟି ପ୍ଲାଟଫର୍ମ ଆକାଶର ଚାନ୍ଦ ପରି । ଏ ସବୁକୁ ନଜରରେ ରଖି ଯଦି ସ୍ବଳ୍ପ ତଥା ବିନା ମୂଲ୍ୟରେ ପୁଣିଥରେ ଟିଭିରେ ଏ ସବୁ ଫିଲ୍ମ ଦେଖିବାକୁ ମିଳନ୍ତା ତେବେ ଓଡିଆ ସିନେମା ଜଗତ ତାର ଦର୍ଶକ ଫେରି ପାଇବା ସହ ପୁଣିଥରେ ସଭିଏଁ ସାଉଁଟନ୍ତେ ପିଲାଦିନର ସେ ସ୍ବର୍ଣ୍ଣାଭ ସ୍ମୃତି ।ଭୁବନେଶ୍ବରୁ ଦେବସ୍ମିତା ରାଉତ ଓ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details