ମୁମ୍ବାଇ: ଛୋଟ ପରଦାର ପପୁଲାର ଶିଶୁ କଳାକାର ଶିବଲେଖ ସିଂ ମାତ୍ର 14 ବର୍ଷରେ ଦୁନିଆକୁ ଅଲବିଦା କହିଛନ୍ତି । ଅନେକ ହିନ୍ଦୀ ଧାରାବାହିକରେ କାମ କରିସାରିଥିବା ଶିବଲେଖ ଏକ କାର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ଅନ୍ୟପଟେ ତାଙ୍କ ପିତା, ମାତା ଓ ଫ୍ୟାମିଲି ଫ୍ରେଣ୍ଡଙ୍କୁ ଗୁତୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ରାୟପୁରର ଧାରସିୱା ସ୍ଥାନରେ ଶିବଲେଖଙ୍କ କାର ଏକ ଟ୍ରକ ସହ ଧକ୍କା ହେବାରୁ ଏପରି ଅଘଟଣ ଘଟିଛି ବୋଲି ଆରକ୍ଷୀ ଅଧିକ୍ଷକ ଆରଫି ଶେଖ ସୂଚନା ଦେଇଛନ୍ତି । ଶିବଲେଖଙ୍କ ମୃତ୍ୟୁରେ ଟେଲି ଜଗତରେ ଶୋକର ଛାୟା ଖେଳି ଯାଇଛି ।
କାର ଦୁର୍ଘଟଣାରେ ଶିଶୁ କଳାକାର ଶିବଲେଖଙ୍କ ମୃତ୍ୟୁ
ଟେଲି ଜଗତରେ ଖେଳି ଯାଇଛି ଦୁଃଖର ଛାୟା । କାର ଦୁର୍ଘଟଣାରେ ଛୋଟ ପରଦାର ନାମୀ କଳାକାର ଶିବଲେଖ ସିଂଙ୍କ ମୃତ୍ୟୁ ହୋଇଯାଇଛି ।
ଘଟଣାସ୍ଥଳରେ ଶିବଲେଖଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା' ଲେଖନା ଓ ପିତା ରବିନ୍ଦ୍ର ସିଂ ସହ ଫ୍ୟାମିଲି ଫ୍ରେଣ୍ଡଙ୍କ ପରିଚୟ ନବୀନ ସିଂ ରୂପେ ହୋଇଥିଲା । ଶିବଲେଖ ପରିବାର ସହ ଏକ ସାକ୍ଷାତକାରରେ ଯୋଗ ଦେବା ପାଇଁ ବିଲାସପୁରରୁ ରାୟପୁର ଅଭିମୁଖେ ଯାତ୍ରା କରୁଥିଲେ । ସେହି ସମୟରେ ତାଙ୍କ କାର ଟ୍ରକ ସହ ଧକ୍କା ହୋଇଥିଲା ବୋଲି ତାଙ୍କ ମା' ଲେଖନା ଗୁରୁତର ଅବସ୍ଥାରେ ପୋଲିସକୁ ବୟାନ ଦେଇଛନ୍ତି । ଦୁର୍ଘଟଣା ପରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଏହି ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଶିବଲେଖଙ୍କ ପରିବାର ଛତିଶଗଡ ବାସିନ୍ଦା । କିନ୍ତୁ ପୁଅର କ୍ୟାରିୟର ପାଇଁ ପୁରା ପରିବାର ପାଖାପାଖି 10 ବର୍ଷ ହେଲାଣି ମୁମ୍ବାଇରେ ରହିଆସୁଛନ୍ତି । ଶିବଲେଖ ଟିଭି ଧାରାବାହିକ 'ସଙ୍କଟମୋଚନ ହନୁମାନ', 'ଶଶୁରାଲ ସିମର କା'ରେ ଅଭିନୟ କରିସାରିଛନ୍ତି । ସେ ଅନେକ ଡାନ୍ସ ରିୟାଲିଟି ଶୋରେ ମଧ୍ୟ ଭାଗ ନେଇଥିଲେ ।