ମୁମ୍ବାଇ: ଆଜି ଶେଷ ହୋଇଯିବ 2020ର କଳାର ପ୍ରଭାବ । ସମସ୍ତେ ଉତ୍ସାହିତ ସହ 2021କୁ ସ୍ବାଗତ କରିବାକୁ ଅନାଇ ବସିଛନ୍ତି । 2020 ବର୍ଷ ପୁରା ବିଶ୍ବର କାମକୁ ଠପ୍ କରିଦେଇଥିଲା । ଏମିତି ପରିସ୍ଥିତିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି କଳା ଜଗତ । ଅନେକ ବଡ ବଡ କଳାକାରଙ୍କ ଫିଲ୍ମ ଏବର୍ଷ ସିନେମାହଲରେ ରିଲିଜ ହୋଇପାରିନାହିଁ । ଯାହାକୁ ନେଇ ନିରାଶ ଦର୍ଶକ । ଏହି କ୍ରମରେ ସାମିଲ ଅଛନ୍ତି ବଲିଉଡର ସୁପରଷ୍ଟାର ସଲମାନ ଖାନ, ଆମୀର ଖାନ, ଶାହରୁଖ ଖାନ, କ୍ୟାଟ୍ରିନା କୈଫ ଓ ରଣବୀର କପୁର ।
ତେବେ 2019ରେ ସଲମାନଙ୍କ ଦୁଇଟି ବଡ ଫିଲ୍ମ ‘ଭାରତ’ ଓ ‘ଦବଙ୍ଗ 3’ ରିଲିଜ ହୋଇଥିଲା । ହେଲେ 2020ରେ କୋରୋନା ଭାଇରସ ପାଇଁ ଫିକା ପଡିଛି ତାଙ୍କ ଯାଦୁ । କାରଣ ଏଥର ଫ୍ୟାନ୍ସ ତାଙ୍କ ଫିଲ୍ମ ବିନା ଇଦ ପାଳନ କରିଛନ୍ତି । କୋରୋନା ପାଇଁ ଦେଶରେ ଲକଡାଉନ ହୋଇଥିବାରୁ ତାଙ୍କ ଆଗାମୀ ଫିଲ୍ମ ‘ରାଧେ’ର ସୁଟିଂରେ ବିଳମ୍ବ ହୋଇଥିଲା । ତେଣୁ ଫିଲ୍ମ ଏବର୍ଷ ଇଦରେ ରିଲିଜ କରିପାରିନାହାଁନ୍ତି ଭାଇଜାନ । ସେପଟେ ଓଟିଟି ପ୍ଲାଟଫର୍ମରେ ମଧ୍ୟ ଫିଲ୍ମ ରିଲିଜ କରିବାକୁ ସେ ମନା କରିଦେଇଥିଲେ ।
ସେହିପରି ମିଷ୍ଟର ପରଫେକ୍ସିନଷ୍ଟ ଆମୀର ଖାନଙ୍କ ଫିଲ୍ମ ନା ସିନେମାହଲରେ ରିଲିଜ ହୋଇଛି ନା ଓଟିଟି ପ୍ଲାଟଫର୍ମରେ । ଏବର୍ଷ ମଧ୍ୟ ତାଙ୍କ ଯାଦୁ ଫିକା ପଡିଛି । ଶେଷଥର ତାଙ୍କ ଫିଲ୍ମ ଦୁଇବର୍ଷ ପୂର୍ବେ ତଥା 2018ରେ ‘ଠଗ୍ସ ଅଫ ହିନ୍ଦୁସ୍ଥାନ’ ରିଲିଜ ହୋଇଥିଲା । ତାଙ୍କ ଫିଲ୍ମ କ୍ୟାରିୟରରେ ଏହା ସବୁଠୁ ଲମ୍ବା ଅନ୍ତରାଳ । ଏବର୍ଷ କ୍ରିସମାସରେ ରିଲିଜ ହୋଇଥାଆନ୍ତା ତାଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଲାଲ ସିଂ ଚଡ୍ଡା’ । ହେଲେ ତାହା ମଧ୍ୟ ସମ୍ଭବ ହୋଇପାରନାହିଁ । ଫିଲ୍ମଟି ଆସନ୍ତା ବର୍ଷ ଡିସେମ୍ବରରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ । ଏତେ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନେଇ ନିରାଶ ଫ୍ୟାନ୍ସ ।