ନୂଆଦିଲ୍ଲୀ: ଫିଲ୍ମ 'ବଦଲା'ର ସଫଳତା ପାଇଁ ତାପସୀ ପନ୍ନୁଙ୍କ ଯାଦୁ ଏବେ ବକ୍ସ ଅଫିସରେ ମଧ୍ୟ ଦେଖିବାକୁ ମିଳୁଛି । ଯେଉଁଠାରେ ତାପସୀ 'ବଦଲା' ଫିଲ୍ମରେ ଅମିତାଭ ବଚ୍ଚନଙ୍କ ସହ ବକ୍ସ ଅଫିସରେ ଶାନଦାର ଆୟ କରିଥିଲେ । ଅନ୍ୟପଟେ ଏବେ ସେ ଭୂମି ପେଡନେକରଙ୍କ ସହ ମିଶି ପୁଣିଥରେ ଦର୍ଶକଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତି ଚଳାଇଛନ୍ତି ।
ଖୁବ୍ ଶୀଘ୍ର ଏହି ଯୋଡି ଫିଲ୍ମ 'ସାଣ୍ଡ କି ଆଂଖ'ରେ ନଜର ଆସିବେ । ଫିଲ୍ମରେ ପ୍ରଥମ ପୋଷ୍ଟର ମଙ୍ଗଳବାର ସାମ୍ନାକୁ ଆସିଥିଲା । ଏହାସହ ଦୁଇ ଅଭିନେତ୍ରୀଙ୍କ ଲୁକ୍ସ ଉପରରୁ ମଧ୍ୟ ପରଦା ଉଠିଛି । ଅନ୍ୟପଟେ ପୋଷ୍ଟର ମାଧ୍ୟମରେ ଫିଲ୍ମର ରିଲିଜ ତାରିଖ ଘୋଷଣା କରାଯାଇଛି ।
ପୋଷ୍ଟରରେ ଦୁଇଜଣଙ୍କ ଲୁକ ବୃଦ୍ଧା ମହିଳାଙ୍କ ପରି ଦେଖାଯାଇଛି । ଅନୁରାଗ କଶ୍ୟପଙ୍କ ଫିଲ୍ମ 'ସାଣ୍ଡ କି ଆଂଖ'ରେ ତାପସୀ ଓ ଭୂମିଙ୍କ ସହ 'ମୁକ୍କାବାଜ' ଫେମ ଅଭିନେତା ବିନୀତ ସିଂହ ମଧ୍ୟ ଦେଖାଯିବେ । ଏଯାବତ ବିନୀତଙ୍କ ରୋଲକୁ ନେଇ କୌଣସି ଖୁଲାସା ହୋଇନାହିଁ । ସେହିପରି ଫିଲ୍ମରେ ପ୍ରକାଶ ଝା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ନଜର ଆସିବେ ।
ପ୍ରକାଶ ଥାଉକି ଫିଲ୍ମଟି ଦୁଇ ବୃଦ୍ଧା ସୁଟର ମହିଳାଙ୍କ କାହାଣୀ ଉପରେ ଆଧାରିତ । ଦେଶର ସବୁଠାରୁ ବୃଦ୍ଧା ମହିଳା ଶାର୍ପସୁଟର ଚନ୍ଦ୍ରା ଏବଂ ପ୍ରକାଶୀ ତୋମରଙ୍କ କାହାଣୀ ଦେଖିବାକୁ ମିଳିବ ଫିଲ୍ମରେ । ଫିଲ୍ମରେ ପ୍ରଯୋଜନା ଦାୟିତ୍ବ ଅନୁରାଗ ଓ ନିଧୀ ପରମାର କରୁଥିବାବେଳେ ଏହାର ନିର୍ଦ୍ଦେଶନା ତୁଷାର ହୀରନାନ୍ଦାନୀ କରୁଛନ୍ତି । ପ୍ରଥମଥର ତାପସୀ ଓ ଭୂମି ଏକାଠି ଏହି ଫିଲ୍ମରେ ନଜର ଆସିବେ ।