ମୁମ୍ବାଇ: ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳା । ମାତ୍ର ୪୦ ବର୍ଷ ବୟସରେ ଆଖିବୁଜିଛନ୍ତି ସିଦ୍ଧାର୍ଥ । ହୃଦଘାତରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଲୋକପ୍ରିୟ ରିଆଲିଟି ସୋ 'ବିଗ୍ ବସ୍-୧୩'ର ବିଜେତା ହୋଇଥିଲେ ସିଦ୍ଧାର୍ଥ । ତେବେ ସିଦ୍ଧାର୍ଥଙ୍କ ଆକସ୍ମିକ ଦେହାନ୍ତ ସାରା କଳାକାର ଜଗତ ସମେତ ତାଙ୍କ ଫ୍ୟାନ୍ସଙ୍କୁ ବଡ ଝଟକା ଦେଇଛି ।
ସ୍ତବ୍ଧ କରି ଚାଲିଗଲେ ବିଗବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳା - ସିଦ୍ଧାର୍ଥ ଶୁକ୍ଳା
11:39 September 02
ଚାଲିଗଲେ ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳା
ସୂଚନା ଅନୁଯାୟୀ ଗତକାଲି(ବୁଧବାର) ରାତିରେ ସିଦ୍ଧାର୍ଥ ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ । ମାତ୍ର ଆଜି(ଗୁରୁବାର) ସକାଳେ ଆଉ ଉଠିନଥିଲେ । ଏହାପରେ ପରିବାର ଲୋକେ ପ୍ରାୟ ସାଢ଼େ ୯ଟା ରେ ମୁମ୍ବାଇର କୁପର ହସ୍ପିଟାଲକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ସିଦ୍ଧାର୍ଥଙ୍କୁ ମୃତ ଘୋଷଣା କରିବା ସହ ତାଙ୍କୁ ହୃଦ୍ଘାତ ହୋଇଥିବା ନେଇ ସୂଚନା ଦେଇଛନ୍ତି ।
ଟେଲିଭିଜନର ଜଣେ ଚର୍ଚ୍ଚିତ ଚେହେରା ଥିଲେ ସିଦ୍ଧାର୍ଥ । 'ବିଗ୍ ବସ୍' ସିଜିନ୍ ୧୩ର ହେବା ସହ ଅନେକ ଲୋକପ୍ରିୟ ରିଆଲିଟି ସୋ ଏବଂ ସିରିଏଲରେ କାମ କରିଥିଲେ । ବିଶେଷ କରି ବିଗ୍ ବସ୍ ଜିତିବା ପରେ ସିଦ୍ଧାର୍ଥଙ୍କ ଭାଗ୍ୟ ବଦଳି ଯାଇଥିଲା ଏବଂ ଏକ ଫେମସ୍ ବଲିଉଡ୍ ଷ୍ଟାରଙ୍କ ପରି ଲୋକପ୍ରିୟତା ଥିଲା ତାଙ୍କର । ସିଦ୍ଧାର୍ଥଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ମଧ୍ୟ କିଛି ପାଇନଥିଲେ । ଏତେ କମ୍ ବୟସରେ ହଠାତ୍ ଏମିତି ଚାଲିଯିବା ତାଙ୍କ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।
ସିଦ୍ଧାର୍ଥ ଜଣେ ମଡେଲ ଭାବରେ ଶୋବିଜ୍ ରେ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଟେଲିଭିଜନ୍ ଶୋ ‘ବାବୁଲ୍ କା ଆଙ୍ଗନ୍ ଛୁଟେ ନା’ ରେ ମୁଖ୍ୟ ଭୂମିକାରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ । ପରେ ସେ ‘ଜାନେ ପେହେଚାନେ ସେ ... ୟେ ଅଜନାବୀ’, ‘ଲଭ୍ ୟୁ ଜିନ୍ଦେଗୀ’ ଭଳି ଶୋ'ରେ ଦେଖାଦେଇଥିଲେ । କିନ୍ତୁ "ବାଲିକା ବଧୂ"ରେ ଅଭିନୟ ପରେ ଘରେଘରେ ପରିଚିତ ହୋଇଥିଲେ ସିଦ୍ଧାର୍ଥ । ସେ ‘ଝଲକ ଦିଖଲା ଜା 6’, ଖତରୋଁ କା ଖିଲାଡି-7, ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟ ଏବଂ ବିଗ୍ ବସ୍ 13 ସମେତ ଅନେକ ରିଆଲିଟି ସୋ ସହ ମ୍ୟୁଜିକ ଭିଡିଓରେ ବି କାମ କରି ୟୁଥ ସେନସେସନର ଟ୍ୟାଗ ହାତେଇଥିଲେ । 2014 ରେ, ସେ କରନ ଜୋହରଙ୍କ ଫିଲ୍ମ ହମ୍ପଟି ଶର୍ମା କି ଦୁଲହନିଆଁ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ