ମୁମ୍ବାଇ: ସତୁରି ଦଶକର ସବୁଠାରୁ ସୁନ୍ଦର ଏବଂ ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ନୀତୁ ସିଂ । ବୁଧବାର ଏହି ଅଭିନେତ୍ରୀ ନିଜର ଜନ୍ମଦିନ ପାଳନ କରିଛନ୍ତି । ତେବେ ଏଥର ନୀତୁ ସିଂଙ୍କ ଜନ୍ମଦିନରେ ତାଙ୍କ ଜୀବନ ସାଥୀ ଋଷି କପୁର ତାଙ୍କ ସହ ନାହାନ୍ତି । ତେବେ ଏହି ଯୋଡି ବଲିଉଡର ଏକ ସୁପରହିଟ୍ ଯୋଡି କହିଲେ ଭୁଲ ହେବ ନାହିଁ । ଆଜି ନିତୁଙ୍କ ଜନ୍ମଦିନରେ ତାଙ୍କ ଲଭ ଲାଇଫ୍ ସମ୍ପର୍କରେ ଆପଣଙ୍କୁ କିଛି ସୂଚନା ଦେବୁ ।
ନୀତୁ ସିଂ ତାଙ୍କ କ୍ୟାରିୟରରେ ଅନେକ ହିରୋଙ୍କ ସହ ହିଟ୍ ଫିଲ୍ମ ଦେଇଛନ୍ତି । ତେବେ ଋଷି କପୁରଙ୍କ ସହିତ ତାଙ୍କ କେମେଷ୍ଟ୍ରିକୁ ସବୁଠାରୁ ଅଧିକ ପସନ୍ଦ କରାଯାଇଥିଲା । ତେବେ ଏ ଦୁହିଁଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମ କାହାଣୀଠାରୁ କମ୍ ନୁହେଁ । ପରସ୍ପର ପ୍ରଥମେ ଆରକେ ଷ୍ଟୁଡିଓରେ ଭେଟିଥିଲେ । ଯେଉଁଠାରେ ଫିଲ୍ମ 'ବବି' ସୁଟିଂ ଚାଲିଥିଲା । କିନ୍ତୁ ଫିଲ୍ମ 'ଜାହରିଲା ଇନସାନ'ର ସେଟରେ ହିଁ ସେମାନେ ପରସ୍ପରକୁ ଜାଣିଥିଲେ ।
ଏକ ସାକ୍ଷାତକାରରେ ନୀତୁ ସିଂ କହିଥିଲେ, ମୁଁ ତାଙ୍କୁ ପ୍ରଥମ ଥର ଦେଖିବା ପରେ ମୋତେ ସେ ପସନ୍ଦ ଆସିନଥିଲେ । କିନ୍ତୁ ସେ ମୋ ସହିତ କଥାବାର୍ତ୍ତା କରିବା ଆରମ୍ଭ ରଖିଥିଲେ । ଆରମ୍ଭରୁ ହିଁ ମୁଁ ତାଙ୍କୁ ଗମ୍ଭୀର ସ୍ବଭାବର ବ୍ୟକ୍ତି ବୋଲି ଭାବୁଥିଲି ମାତ୍ର ପରବର୍ତ୍ତୀ ସମୟରେ ଆମର ବନ୍ଧୁତା ହୋଇଥିଲା । ସେ ଆହୁରି ମଧ୍ୟ କହିଥିଲେ ଯେ, ଋଷି ତାଙ୍କୁ ସବୁବେଳେ ପଚାରନ୍ତି ମୁଁ କାହିଁକି ଏତେ ଫିଲ୍ମ ସାଇନ୍ କରୁଛି, ମୋତେ ବିବାହ କରିବାକୁ କାହିଁକି ଇଚ୍ଛା ହେଉନି । ତେବେ ନୀତୁ ତାଙ୍କୁ ପ୍ରଶ୍ନ କରିଥିଲି ମୋତେ କିଏ ବିବାହ କରିବ ଆଉ ସେ ସଙ୍ଗେସଙ୍ଗେ ଉତ୍ତର ଦେଇଥିଲେ ମୁଁ । ଆଉ ଏହାପରେ ସେ ଦୁହେଁ ବିବାହ କରିଥିଲେ ।