ମୁମ୍ବାଇ: ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ନିଜର କମବ୍ୟାକ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’ର ପ୍ରମୋଶନରେ ଖୁବ୍ ବ୍ୟସ୍ତ । ଫିଲ୍ମରେ ସେ ଅଭିନେତା, ନିର୍ଦ୍ଦେଶକ ଫରହାନ ଅଖତରଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ । ଫିଲ୍ମ ପ୍ରମୋଶନରେ ପ୍ରିୟଙ୍କା ପରିବେଶକୁ ନେଇ ନିଜ ଚିନ୍ତା ପ୍ରକଟ କରିଥିଲେ । କିନ୍ତୁ ଜଣେ ଅଭିନେତ୍ରୀଙ୍କ ଭଉଣୀଙ୍କୁ ପିସିଙ୍କ ଏପରି କଥାବାର୍ତ୍ତା ଆଦୌ ପସନ୍ଦ ଆସିନଥିଲା । ଯାହାକୁ ନେଇ ସେ ପ୍ରିୟଙ୍କାଙ୍କ ଉପରେ ରାଗିଯାଇଛନ୍ତି ।
ଏହି ମହିଳା ଜଣକ ଆଉ କେହି ନୁହଁନ୍ତି ଏ ହେଲେ ବଲିଉଡର କୁଇନ କଙ୍ଗନା ରଣାୱତଙ୍କ ବଡ ଭଉଣୀ ରଙ୍ଗୋଲୀ ଚାନ୍ଦେଲ । କିଛି ଦିନ ହେବ ସୋସିଆଲ ମିଡିଆରେ ସ୍ବିଡେନର ‘ଜଳବାୟୁ ଯୋଦ୍ଧା’ ଭାବେ ପରିଚିତ ଗ୍ରେଟାଙ୍କ ‘ହାଓ ଡେୟାର ୟୁ’ ଟ୍ରେଣ୍ଡ କରୁଛି । 16 ବର୍ଷିୟ ଗ୍ରେଟା ଥନବର୍ଗ ଜଣେ ପରିବେଶବିତ । ଗ୍ରେଟା ନିକଟରେ ଜାତିସଂଘରେ ଏକ ଭାଷଣ ଦେଇଥିଲେ । ଯିଏ ନିଜ ଭାଷଣ ଜରିଆରେ ସମସ୍ତଙ୍କୁ ଖୁବ୍ ଆକର୍ଷିତ କରିଥିଲେ । ଗ୍ରେଟାଙ୍କ ଜଳବାୟୁ ପରିବର୍ତ୍ତନକୁ ନେଇ ବଡ ବଡ ନେତାଙ୍କୁ ‘HOW DARE YOU’ କହିବା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।