ମୁମ୍ବାଇ: ‘ହିନା’ ଫିଲ୍ମରେ କାମ କରିଥିବା ପାକିସ୍ତାନୀ ଅଭିନେତ୍ରୀ ଜେବା ବଖତିଆର ବଲିଉଡ ଅଭିନେତା ରାଜୀବ କପୁରଙ୍କ ଦେହାନ୍ତ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇପଡିଛନ୍ତି। ‘ହିନା’ ରାଜୀବଙ୍କ ଦ୍ବାରା ନିର୍ମିତ ହୋଇଥିଲା। ସେ ଜଣେ ଅଭିନେତା ତଥା ନିର୍ମାତା ଏବଂ ନିର୍ଦ୍ଦେଶକ ମଧ୍ୟ ଥିଲେ । ଗତ ମଙ୍ଗଳବାର ହୃଦଘାତରେ ତାଙ୍କ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ମନ କଥା କହିଛନ୍ତି ଜେବା ।
ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ମୁଁ ହଠାତ୍ ତାଙ୍କ ମୃତ୍ୟୁ ଖବର ଶୁଣି ଚକିଚ । ମୁଁ ବୁଝିପାରୁନି କଣ କହିବି । ମୁଁ ତାଙ୍କ ବଡ ଭାଇ ତଥା ଅଭିନେତା ରଣଧୀର କପୁରଙ୍କ ସମ୍ପର୍କରେ ଅଛି । ସେ ଗତ କିଛି ବର୍ଷରେ ଅନେକ ସମସ୍ୟା ଦେଇ ଗତି କରିସାରିଲେଣି । ସେ ପ୍ରଥମେ ନିଜ ମା'ଙ୍କୁ ହରାଇଥିଲେ ପରେ ଭାଇ ଋଷି କପୁରଙ୍କୁ । ଆଉ ଏବେ ସାନ ଭାଇଙ୍କୁ ହରାଇଛନ୍ତି । ରାଜୀବଙ୍କ ସହ ମୋର ଏତେ କଥାବାର୍ତ୍ତା ନଥିଲା । ହେଲେ ମୁଁ ରଣଧୀରଙ୍କ ଠୁ ସବୁ କିଛି ତାଙ୍କ ବିଷୟରେ ବୁଝୁଥିଲି । ଆଉ ସବୁବେଳେ ସେ କହୁଥିଲେ ରାଜୀବ ଠିକ୍ ଅଛନ୍ତି ।’