ନୂଆଦିଲ୍ଲୀ: 'ପିଏମ ନରେଦ୍ର ମୋଦି' ଙ୍କୁ ନେଇ କିଛି ଦିନ ହେବ ବିବାଦ ଦେଖିବାକୁ ମିଳୁଛି । ଫିଲ୍ମର ରିଲିଜ ବିରୋଧରେ ଦାଏର ହୋଇଥିବା ଯାଚିକାରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ଶୁକ୍ରବାର ପୂର୍ବରୁ ନିର୍ବାଚନ ଆୟୋଗ ଫିଲ୍ମଟି ଦେଖି ରିଲିଜ ଉପରେ ନିଷ୍ପତ୍ତି ନେବା ପାଇଁ କହଛନ୍ତି କୋର୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମକୁ ନିକଟରେ ବ୍ୟାନ କରିଥିଲେ ନିର୍ବାଚନ କମିଶନ । ନିର୍ବାଚନୀ ପ୍ରକ୍ରିୟା ଚାଲିଥିବା ଯାଏଁ ଏହାକୁ କୌଣସି ପ୍ରକାରେ ରିଲିଜ କରାଯିବ ନାହିଁ ବୋଲି ରୋକଠୋକ ଶୁଣାଇଥିଲେ ଇସିଆଇ । ତେବେ ଫିଲ୍ମର ରିଲିଜ ନେଇ ଏହାର ପ୍ରଯୋଜକ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ।
ନିର୍ବାଚନ କମିଶନଙ୍କ ହାତରେ ‘ମୋଦି ବାୟୋପିକ’ ର ଭାଗ୍ୟ - friday
'ପିଏମ ମୋଦି' ବାୟୋପିକ ରିଲିଜରେ ରୋକକୁ ନେଇ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଶୁକ୍ରବାର ପୂର୍ବରୁ ନିର୍ବାଚନ ଆୟୋଗ ଫିଲ୍ମ ଦେଖି ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ଅଦାଲତ ।
ମୁଖ୍ୟ ବିଚାରପଚିଙ୍କ ନେତୃତ୍ବାଧିନ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି । ସୂଚନାଯୋଗ୍ୟ, ପୋଲ ପ୍ୟାନେଲ ବୁଧବାର ମୋଦି ବାୟୋପିକ ଉପରେ ରୋକ ଲଗାଇଛନ୍ତି । କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ଭଳି ଚଳଚ୍ଚିତ୍ର ନିର୍ବାଚନୀ ସମୟରେ ପ୍ରଦର୍ଶିତ କରାଯିବ ନାହିଁ ବୋଲି ପ୍ୟାନେଲ ସିଧାସଳଖ କହିଥିଲେ । ଏପରିକି ସମସ୍ତ ଇଲେକ୍ଟ୍ରୋନିକ ମିଡିଆ ପାଇଁ ମଧ୍ୟ ଏନେଇ ଗାଇଡ଼ଲାଇନ ଜାରି କରିଛନ୍ତି ।
ପୂର୍ବରୁ କଂଗ୍ରେସର କିଛି କର୍ମକର୍ତ୍ତା ମଧ୍ୟ ଫିଲ୍ମ ଉପରେ ରୋକ ଲଗାଇବାକୁ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ପିଟିସନ ଫାଇଲ କରିଥିଲେ । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ କୋର୍ଟ ଏହି ମାମଲାକୁ ନିର୍ବାଚନ କମିଶନଙ୍କ ଉପରେ ନ୍ୟସ୍ତ କରିଥିଲେ । ସେନସର ବୋର୍ଡ ଦ୍ବାରା ଫିଲ୍ମଟିକୁ ପ୍ରମାଣ ପତ୍ର ମିଳିସାରିଥିଲେ ହେଁ ଏହାର ରିଲିଜ ଅଟକି ରହିଛି ।