ମୁମ୍ବାଇ:ବହୁ ପ୍ରତିକ୍ଷିତ ଫିଲ୍ମ 'ବ୍ରହ୍ମାସ୍ତ୍ର' ଫିଲ୍ମର ବିଳମ୍ବକୁ ନେଇ ମତ ପ୍ରକାଶ କଲେ ବଲିଉଡ଼ ନିର୍ଦ୍ଦେଶକ କରନ ଜୋହର । ଆଲିଆଙ୍କୁ ୨୧ ବର୍ଷ ବୟସ ହୋଇଥିବାବେଳେ ସେ ଏହି ଫିଲ୍ମକୁ ସାଇନ୍ କରିଥିଲେ । ବର୍ତ୍ତମାନ ତାଙ୍କୁ ୨୮ ବର୍ଷ ହୋଇଥିଲେ ମଧ୍ୟ ଫିଲ୍ମ ରିଲିଜ ହୋଇନି ବୋଲି ସେ କହିଛନ୍ତି ।
କରନଙ୍କ ବ୍ୟାନର ଧର୍ମା ପ୍ରଡକ୍ସନ ଏଥିରେ ସହ-ପ୍ରଯୋଜନା କରୁଥିବାବେଳେ ଏହି ଖୁଲାସା କରିଛନ୍ତି । ଏହାସହିତ ସେ ବ୍ରହ୍ମାସ୍ତ୍ରର ଟିମକୁ ପ୍ରଶଂସା କରିଛନ୍ତି । ଏଥିରେ କାମ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଫିଲ୍ମ ପାଇଁ ନିଜ ରକ୍ତ, ଝାଳ ଓ ଲୁହ ଲଗାଇଥିବା ସେ କହିଛନ୍ତି । ଗତ ୭ ବର୍ଷ ଧରି ଫିଲ୍ମଟି ନିର୍ମାଣ ହେଉଥିବାବେଳେ ଏହାକୁ ଦେଖିବା ପାଇଁ ଦର୍ଶକ ଚାହିଁ ବସିଛନ୍ତି । ଫିଲ୍ମର ନିର୍ଦ୍ଦେଶକ ଆୟନ ମୁଖାର୍ଜୀଙ୍କ ସହିତ ବଲିଉଡ଼ ଷ୍ଟାର ରଣବୀର କପୁର ଓ ଆଲିଆ ଭଟ୍ଟ ଫିଲ୍ମ ତିଆରିରେ ତାଙ୍କ ସହିତ ରହିଛନ୍ତି ବୋଲି ସେ କହିଛନ୍ତି ।
ଏକ ସାକ୍ଷାତକାରରେ କରନ କହିଛନ୍ତି ଯେ ରଣବୀର ଓ ଆଲିଆ ବିନା ପ୍ରଶ୍ନରେ ନିଜର ୭ ବର୍ଷ ଏହି ଫିଲ୍ମ ପାଇଁ ଦେଇଛନ୍ତି । ତାରିଖ ବଦଳିଛି, ସରକାର ମଧ୍ୟ ବଦଳିଛନ୍ତି । କିନ୍ତୁ ବ୍ରହ୍ମାସ୍ତ୍ରର ନିର୍ମାଣ କାର୍ଯ୍ୟ ଜାରି ରହିଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଆଲିଆ ବ୍ରହ୍ମାସ୍ତ୍ର ସହିତ ବଢିଛନ୍ତି । ସେ ୨୧ ବର୍ଷ ବୟସରେ ଏହି ଫିଲ୍ମକୁ ସାଇନ୍ କରିଥିବା ବେଳେ ଆଜି ତାଙ୍କୁ ୨୮ ବର୍ଷ ଚାଲିଛି । ଏବେ ସେ ଜଣେ ଭେଟେରାନ ଅଭିନେତ୍ରୀ ହୋଇପାରିଛନ୍ତି ।
ତେବେ ସୂଚନା ଥାଉ କି ଏହି ଫିଲ୍ମଟି Fox Star Studios, Dharma Productions, Prime Focus ଓ Starlight Pictures ଦ୍ବାରା ପ୍ରଯୋଜିତ ହେଉଥିବା ବେଳେ ଏଥିରେ ବିଗ ବି ଅମିତାଭ ବଚ୍ଚନଙ୍କ ସହିତ ମୌନି ରଏ ଓ ନାଗାର୍ଜୁନ ଅକ୍କିନେନି ମଧ୍ୟ ନଜର ଆସିବେ । ଫିଲ୍ମଟି ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲାମ ଓ କନ୍ନଡ ଭାଷାରେ ରିଲିଜ ହେବ ବୋଲି ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ