ମୁମ୍ବାଇ: ଭାରତର ପ୍ରଥମ କ୍ରିକେଟ ବିଶ୍ବକପ ଉପରେ ଆଧାରିତ ଫିଲ୍ମ '83'କୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳୁଛି । ଯାହାର ସୁଟିଂ ପାଇଁ ପ୍ରସ୍ତୁତ ହୋଇସାରିଲେଣି ଟିମ । ଇତିମଧ୍ୟରେ ଫିଲ୍ମକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଏବେ ଫିଲ୍ମରେ ଆଉ ଏକ ନୂଆ ଚେହେରା ସାମିଲହୋଇଛନ୍ତି । ଏହି ଚେହେରା ହେଲା କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ଝିଅ ଅମିୟା ଦେବ । ଅମିୟା ଫିଲ୍ମରେ ଆସିଷ୍ଟାଣ୍ଟ ଡାଇରେକ୍ଟର ରୂପେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଫିଲ୍ମ ସୁଟିଂ ସମୟରେ ନିର୍ଦ୍ଦେଶକ କବୀର ଖାନଙ୍କୁ ସାହାଯ୍ୟ କରିବେ ।
ରଣଭୀରଙ୍କୁ ଟ୍ରେନିଂ ଦେବେ କପିଲଙ୍କ ଝିଅ
1983 ଭାରତୀୟ କ୍ରିକେଟ ଟିମ ପ୍ରଥମଥର ଜିତିଥିବା ବିଶ୍ବକପ ଉପରେ ଆଧାରିତ ଫିଲ୍ମ '83'କୁ ନେଇ ଚାଲିଛି ଚର୍ଚ୍ଚା । ଏହି ଫିଲ୍ମ ଜରିଆରେ କ୍ରିକେଟର କପିଲ ଦେବଙ୍କ ଝିଅ ଅମିୟା ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି । କିନ୍ତୁ ସେ ଅଭିନେତ୍ରୀ ରୁପେ ନୁହେଁ ନିର୍ଦ୍ଦେଶିକା ରୁପେ ଡେବ୍ୟୁ କରିବେ ।
ପ୍ରକାଶ ଥାଉକି '83'ରେ କପିଲଙ୍କ ଚରିତ୍ରରେ ନଜର ଆସିବେ ବି-ଟାଉନର ପାୱାରଫୁଲ ଅଭିନେତା ରଣଭୀର ସିଂହ । ଫିଲ୍ମର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଫିଲ୍ମକୁ ଶାନଦାର କରିବା ପାଇଁ ଝିଅ ବ୍ୟତୀତ ପିତା କପିଲ ମଧ୍ୟ ରଣଭୀରଙ୍କୁ ନିଜେ ଟ୍ରେନିଂ ଦେବେ । ଟିମ '83' ୟୁନିଟର ଟ୍ରେନିଂ ସିଡ୍ୟୁଲ ଧର୍ମଶାଳାରେ ହେବ । ଏହାପରେ ଟିମ ସ୍କଟଲ୍ୟାଣ୍ଡ ଏବଂ ଲଣ୍ଡନରେ ମେ ମାସରେ ସୁଟିଂ ଆରମ୍ଭ କରିବେ ।
ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲରେ ରିଲିଜ ହେବାର ନିଷ୍ପତ୍ତି ନିଆଯାଇଛି । ଖାଲି ଏତିକି ନୁହେଁ ଏହି ଫିଲ୍ମରେ 1983ରେ ଭାରତୀୟ କ୍ରିକେଟ ଟିମର ଖେଳାଳୀ ରୋଲରେ ସନ୍ଦୀପ ପଟେଲଙ୍କ ପୁଅ ଚିରାଗ ଏବଂ ଶ୍ରୀକାନ୍ତଙ୍କ ରୋଲରେ ତାମିଲ ଷ୍ଟାର ଜୀଭା ମଧ୍ୟ ନଜର ଆସିବେ । ଫିଲ୍ମର ପ୍ରଯୋଜନା ବିଷ୍ଣୁ ଇନ୍ଦୁରୀ କରୁଛନ୍ତି ।