ମୁମ୍ବାଇ:ଆଜି ଲୋକପ୍ରିୟ ଅଭିନେତା ଡାଇଲଗ ରାଇଟର, କମେଡିଆନ କାଦର ଖାନଙ୍କ ଜନ୍ମଦିନ । ୨୨ ଅକ୍ଟୋବର ୧୯୩୭ରେ ଆଫଗାନିସ୍ତାନର କାବୁଲରେ ଜନ୍ମ ନେଇଥିଲେ କାଦର । ତାଙ୍କର ଉଚ୍ଚକୋଟୀର ଅଭିନୟ ପାଇଁ ସେ ଲୋକଙ୍କ ହୃହୟରେ ରାଜ କରିଛନ୍ତି ।
ସେ ପାଖାପାଖି ୩୦୦ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ୨୫୦ ଫିଲ୍ମରେ ଡାଇଲଗ ଲେଖିଛନ୍ତି । କାଦର ଖାନ ତାଙ୍କ ପିତାମାତଙ୍କର ଚତୁର୍ଥ ସନ୍ତାନ । କାଦର ଖାନଙ୍କ ସବୁ ଭାଇ ଭଉଣୀଙ୍କର ମାତ୍ର ୮ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ଏହାପରେ କାବୁଲ ତାଙ୍କ ପାଇଁ ଭଲ ସ୍ଥାନ ନୁହେଁ ବୋଲି ପିତାମାତା ଅନୁଭବ କରିଥିଲେ। ତେଣୁ ସେମାନେ ଭାରତ ଆସିଥିଲେ । ମୁମ୍ବାଇର କମିତାପୁରାରେ ରହିଥିଲେ କାଦରଙ୍କ ପରିବାର। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା ।
ଏହି ସମସ୍ୟାର ସମାଧାନ ପାଇଁ ପଡୋଶୀ ପିଲାଙ୍କ ସହିତ ମିଶି ଟଙ୍କା ରୋଜଗାର କରିବାକୁ ଚାହିଁଥିଲେ । ହେଲେ ତାଙ୍କ ମାଆ ତାଙ୍କୁ ଅଟକାଇଥିଲେ । ବଡ ଲୋକ ହେବାକୁ ହେଲେ ଧ୍ୟାନ ଦେଇ ପାଠପଢିବାକୁ କହିଥିଲେ ତାଙ୍କ ମାଆ । ଆଉ ମାଆଙ୍କ କଥା ମାନିଥିଲେ କାଦର । କଠିନ ପରିଶ୍ରମ କରିଥିଲେ । ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଥିଲେ । ପାଠପଢା ସହିତ ସେ ନାଟକର କାହାଣୀ ଲେଖୁଥିଲେ । ପାଠପଢା ଶେଷ ହେବା ପରେ ସେହି କଲେଜରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ହେଲେ ସେ ନାଟକର କାହାଣୀ ଲେଖିବା ଛାଡି ନଥିଲେ ।