ଓଡିଶା

odisha

ETV Bharat / sitara

87 ବର୍ଷରେ ଇଣ୍ଡିପପ୍‌ ସଙ୍ଗୀତର ଯୁଗସ୍ରଷ୍ଟା ଆଶା ଭୋସଲେ

ସିନେମା ଜଗତରେ ସେ ସଭିଙ୍କ ପ୍ରିୟ ଆଶା ତାଇ । ପ୍ରାୟ 70 ବର୍ଷର ନିଜର ସଙ୍ଗୀତ କ୍ୟାରିଅରରେ ସେ ଗାଇଛନ୍ତି ହଜାର ହଜାର ସଙ୍ଗୀତ । ଅଧିକ ପଢନ୍ତୁ...

By

Published : Sep 8, 2020, 5:02 PM IST

Asha Bhosle, Asha bhosle birthday, asha bhosle latest news, entertainment news, ଆଶା ଭୋସଲେ, ଆଶା ଭୋସଲେ ଜନ୍ମଦିନ, ଆଶା ଭୋସଲେ ଲାଟେଷ୍ଟ ନ୍ୟୁଜ୍‌, ମନୋରଞ୍ଜନ ଖବର
87 ବର୍ଷରେ ଇଣ୍ଡିପପ୍‌ ସଙ୍ଗୀତର ଯୁଗସ୍ରଷ୍ଟା ଆଶା ଭୋସଲେ

ମୁମ୍ବାଇ: ହିନ୍ଦୀ ସିନେମା ଜଗତରେ ଇଣ୍ଡିପପ୍‌ ବା ଜାଜ୍‌ ସଙ୍ଗୀତ କଥା କହିଲେ ମନକୁ ଭାସି ଆସେ ଗୋଟିଏ କଣ୍ଠ । ଯାହାଙ୍କ ସ୍ବରରେ ସଙ୍ଗୀତକୁ ମିଳିଥିଲା ଏକ ନୂତନ ପରିଚୟ । ଏକ ଏପରି କଣ୍ଠ ଯାହା ଅଗଣିତ ଶ୍ରୋତାଙ୍କ ମନକୁ କିଣିବାରେ ସକ୍ଷମ । କେବଳ ସେତିକି ନୁହେଁ, ଭାରତୀୟ ସଙ୍ଗୀତ ଜଗତରେ ଏକ ନୂଆ ଯୁଗର ସେ କରିଥିଲେ ଶିଳାନ୍ୟାସ। ଆଧୁନିକ ସମୟରେ ସଙ୍ଗୀତର ବିଭିନ୍ନ ପ୍ରକାରଭେଦ ଟ୍ରେଣ୍ଡ କରୁଥିବା ବେଳେ 60 ଓ 70 ଦଶକରେ ଚାଲିଥିଲା କେବଳ ଗୋଟିଏ ଟ୍ରେଣ୍ଡ । ଯାହାକ କାୟା ପଲଟ କରିଥିଲେ କଣ୍ଠଶିଳ୍ପୀ ଆଶା ଭୋସଲେ । ପ୍ରାୟ 70 ବର୍ଷର ନିଜର ସଙ୍ଗୀତ କ୍ୟାରିଅରରେ ସେ ଗାଇଛନ୍ତି ହଜାର ହଜାର ସଙ୍ଗୀତ । ଯାହା ଢେର ପୁରୁଣା ହୋଇଯାଇଥିଲେ ସୁଦ୍ଧା ଆଜି ବି ଶ୍ରୋତାଙ୍କ ପ୍ରିୟ ସଙ୍ଗୀତ ତାଲିକାରେ ସାମିଲ ।

87 ବର୍ଷରେ ଇଣ୍ଡିପପ୍‌ ସଙ୍ଗୀତର ଯୁଗସ୍ରଷ୍ଟା ଆଶା ଭୋସଲେ

ସିନେମା ଜଗତରେ ସେ ସଭିଙ୍କ ପ୍ରିୟ ଆଶା ତାଇ । 1933 ମସିହାରେ ଜନ୍ମ ଗ୍ରହଣ କରିଥିବା ଆଶା ଆଜି 87 ବର୍ଷ ବୟସରେ ପାଦ ଥାପିଛନ୍ତି । ଜଣେ ସଫଳ ପ୍ରଚ୍ଛଦପଟ ଗାୟିକା ଓ ଉଦ୍ୟୋଗୀ ଭାବେ ପରିଚୟ ହାସଲ କରିଥିବା ଆଶା କିନ୍ତୁ ମୁଖ୍ୟତଃ ନିଜ ସଙ୍ଗୀତ ପାଇଁ ଲୋକଙ୍କ ପାଖରେ ଆଦୃତି ହାସଲ କରିଛନ୍ତି । ହିନ୍ଦୀ ସିନେମା ବ୍ୟତୀତ ସେ ଅନେକ ଆଲବମରେ ମଧ୍ୟ କଣ୍ଠଦାନ କରିଛନ୍ତି । ତେବେ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ତାଙ୍କର ରହିଛି ସ୍ବତନ୍ତ୍ର ପରିଚୟ ।

1943 ମସିହାରେ ଯାତ୍ରା ଆରମ୍ଭ କରିଥିବା ଆଶା 2006 ମସିହାରେ କହିଥିଲେ କି ସେ ସମୟ ସୁଦ୍ଧା ସେ 12 ହଜାର ସଙ୍ଗୀତ ପାଇଁ କଣ୍ଠଦାନ କରିସାରିଛନ୍ତି । ଆଉ ଆଜିକା ତାରିଖରେ ଏହି ସଂଖ୍ୟା ଯେ କେଉଁ ନୂଆ ମାଇଲଖୁଣ୍ଟରେ ପହଞ୍ଚି ସାରିଥିବ, ତାହା ଆମର କଳ୍ପନା ବାହାରେ । ସର୍ବାଧିକ ସୋଲୋ ସଙ୍ଗୀତ ବା ବ୍ୟକ୍ତିଗତ ସଙ୍ଗୀତ ପାଇଁ ରେକର୍ଡିଂ କରିଥିବାରୁ 2011 ମସିହାରେ ତାଙ୍କ ନାମ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନିତ ହୋଇଥିଲା । ଏହା ବ୍ୟତୀତ ସଙ୍ଗୀତ ଜଗତରେ ତାଙ୍କର ନିଷ୍ଠାପର ସାଧନା ପାଇଁ ଭାରତ ସରକାରଙ୍କ ଦ୍ବାରା 2000 ମସିହାରେ ତାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ଓ 2008 ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ଏକାଧାରରେ ସେ ଜଣେ ସିନେମା, ପପ୍‌, ଗଜଲ, ଭଜନ, ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ, କୱାଲି, ଲୋକ ସଙ୍ଗୀତ ଓ ରବିନ୍ଦ୍ର ସଙ୍ଗୀତଜ୍ଞ । ନିଜ ଜୀବନ କାଳରେ ସେ ପ୍ରାୟ 20ରୁ ଉର୍ଦ୍ଧ୍ବ ଭାଷାରେ ଅତି ନିଖୁଣ ଭାବେ କଣ୍ଠଦାନ କରିଛନ୍ତି । ସଙ୍ଗୀତ ବ୍ୟତୀତ ସେ ଅଭିନୟରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିଥିଲେ । 2013 ମସିହାରେ ‘ମାଇ’ ଚଳଚ୍ଚିତ୍ରରେ ସେ ମା’ ଭୂମିକାରେ ପଦାର୍ପଣ କରିଥିଲେ । ହେଲେ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ନେଇ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା ।

ତେବେ 87ତମ ଜନ୍ମଦିନରେ ଆସନ୍ତୁ ମନେ ପକାଇବା ଆଶା ତାଇଙ୍କର କିଛି ଅଭୁଲା ଓ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିବା ସଙ୍ଗୀତ ଓ ଏହା ପଛର କିଛି କାହାଣୀ:

- ଚୁରା ଲିୟା ହୈ ତୁମନେ:

ଆଶା ଭୋସଲେଙ୍କ ସବୁଠାରୁ ଚର୍ଚ୍ଚିତ ଓ ଲୋକପ୍ରିୟ ସଙ୍ଗୀତ ମଧ୍ୟରେ ଏହା ଅନ୍ୟତମ । ‘ୟାଦୋଁ କି ବାରାତ’ ଚଳଚ୍ଚିତ୍ରର ଏହି ଗୀତରେ ଧର୍ମେନ୍ଦ୍ର, ଜୀନତ ଅମାନ, ତାରିକ ଖାନ ଓ ନୀତୁ ସିଂ ରହିଥିଲେ । ଗୀତଟିକୁ ଆର. ଡି. ବର୍ମନ ସଂଯୋଜନା କରିଥିବା ବେଳେ ଏଥିରେ ସ୍ବରର ଯାଦୁ ଚଳାଇଥିଲେ ଆଶା ଓ ମହମ୍ମଦ ରଫି ।

- ପିୟା ତୁ ଅବ ତୋ ଆଜା:

ଯେତେ ନୂଆ ଗୀତ ଆସୁ କି ଯେତେ ନୂଆ ସିଙ୍ଗର ଆସନ୍ତୁ, ଏହି ଗୀତର କ୍ରେଜ ଆଜିବି ଲୋକଙ୍କୁ ମତୁଆଲା କରେ । କାରଭାଁ ଚଳଚ୍ଚିତ୍ରର ଏହି ଗୀତରେ ନଜର ଆସିଥିଲେ କ୍ୟାବେରେ କ୍ବିନ ହେଲେନ । କୁହାଯାଏ କି ହେଲେନଙ୍କୁ ଯଦି କେହି ସଫଳତାର ଶୀର୍ଷକୁ ପହଞ୍ଚାଇଛି ତେବେ ସେ ହେଉଛି ଆଶାଙ୍କ ମନଛୁଆଁ କଣ୍ଠ ଓ ସଙ୍ଗୀତର ଯାଦୁ । ଯାହା ହେଲେନଙ୍କ ନୃତ୍ୟକୁ ଅଧିକ ପ୍ରସ୍ଫୁଟିତ କରିଥିଲା ।

- ଇନ୍‌ତେହାଁ ହୋ ଗୟୀ:

1984ର ଶରାବୀ ଚଳଚ୍ଚିତ୍ରରେ ରହିଛି ଆଶା ଭୋସଲେଙ୍କର ଅନ୍ୟତମ ବେଷ୍ଟ ଡୁଏଟ । କିଶୋର କୁମାର ଏଥିରେ ଆଶାଙ୍କ ସହ ସ୍ବର ସଜାଇଥିବା ବେଳେ ଏହି ସଙ୍ଗୀତ ଆଜି ବି ନିଜ ଲୋକପ୍ରିୟତା ବଜାୟ ରଖିଛି ।

- ୟେ ମେରା ଦିଲ:

ଏହି ଗୀତଟିକୁ ଶୁଣିଲେ ଯେ କେହି ବି ଗୀତ ସହ ତାଳ ଦେଇ ଏହାର ମଜା ଉଠାଇ ପାରିବ । 1978 ମସିହାର ‘ଡନ’ ଚଳଚ୍ଚିତ୍ରର ଏହି ଭିନ୍ନ ସ୍ବାଦର ଗୀତ ଶୁଣିଲେ ଯେ କେହି ବି ନିୟନ୍ତ୍ରଣ ହରାଇ ଗୀତକୁ ଗୁଣୁ ଗୁଣୁ ହେବା ସହ ଏଥିରେ ନାଚିବାକୁ ବାଧ୍ୟ ହୁଏ ।

- ଦିଲ ଚିଜ୍‌ କ୍ୟା ହେ:

ବଲିଉଡର ଅନ୍ୟତମ ଆଇକନିକ ସଙ୍ଗୀତ ଯାହାକୁ ନିଜ ଅଦାକାରୀରେ ସଜାଇ ଲୋକଙ୍କ ନିକଟତର କରିଥିଲେ ଅଭିନେତ୍ରୀ ରେଖା । ଆଶାଙ୍କ କଣ୍ଠର ପରିପକ୍ବତା ଓ ରେଖାଙ୍କ ଚିତ୍ତାକର୍ଷକ ନୃତ୍ୟର ଯୁଗଳବନ୍ଦୀ ଏହି ଗୀତଟିକୁ ଆକାଶଛୁଆଁ ସଫଳତା ଆଣି ଦେଇଥିଲା । 1981 ମସିହାର ଉମରାଓ ଜାନ ଚଳଚ୍ଚିତ୍ରର ଏହି ଗୀତ ପାଇଁ ସେହି ବର୍ଷ ଜାତୀୟ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ଫର୍‌ ପ୍ଲେ ବ୍ୟାକ ସିଙ୍ଗର ଭାବେ ସେ ପୁରସ୍କୃତ ହୋଇଥିଲେ ।

- ଦୋ ଲଫଜୋଁ କି ହେ:

ଦି ଗ୍ରେଟ ଗ୍ୟାମ୍ବଲର ଚଳଚ୍ଚିତ୍ରର ନଦୀ ତଟରେ ନୌକାରେ ବସି ଜୀନତ ଅମାନଙ୍କ ସେହି ଗୀତକୁ କିଏ ବା ଭୁଲିପାରେ । ଶାନ୍ତ, ସ୍ଥିର ଓ ଗଭୀର ଭାବପୂର୍ଣ୍ଣ ଏହି ଗୀତଟି ଭେନିସରେ ସୁଟିଂ ହୋଇଥିବା ବେଳେ ଏହା ଆଶାଙ୍କ ପାରଦର୍ଶିତାକୁ ଖୁବ ସ୍ପଷ୍ଟ ଜାହିର କରେ ।

- ଦମ ମାରୋ ଦମ:

1971ର ଚଳଚ୍ଚିତ୍ର ହରେ ରାମା ହରେ କ୍ରିଷ୍ଣାର ଏହି ଗୀତ ସେ ସମୟର ସେନସେସନ ପାଲଟିଥିଲା କହିଲେ କିଛି ଭୁଲ ହେବ ନାହିଁ । ଆନନ୍ଦ ବକ୍ସିଙ୍କ ଶବ୍ଦ ସଂଯୋଜନା ସହ ରାହୁଲ ଦେବ ବର୍ମନଙ୍କ ନିର୍ଦ୍ଦେଶନାରେ ଆଶା ଭୋସଲେ ଏହି ଗୀତ ପାଇଁ ପାଇଥିଲେ ଫିଲ୍ମଫେୟାର ବେଷ୍ଟ ଫିମେଲ ପ୍ଲେବ୍ୟାକ ସିଙ୍ଗର ଆୱାର୍ଡ । ତେବେ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ କି ଏହି ଗୀତ ଏବେ ବି ପାର୍ଟି ଓ ପବ୍‌ର ଆକର୍ଷଣର କେନ୍ଦ୍ର ବିନ୍ଦୁ ।

- ଏକ ମେଁ ଔର ଏକ ତୁ:

ଆରଡି ବର୍ମନଙ୍କ ନିର୍ଦ୍ଦେଶନା ଓ ଗୁଲଶନ ବୱରାଙ୍କ ଶବ୍ଦ ସଂଯୋଜନାରେ ପ୍ରସ୍ତୁତ ଏହି ଗୀତଟିରେ ଫୁଟ ଟ୍ୟାପିଂ ଡ୍ୟାନ୍ସ ଖୁବ ଲୋକପ୍ରିୟତା ହାସଲ କରିଥିଲା । ସେଥିରେ ପୁଣି ଆଶାଙ୍କ କଣ୍ଠର ହରକତ ଓ ଚୁଲିବୁଲି ଅନ୍ଦାଜ ଗୀତଟିକୁ ଅଧିକ ଜୀବନ୍ତ କରିଥିଲା । 1975 ମସିହାର ହିଟ ଚଳଚ୍ଚିତ୍ର ଖେଲ ଖେଲ ମେଁରେ ସ୍ଥାନୀତ ଥିଲା ଏହି ସୁପର ହିଟ୍‌ ଗୀତ ।

- ମୁଝେ ରଙ୍ଗ ଦେ:

କେବଳ ଯେ 70 ଓ 80 ଦଶକରେ ଆଶା ନିଜ ଦବଦବା ବଜାୟ ରଖିଥିଲେ ତାହା ନୁହେଁ । ବିଂଶ ଦଶକରେ ମଧ୍ୟ ଜାରି ରହିଥିଲା ତାଙ୍କ ସଫଳତାର ଯାତ୍ରା । ବିଂଶ ଦଶକର ଲେଜେଣ୍ଡ ଏ ଆର୍‌ ରେହମାନର କମ୍ପୋଜିଶନରେ ଆଶାଙ୍କ ସ୍ବରର ଯୁଗଳବନ୍ଦୀରେ ଆସିଥିଲା ଥକସକ ଚଳଚ୍ଚିତ୍ରର ମୁଝେ ରଙ୍ଗ ଦେ ଗୀତ । ଏହା ଏତେ ଲୋକପ୍ରିୟତା ହାସଲ କରିଥିଲା କି ଏହାକୁ ହଲିଉଡ ଚଳଚ୍ଚିତ୍ର ଆକ୍ସିଡେଣ୍ଟାଲ ହଜବ୍ୟାଣ୍ଡରେ ମଧ୍ୟ ସ୍ଥାନୀତ କରାଯାଇଥିଲା ।

ପ୍ରାୟ 70 ବର୍ଷର ଆଶାଙ୍କ ସଫଳତାର ଯାତ୍ରା ସତରେ ବେଶ ପ୍ରଶଂସନୀୟ । ସେ ଗାଇଥିବା ଏମିତି କୌଣସି ଗୀତ ନାହିଁ ଯାହାକୁ ଶ୍ରୋତା ନିଜ ପସନ୍ଦ ତାଲିକାରେ ବାଦ ଦେଇଦେବେ । ସେ ଭାବନାର ପ୍ରକାଶ ହେଉ କି ସ୍ବରରେ ଆଧୁନିକତାର ଛାପ, ବେଦନା ହେଉ କି ରହସ୍ୟର ଗମ୍ଭୀରତା । ପ୍ରତିଟି କ୍ଷେତ୍ରରେ ନିଜର ପାରଦର୍ଶୀତା ଦେଖାପାରିଛନ୍ତି ସଭିଙ୍କ ପ୍ରିୟ ଆଶା ତାଇ । ଆଜି ତାଙ୍କର 87ତମ ଜନ୍ମଦିନରେ ତାଙ୍କର ଭଲ ସ୍ବାସ୍ଥ୍ୟ କାମନା ସହ ଇଟିଭି ଭାରତ ପରିବାରର ଢେର ସାରା ଶୁଭେଚ୍ଛା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details