ମୁମ୍ବାଇ: ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କଣ୍ଟ୍ରୋଭର୍ସି କୁଇନ କଙ୍ଗନା। ନିଡର ଓ ମୁହଁ ତୋଡ ଜବାବ ପାଇଁ ଅନେକ ସମୟରେ ହଟହଟା ହୋଇଥାନ୍ତି ବଲିଉଡର ଏହି ଅଭିନେତ୍ରୀ। ତେବେ ଗତ କିଛି ମାସ ଧରି ସୁଶାନ୍ତଙ୍କ ମୃତ୍ୟୁ ମାମଲା ସହ ସକ୍ରିୟ ଭାବେ ଜଡିତ ରହି କଙ୍ଗନା ବଲିଉଡର ମୁଭି ମାଫିଆଙ୍କୁ ଟାର୍ଗେଟ କରିଚାଲିଛନ୍ତି। ବର୍ତ୍ତମାନ ସମୟରେ କଙ୍ଗନା ଏପରି ଦୁଃସାହାସିକ କାର୍ଯ୍ୟ ପାଇଁ କିଛି ତାଙ୍କୁ ପସନ୍ଦ କରୁଥିବା ବେଳେ ଆଉ କେତେ ଜଣ ଘୃଣା କରୁଛନ୍ତି।
ତେବେ ସିନେମାଟୋଗ୍ରାଫର ପିସି ଶ୍ରୀରାମ ମଙ୍ଗଳବାର ପ୍ରକାଶ କରିଛନ୍ତି ଯେ ସେ ଏକ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ କଙ୍ଗନା ରଣାୱତ ଅଛନ୍ତି। "ଏହି ଚଳଚ୍ଚିତ୍ରକୁ ପ୍ରତ୍ୟାଖ୍ୟାନ କରିବାକୁ ପଡିଲା କାରଣ ଏଥିରେ କଙ୍ଗନା ରଣାୱତ ମୁଖ୍ୟ ଭୂମିକାରେ ଅଛନ୍ତି। ଗଭୀରତାରେ ମୁଁ ଅସହଜ ଅନୁଭବ କଲି ଏବଂ ନିର୍ମାତାମାନଙ୍କୁ ମୋର କଥା ବୁଝାଇବାକୁ ଚେଷ୍ଟା କଲି। ଅନେକ ସମୟରେ ଠିକ୍ ଲାଗୁଥିବା କାର୍ଯ୍ୟ କରିବା ଉଚିତ୍। ତେଣୁ ମୋର ତରଫରୁ ତାଙ୍କୁ ଶୁଭେଚ୍ଛା ଜଣାଉଛି" ବୋଲି ସେ ଟ୍ବିଟ କରିଛନ୍ତି।