ହାଇଦ୍ରାବାଦ:ବର୍ତ୍ତମାନ ଆଫଗାନିସ୍ତାନର ପରିସ୍ଥିତି ଦେଖି ଅତୀତର ପୃଷ୍ଠାକୁ ଲେଉଟାଇଛନ୍ତି ବଲିଉଡ଼ ଅଭିନେତ୍ରୀ ୱରିନା ହୁସେନ । ତାଲିବାନଙ୍କ ଭୟରେ ତାଙ୍କ ପରିବାର ଗତ ୨ ଦଶନ୍ଧି ପୂର୍ବରୁ ନିଜ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲା ବୋଲି ସେ କହିଛନ୍ତି । ତେବେ ବର୍ତ୍ତମାନ ଇତିହାସର ପୁନରାବୁତ୍ତି ଦେଖି ତାଙ୍କର ପୂର୍ବକଥା ମନେପଡ଼ିଯାଉଛି ବୋଲି କହିଛନ୍ତି ଏହି 'LOVEYATRI' ଅଭିନେତ୍ରୀ ।
ତାଲିବାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଏବେ ଆଫଗାନିସ୍ତାନରେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି, ଯାହାକୁ ୨୦ ବର୍ଷ ପୂର୍ବରୁ ଅଙ୍ଗେ ନିଭେଇ ସାରିଛନ୍ତି ଏହି ଅଭିନେତ୍ରୀ । ବର୍ତ୍ତମାନ ଅନେକ ପରିବାରକୁ ସେହି ସମାନ ସ୍ଥିତିରେ ୱରିନା ଦେଖୁଛନ୍ତି । ଏଭଳି ଦୃଶ୍ୟ ଦେଖି ସେ ଅତ୍ୟନ୍ତ ଦୁଃଖିତ ବୋଲି କହିଛନ୍ତି । ତେବେ ୱରିନା ଗତ ୨୦୧୮ ମସିହାରେ ସଲମାନ ଖାନଙ୍କ ଫିଲ୍ମ 'ଲଭୟାତ୍ରୀ'ରେ ବଲିଉଡ଼ରେ ଡେବ୍ୟୁ କରିଥିଲେ । ଏହାପରେ ସେ ଦବଙ୍ଗ-୩ରେ ମୁନ୍ନା ବଦନାମ ସଙ୍ଗୀତରେ ମଧ୍ୟ ନଜର ଆସିଥିଲେ ।
ତେବେ ବର୍ତ୍ତମାନ ଆଫଗାନିସ୍ତାନର ସ୍ଥିତି ଉପରେ ମନ୍ତବ୍ୟ ଦେବା ସମୟରେ ସେ ଅତୀତର ଏହି ଛାତିଥରା କାହାଣୀକୁ କହିଛନ୍ତି । ଆଫଗାନିସ୍ତାନରେ ଏହି ଯୁଦ୍ଧ ପାଇଁ ସେ ଓ ତାଙ୍କ ପରିବାର ବାଧ୍ୟ ହୋଇ ନିଜ ଦେଶକୁ ଛାଡ଼ିଥିଲେ । ଦେଶ ଛାଡ଼ି ସେ ନ୍ୟୁୟର୍କରେ ପାଠ ପଢୁଥିଲେ । ଛୁଟି ମିଳିଲେ ସେ ତାଙ୍କ ପରିବାର ସହିତ ଆଫଗାନିସ୍ତାନର ରାଜଧାନୀ କାବୁଲ ଯାଇ ଛୁଟି କାଟୁଥିଲେ । କିନ୍ତୁ ବର୍ତ୍ତମାନ ତାହା ଅସମ୍ଭବ ବୋଲି ସେ କହିଛନ୍ତି ।