ନୂଆଦିଲ୍ଲୀ:ଦିଲ୍ଲୀ ସରକାରଙ୍କ ପାଇଲଟ୍ ପ୍ରୋଜେକ୍ଟ 'ଦେଶ କେ ମେଣ୍ଟର୍ସ'ର ବ୍ରାଣ୍ଡ ଆମ୍ବାସାଡର ହେବେ ଅଭିନେତା ତଥା ସାମାଜିକ କର୍ମୀ ସୋନୁ ସୁଦ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି(ଶୁକ୍ରବାର) ସୋନୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଖୁବଶୀଘ୍ର ଦିଲ୍ଲୀ ସରକାର ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ଅଧୀନରେ ଶିକ୍ଷିତ ଲୋକମାନେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପରାମର୍ଶଦାତା ହୋଇ ସେମାନଙ୍କୁ ମାର୍ଗଦର୍ଶନ କରାଇବେ। ସୋନୁ ନିଜେ ମଧ୍ୟ ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକର ପିଲାମାନଙ୍କ ପରାମର୍ଶଦାତା ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସୋନୁଙ୍କ ସହ ଭେଟିବା ପରେ କେଜ୍ରିୱାଲ କହିଛନ୍ତି ଯେ ଯେତେବେଳେ ବି ଯେକୌଣସି ଲୋକ ଅସୁବିଧାରେ ପଡ଼ନ୍ତି, ସୋନୁ ସେମାନଙ୍କ ନିକଟରେ ପହଞ୍ଚନ୍ତି । ସରକାର ଯାହା କରିବାକୁ ଅସମର୍ଥ ତାହା ସୋନୁ କରୁଛନ୍ତି । ସେମାନେ କିପରି କାର୍ଯ୍ୟ କରୁଛନ୍ତି ତାହା ଉପରେ ଉଭୟ ଆଲୋଚନା କରିଥିଲେ । ଦିଲ୍ଲୀ ସରକାରଙ୍କ ପାଇଲଟ୍ ପ୍ରୋଜେକ୍ଟ 'ଦେଶ କେ ମେଣ୍ଟର୍ସ' ଉପରେ କାର୍ଯ୍ୟ ଚାଲିଥିଲା, ଯାହାକୁ ସେପ୍ଟେମ୍ବରରେ ଲଞ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପ୍ରୋଜେକ୍ଟର ବ୍ରାଣ୍ଡ ଆମ୍ବାସାଡ଼ର ହେବେ ସୋନୁ ।