ଓଡିଶା

odisha

By

Published : Dec 29, 2022, 8:41 PM IST

ETV Bharat / science-and-technology

Year Ender Mass Layoffs 2022: ଘାଇଲା କଲା ଛଟେଇ ଝଡ, ବଢିଲା ମାନସିକ ରୋଗ

ବର୍ଷ 2022 ରେ ଆର୍ଥିକ ସ୍ଥିତିର ସୁଧାର ଆସିଥିଲେ ମଧ୍ୟ ଶେଷ ଆଡକୁ କର୍ମଚାରୀଙ୍କ ଉପରେ ବୋହିଥିଲା ଛଟେଇର ଝଡ । ଚାକିରି ହରାଇଥିଲେ ହଜାର ହଜାର କର୍ମଚାରୀ । ତେବେ ଏବର୍ଷ ବୈଷୟିକ କ୍ଷେତ୍ରରେ କି କି ପରିବର୍ତ୍ତନ ଆସିଛି ଏବଂ କେଉଁ କେଉଁ ନାମି ଦାମି କମ୍ପାନୀ କର୍ମଚାରୀଙ୍କ ଛଟେଇ କରି ଖବରର ଶିରୋନାମା ପାଲଟିଛନ୍ତି ଜାଣନ୍ତୁ ଆମର ଏହି ବିଦାୟୀ ବର୍ଷର ସ୍ବତନ୍ତ୍ର ଉପସ୍ଥାପନାରେ (Year Ender Mass Layoffs 2022)...

Year Ender Mass Layoffs 2022
Year Ender Mass Layoffs 2022

ହାଇଦ୍ରାବାଦ:କୋରୋନାର କରାଳ ରୂପରେ ସ୍ବାସ୍ଥ୍ୟ, ଶିକ୍ଷା, ଆର୍ଥିକ ସ୍ଥିତି ବିଗିଡି ଯିବାର ଦୁଇ ବର୍ଷ ପରେ ଆରମ୍ଭ ହୁଏ ବର୍ଷ 2022 । କୋଭିଡ ଭିତରେ କିପରି ଜିଇଁବାକୁ ପଡେ ତାହା ଶିଖାଇ ଦିଏ ଏହି ବର୍ଷ । ଭାଙ୍ଗି ଯାଇଥିବା ଆର୍ଥିକ ମେରୁଦଣ୍ଡକୁ ସଳଖ କରିବାକୁ ଆଗେଇ ଆସନ୍ତି ବୈଷୟିକ କ୍ଷେତ୍ର ସାଙ୍ଗକୁ କର୍ମଚାରୀ । ଉଭୟ ମାଲିକ ଓ କର୍ମଚାରୀଙ୍କ ବୁଝାମଣାରେ କେଉଁଠି ୱାର୍କ ଫ୍ରମ୍ ହୋମ୍ ଚାଲେ ତ ଆଉ କେଉଁଠି କାର୍ଯ୍ୟକ୍ଷେତ୍ରକୁ ଆସି କାମ କରନ୍ତି କର୍ମଚାରୀ । ଏହାରି ଭିତରେ ଅଚାନକ୍ ଆସିଯାଏ ଛଟେଇ ଝଡ । କମ୍ପାନୀର ଲାଭ-କ୍ଷତି ମଧ୍ୟରେ ପେଶି ହୋଇଯାଆନ୍ତି ବିଚରା ଶ୍ରମିକ...

ଗୋଟିଏ କି ଦୁଇଟି କମ୍ପାନୀ ନୁହଁ ଏକାଧିକ ନାମି ଦାମି କମ୍ପାନୀ ଶତାଧିକ କର୍ମଚାରୀଙ୍କ ଛଟେଇ କରିଛି ବର୍ଷ 2022 ରେ । କେବଳ କର୍ମଚାରୀ କାହିଁକି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରେ ଥିବା ଅଧିକାରୀ ମଧ୍ୟ ଭୋଗିଥିଲେ ସମାନ ଅବସ୍ଥା । ଏହି ସମୟରେ ସରକାରୀ ଚାକିରି ଓ ବେସରକାରୀ ଚାକିରି ମଧ୍ୟରେ ଥିବା ତାରତମ୍ୟକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା ହୋଇଥିଲା । ତେବେ ଏବର୍ଷ ବୈଷୟିକ କ୍ଷେତ୍ରରେ କି କି ପରିବର୍ତ୍ତନ ଆସିଛି ଏବଂ କେଉଁ କେଉଁ ନାମି ଦାମି କମ୍ପାନୀ କର୍ମଚାରୀଙ୍କ ଛଟେଇ କରି ଖବରର ଶିରୋନାମା ପାଲଟିଛନ୍ତି ଜାଣନ୍ତୁ ଆମର ଏହି ବିଦାୟୀ ବର୍ଷର ସ୍ବତନ୍ତ୍ରଉପସ୍ଥାପନାରେ...

ଏଲନ ମସ୍କଙ୍କ ହାତକୁ ଗଲା ଟ୍ବିଟର:-

ବିଶ୍ବର ସବୁଠୁ ଲୋକପ୍ରିୟ ମାଇକ୍ରୋବ୍ଲଗିଂ ଆପ୍ ଟ୍ବିଟରର ବିକ୍ରିକୁ ନେଇ ବେଶ୍ ଚର୍ଚ୍ଚା ହୁଏ ବର୍ଷ 2022 ରେ । ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଶେଷରେ ଅକ୍ଟୋବର 28ରେ 44 ବିଲିୟନ ଡଲାରରେ ଟ୍ବିଟରକୁ ନିଜ ଅଧୀନକୁ ନେଇଯାଆନ୍ତି ତତ୍କାଳୀନ ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ ମସ୍କ(Elon Musk) । କମ୍ପାନୀକୁ କିଣିବା ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ନିମିଶକେ ଭାଙ୍ଗି ଦେଇଥିଲେ ମସ୍କ । ଟ୍ବିଟରର ମାଲିକ ହେଉ ହେଉ ପ୍ରଥମେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(CEO) ଦାୟିତ୍ବରେ ଥିବା ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ(Former Twitter CEO Parag Agrawal)ଙ୍କୁ ଚାକିରିରୁ ବିଦା କରିଥିଲେ । ଏହାପରେ କମ୍ପାନୀର ଚିଫ୍ ଫାଇନାନ୍‌ସିଆଲ ଅଫିସରଙ୍କ ଚାକିରି ଯାଇଥିଲା ।

ଏତିକିରେ ସରିନଥିଲା ମସ୍କଙ୍କ କମ୍ପାନୀ ବଦଳାଇବାର ତରିକା । ବିନା କୌଣସି ନୋଟିସରେ କାର୍ଯ୍ୟରୁ ପୁରା ଅଧାଭାଗ ପାଖାପାଖି ସାଢେ ତିନି ହଜାରରୁ ଅଧିକ କର୍ମଚାରୀଙ୍କୁ ବାହାର କରିଥିଲେ । ଏଥିରେ ଶତାଧିକ ଭାରତୀୟ ମଧ୍ୟ ସିଧାସଳଖ ପ୍ରଭାବିତ ହୋଇଥିଲେ ।

ଏହା ବି ପଢନ୍ତୁ:-Year Ender 2022: ପୃଥିବୀକୁ ବିପଦରୁ ବଞ୍ଚାଇଲା NASA, ଚନ୍ଦ୍ରମାରେ ସୋଡିୟମ ପାଇଲା ISRO

META କରିଥିଲା ଛଟେଇ(Layoffs in META):-

ଟ୍ବିଟର ପରେ ପରେ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌(ବର୍ତ୍ତମାନର ମେଟା) ଏକା ସାଙ୍ଗରେ 11 ହଜାର କର୍ମଚାରୀଙ୍କ ଛଟେଇ କରିଥିଲା । ସଂସ୍ଥା ଆର୍ଥିକ ସଂକଟ ଦେଇ ଗତି କରୁଥିବାରୁ ଛଟେଇ କରାଯାଇଥିବା କମ୍ପାନୀ ପକ୍ଷରୁ ଦର୍ଶାଯାଇ ଥିଲା ।

ଏହା ବି ପଢନ୍ତୁ:-YearEnder 2022: ଚିକିତ୍ସା କ୍ଷେତ୍ରରେ ଚମତ୍କାର, ଜଟିଳ ରୋଗର ସରଳ ଉପଚାର ଦିଗରେ ସଫଳ ଭାରତ

ଛଟେଇ କରିଲା Amazon(Layoffs in Amazon):-

ସେହିପରି ବିଶ୍ବର ଏକ ଅଗ୍ରଣୀ ଅନ୍‌ଲାଇନ୍ ସପିଂ ଆପ୍ ଛଟେଇକୁ ନେଇ ଚର୍ଚ୍ଚାରେ ଥିଲା ବର୍ଷ 2022 ରେ । ବର୍ଷ ବର୍ଷ ଧରି ସେଠାରେ କାମ କରୁଥିବା ଅନେକ ଅଧିକାରୀଙ୍କ ସମେତ କର୍ମଚାରୀ ହରାଇଥିଲେ ଚାକିରି । ରିପୋର୍ଟ ଅନୁସାରେ କମ୍ପାନୀ 10 ହଜାରରୁ ଅଧିକ କର୍ପୋରେଟ ଏବଂ ଟେକ୍ନୋଲୋଜି ବିଭାଗର କର୍ମଚାରୀଙ୍କ ଛଟେଇ କରିଥିଲା । କମ୍ପାନୀ କେବଳ ଛଟେଇ କରିନଥିଲା ଅନେକ ବ୍ୟବସାୟ ସଂସ୍ଥାକୁ ମଧ୍ୟ ବନ୍ଦ କରି ଦେଇଥିଲା । ଯେଉଁ କାରଣରୁ ପ୍ରଭାବିତ ହୋଇଥିଲେ କର୍ମଚାରୀ ।

ShareChat ରୁ ବିଦା ହେଲେ କର୍ମଚାରୀ:-

ବର୍ଷର ଶେଷ ଆଡକୁ ଏପରି ଅନୁଭୂତ ହେଉଥିଲା ଯେପରି ଛଟେଇ ଏକ ଟ୍ରେଣ୍ଡ୍ ପାଲଟିଲାଣି । ଏହି ଟ୍ରେଣ୍ଡରେ ଯୋଡି ହୋଇଥିଲା ସୋସିଆଲ ମିଡିଆ ପ୍ଲାଟଫର୍ମ ShareChat । ଏହି କମ୍ପାନୀ ମଧ୍ୟ ଶତାଧିକ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିଲା ।

PepsiCo, Morgan Stanley, BuzzFeed ରେ ଛଟେଇ:-

ଛଟେଇ ଟ୍ରେଣ୍ଡରେ ମୃଦୁ ପାନୀୟ କମ୍ପାନୀ ପେପ୍ସିକୋ(PepsiCo), ପୁଞ୍ଜି ବିନିଯୋଗ ପରାମର୍ଶଦାତା ସଂସ୍ଥା Morgan Stanley, ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ BuzzFeed ମଧ୍ୟ ଯୋଡି ହୋଇଥିଲେ । ଏହିସବୁ କମ୍ପାନୀ ଶତାଧିକ କର୍ମଚାରୀଙ୍କ ଛଟେଇ କରିଥିଲେ ।

ପ୍ରଭାବିତ ହୋଇଥିଲେ ମୁନ୍‌ଲାଇଟ୍ କର୍ମଚାରୀ:-

କୋରୋନା କାଳରେ ସୃଷ୍ଟି ହୋଇଥିଲା ମୁନ୍‌ଲାଇଟ୍ ଟ୍ରେଣ୍ଡ୍, କଟକଣା ହଟୁ ହଟୁ ଏହି ସେବା ଯୋଗାଉଥିବା ଶତାଧିକ କର୍ମଚାରୀ ଚାକିରି ହରାଇଥିଲେ । ଆଇଟି କ୍ଷେତ୍ରର ପ୍ରତିଷ୍ଠିତ କମ୍ପାନୀ ୱିପ୍ରୋ(Wipro) ମୁନ୍‌ଲାଇଟିଂ ଅର୍ଥାତ୍ ପ୍ରତିଦ୍ବନ୍ଦୀ କମ୍ପାନୀ ପାଇଁ କାମ କରୁଥିବା କାରଣରୁ 300 କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିଲା । ତେବେ ମୁନଲାଇଟିଂ ହେଉଛି, ଯେବେ କୌଣସି କର୍ମଚାରୀ ନିଜର ନିୟମିତ ଚାକିରି ବ୍ୟତୀତ ଅଧିକ ରୋଜଗାର ଉଦ୍ଦେଶ୍ୟରେ ଅନ୍ୟ କୌଣସି ସଂସ୍ଥା ପାଇଁ କାମ କରିଥାଏ, ତାକୁ ମୁନଲାଇଟିଂ(moonlighting) କୁହାଯାଏ । କୋଭିଡ(Covid19) ପରେ ଓ୍ବାର୍କ ଫ୍ରମ୍‌ ହୋମ ବ୍ୟବସ୍ଥା ଏହି ଟ୍ରେଣ୍ଡକୁ ବଢାଇ ଦେଇଥିଲା । ମାତ୍ର କଟକଣା ପରେ ଏପରି ମୁନଲାଇଟିଂ ସେବା ଯୋଗାଉଥିବା 300 କର୍ମଚାରୀଙ୍କୁ ୱିପ୍ରୋ ଚାକିରରୁ ବିଦା କରିଥିଲା ।

ଚାକିରି ଗଲା ସତ, ଏହାର ପାର୍ଶ୍ବ ପ୍ରତିକ୍ରିୟାରେ ଦେଖାଦେଲା ଅନେକ ସମସ୍ୟା । ବିଶେଷ କରି ମଧ୍ୟବିତ୍ତ ଏହାର ଶିକାର ହେଲେ । ଯେଉଁମାନେ କାର୍ଯ୍ୟରତ ଥିଲେ ସେମାନେ ଚାକିରି ହରାଇବା ଚିନ୍ତାରେ ମାନସିକ ସନ୍ତୁଳନ ହରାଇ ବସିଲେ । ତା' ସାଙ୍ଗକୁ ଚାକିରି ହରାଇଥିବା ଲୋକେ ଆର୍ଥିକ ଅନଟନ ଏବଂ ଦୁଃଶ୍ଚିନ୍ତାର ଶିକାର ହେଲେ । ଏହାକୁ ନେଇ ବର୍ଷ ଶେଷ ଆଡକୁ କରାଯାଇଥିବା ଏକ ରିପୋର୍ଟ ଅନୁସାରେ ପ୍ରତି 10 ଜଣଙ୍କ ମଧ୍ୟରେ 6 ଜଣ ଚାପରେ ରହିଥିଲେ ।

ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଏବର୍ଷ ମାନସିକ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ପ୍ରତି 10 ଜଣ ପେସାଦାରଙ୍କ ମଧ୍ୟରୁ 4-6 ଜଣ ସେମାନଙ୍କ ଚାକିରିରେ ଅନିଶ୍ଚିତତା, ସମ୍ଭାବ୍ୟ ପ୍ରଭାବ ଭୟରେ ଭୟଭୀତ ହୋଇପଡିଛନ୍ତି । ଏହାର ପ୍ରଭାବ ପ୍ରାୟତଃ ସୂଚନା ପ୍ରଯୁକ୍ତିବିଦ୍ୟା(IT), ଆଇଟି ସକ୍ଷମ ସେବା ଏବଂ ବୈଷୟିକ ଷ୍ଟାର୍ଟଅପ୍ ସେକ୍ଟରରେ ଦେଖାଦେଇଥିଲା । ଚାକିରି ହରାଇବା ଭୟ ସମସ୍ତଙ୍କ ମନରେ ରହିଛି ବୋଲି ହ୍ୟାପିପ୍ଲସ୍ କନ୍ସଲଟିଂର ପ୍ରତିଷ୍ଠାତା-ସିଇଓ ଆଶିଷ ଅମ୍ବାସ୍ତା କହିଛନ୍ତି ।

ଆର୍ଥିକ ସଙ୍କଟକୁ ଆଳ କରି ଅଧିକାଂଶ କମ୍ପାନୀ ଛଟେଇ କଲେ ସତ, ହେଲେ ଏହା ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଲା । ଯନ୍ତ୍ରଣା ଆଶଙ୍କା ଅଧିକ ଯନ୍ତ୍ରଣା ଦେଲା କହିଲେ କିଛି ଭୁଲ୍ ହେବନି । ତେଣୁ ଏବର୍ଷ ପରି ଆଗାମୀ ଦିନରେ କର୍ମଚାରୀ କିପରି ଚାକିରି ହରାଇବାର ଭୟର ଶିକାର ନ ହେବେ ସେଥିପାଇଁ ନୂତନ ବର୍ଷରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ନଚେତ୍ ଏକଦା ଘରୋଇ ସଂସ୍ଥାରେ କାମ କରିବାକୁ ନେଇ ଅମଙ୍ଗ ହେବେ ଜନତା...

ABOUT THE AUTHOR

...view details