ମାନକୋମ୍ବୁ ସାମ୍ବାସିଭାନ୍ ସ୍ୱାମୀନାଥନ୍ ବିଶିଷ୍ଟ ଜେନେଟିକ୍ ତଥା କୃଷି ବୈଜ୍ଞାନିକ ଯିଏ ‘ସବୁଜ ବିପ୍ଳବ’ ମାଧ୍ୟମରେ ଭାରତୀୟ କୃଷିକୁ ପରିବର୍ତ୍ତନ କରିଥିଲେ । ଆଜି ହେଉଛି ସେହି ମହାନ ବୈଜ୍ଞାନିକଙ୍କ ଜନ୍ମବାର୍ଷିକୀ । ତାମିଲନାଡୁର କୁମ୍ବାକୋନାମ୍ ଠାରେ 7 ଅଗଷ୍ଟ 1925 ରେ ଜନ୍ମଗ୍ରହଣ କରିଥିଲେ ମାନକୋମ୍ବୁ ସାମ୍ବାସିଭାନ୍ ସ୍ୱାମୀନାଥନ ।
ସ୍ୱାମୀନାଥନଙ୍କ ପିତା ଏମ କେ ସମ୍ବସିଭାନ ଜଣେ ସର୍ଜନ ଏବଂ ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ଥିଲେ । ସେ ତାମିଲନାଡୁର ସ୍ୱଦେଶୀ ଆନ୍ଦୋଳନ ଏବଂ ମନ୍ଦିର ପ୍ରବେଶ ଆନ୍ଦୋଳନରେ ଭାଗ ନେଇଥିଲେ । ଏହା ଅଳ୍ପ ବୟସରେ ସ୍ୱାମୀନାଥନଙ୍କ ମନରେ ସେବା ମନୋଭାବ ସୃଷ୍ଟି କରିଥିଲା ।
ଏକ ସ୍ଥାନୀୟ ବିଦ୍ୟାଳୟରୁ ମାଟ୍ରିକ ପାସ କରିବା ପରେ ସେ ଏକ ମେଡିକାଲ୍ ସ୍କୁଲରେ ଆଡମିଶନ ନେଇଥିଲେ । କିନ୍ତୁ 1943ର ବଙ୍ଗଳା ଦୁର୍ଭିକ୍ଷ, ଯେଉଁଥିରେ ପ୍ରାୟ 3 ନିୟୁତ ଲୋକ ଅନାହାରରେ ମୃତ୍ୟୁ ବରଣ କରିଥିଲେ, ତାଙ୍କ ମତ ବଦଳାଇ ତାଙ୍କୁ କୃଷି ସମ୍ବନ୍ଧରେ ଅନୁସନ୍ଧାନ କରିବାକୁ ବାଧ୍ୟ କରିଥିଲା । ସେ ମାଡ୍ରାସ କୃଷି କଲେଜରେ ନାମ ଲେଖାଇବା ପୂର୍ବରୁ ତ୍ରିଭାନ୍ଦ୍ରମସ୍ଥିତ ମହାରାଜା କଲେଜରୁ ପ୍ରାଣୀ ବିଜ୍ଞାନରେ ସ୍ନାତକୋତ୍ତର ପାଠ୍ୟକ୍ରମ ସମାପ୍ତ କରିଥିଲେ ।
ଏଠାରେ ସେ କୃଷି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଉଦ୍ଭିଦ ପ୍ରଜନନ ଏବଂ ଜେନେଟିକ୍ସରେ ସ୍ନାତକୋତ୍ତର ଶିକ୍ଷା ପାଇଁ ନୂଆଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ (IARI)କୁ ଯାଇଥିଲେ ।