ଓଡିଶା

odisha

ETV Bharat / science-and-technology

Nobel Peace Prize 2023: ନର୍ଗେସ ମହମ୍ମଦି ପାଇବେ ନୋବେଲ ଶାନ୍ତି ପୁରସ୍କାର - ନର୍ଗେସ ମହମ୍ମଦିଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ଇରାନର ୫୧ ବର୍ଷୀୟା ମାନବାଧିକାର କର୍ମୀ ନର୍ଗେସ ମହମ୍ମଦିଙ୍କୁ ମିଳିବ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର । ଅଧିକ ପଢନ୍ତୁ

Nobel Peace Prize 2023
Nobel Peace Prize 2023

By ETV Bharat Odisha Team

Published : Oct 6, 2023, 2:44 PM IST

Updated : Oct 6, 2023, 3:33 PM IST

ହାଇଦ୍ରାବାଦ:2023 ପାଇଁ ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଇରାନର ୫୧ ବର୍ଷୀୟା ମାନବଧିକାର କର୍ମୀ ନର୍ଗେସ ମହମ୍ମଦିଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର । ମହିଳାଙ୍କ ଅଧିକାର ଏବଂ ମାନବାଧିକାର ପାଇଁ ସେ କାର୍ଯ୍ୟ କରନ୍ତି । ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିବା ସହିତ ସମସ୍ତଙ୍କ ପାଇଁ ମାନବିକ ଅଧିକାର ତଥା ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ । ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଆଜିର ନୋବେଲ ପୁରସ୍କାର ଘୋଷଣା ଓସଲୋରେ ଥିବା ନରୱେଜିଆନ ନୋବେଲ ପ୍ରତିଷ୍ଠାନ ପକ୍ଷରୁ କରାଯାଇଛି ।

ନର୍ଗେସ୍ ମହମ୍ମଦ ଜଣେ ଇରାନର ମାନବାଧିକାର କର୍ମୀ ତଥା ଡିଫେଣ୍ଡର ଅଫ୍ ହ୍ୟୁମାନ ରାଇଟ୍ସ ସେଣ୍ଟର (DHRC)ର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ଇରାନରେ ମୃତ୍ୟୁଦଣ୍ଡକୁ ରଦ୍ଦ କରିବା ଏବଂ କଏଦୀଙ୍କ ଅଧିକାରର ସୁରକ୍ଷା ପାଇଁ ସେ ଜଣେ ପ୍ରମୁଖ ଓକିଲ ମଧ୍ୟ ରହିଥିଲେ । ତେବେ ମାନବାଧିକାର କାର୍ଯ୍ୟ ପାଇଁ ଅନେକ ଥର ଜେଲ ଯାଇଛନ୍ତି ନର୍ଗେସ୍ । 2019 ମସିହା ନଭେମ୍ବର ମାସରେ ଜଣ ହିଂସାର ଶିକାର ହୋଇଥିବା ଜଣେ ପୀଡିତାଙ୍କ ସ୍ମାରକରେ ଯୋଗଦେବା ପରେ ତାଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ସେ ଜେଲରେ ରହିଥିବା ବେଳେ ଏହି ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି । ନର୍ଗେସ ବର୍ତ୍ତମାନ ତେହେରାନର ଇଭିନ ଜେଲରେ ରହିଛନ୍ତି।

ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ନର୍ଗେସ:ଇରାନ ଜେଲରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ନର୍ଗିସ୍ ମହମ୍ମଦି ସର୍ବଦା ସ୍ବର ଉତ୍ତୋଳନ କରିଥିଲେ । ତାଙ୍କ ସକ୍ରିୟତା ପାଇଁ ତାଙ୍କୁ ଏଙ୍ଗର ଆଓ୍ବାର୍ଡ, ଓଲୋଫ୍ ପାଲ୍ମେ ପୁରସ୍କାର, ୟୁନେସ୍କୋ / ଗୁଇଲେର୍ମୋ କୌନୋ ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ଆୱାର୍ଡ ଏବଂ ପିଏମ/ ବାର୍ବି ଫ୍ରିଡମ୍ ଟୁ ରାଇଟ୍ ଆୱାର୍ଡ ଭଳି ଅନେକ ସମ୍ମାନ ଲାଭ କରିଛନ୍ତି । ବିସିସିର 100 ପ୍ରେରଣାଦାୟକ ଏବଂ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ସେ ସାମିଲ ରହିଛନ୍ତି । ଅନେକ ଆହ୍ବାନ ଏବଂ କାରାଗାରର ସମ୍ମୁଖୀନ ହୋଇଥିଲେ ମଧ୍ୟ ମହମ୍ମଦ ଇରାନରେ ମାନବ ଅଧିକାର ଏବଂ ଗଣତନ୍ତ୍ର ପାଇଁ ସଂଗ୍ରାମ ଜାରି ରଖିଛନ୍ତି । ନୋବେଲ ପୁରସ୍କାରରେ 11 ମିଲିୟନ ସ୍ୱିଡିଶ କ୍ରୋନର (ପ୍ରାୟ 1 ମିଲିୟନ ଆମେରିକୀୟ ଡଲାର) ପୁରସ୍କାର ରାଶି ପ୍ରଦାନ କରାଯିବ। ଡିସେମ୍ବରରେ ହେବାକୁ ଥିବା ପୁରସ୍କାର ବିତରଣ ଉତ୍ସବରେ ବିଜେତାମାନେ 18 କ୍ୟାରେଟର ସ୍ୱର୍ଣ୍ଣ ପଦକ ପାଇବେ । ନୋବେଲ ଶାନ୍ତି ପୁରସ୍କାର ପାଇବାରେ ମହମ୍ମଦ 19 ତମ ମହିଳା ।

ଏହା ମଧ୍ୟ ପଢନ୍ତୁ: Nobel Prize In Literature 2023: ନରୱେ ସାହିତ୍ୟିକ ଜନ ଫୋସେ ପାଇବେ ନୋବେଲ

କହିରଖୁଛୁ କି, 2022 ମସିହାରେ ଜଣେ ବ୍ୟକ୍ତି ଓ ୨ଟି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ବେଲାଋଷର ମାନବାଧିକାର ଅଧିବକ୍ତା ଆଲେସ୍‌ ବାଲିଆସ୍କି, ଋଷିଆର ମାନବଧିକାର ସଂଗଠନ ମେମୋରିଆଲ ଓ ୟୁକ୍ରେନର ମାନବଧିକାର ସଂଗଠନ ସେଣ୍ଟର ଫର୍‌ ସିଭିଲ ଲିବର୍ଟିଜକୁ ବିଶ୍ବର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ତେବେ ମେଡିସିନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ ଏବଂ ଶାନ୍ତି ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଥିବା ବେଳେ ଆସନ୍ତାକାଲି(ଶନିବାର) ଅର୍ଥନିତୀରେ ନୋବେଲ ପୁରସ୍କାର ଘୋଷଣା ହୋଇପାରେ।

Last Updated : Oct 6, 2023, 3:33 PM IST

ABOUT THE AUTHOR

...view details