ଓଡିଶା

odisha

ETV Bharat / science-and-technology

National Science Day: ସିଭି ରମଣଙ୍କ 'ଆଲୋକ ରଶ୍ମି' ବିଜ୍ଞାନରେ ଭରିଥିଲା ନୂଆ କିରଣ

ବିଜ୍ଞାନ ପ୍ରତି ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କ ଅବଦାନକୁ ମନେ ପକାଇବା ସହ ପ୍ରତିଟି ବୈଜ୍ଞାନିକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର(ଫେବ୍ରୁଆରୀ 28) ଦିନକୁ ଜାତୀୟ ବିଜ୍ଞାନ ଦିବସ ରୂପେ ପାଳନ କରାଯାଉଛି । ବିଜ୍ଞାନ ପ୍ରତି ସିଭି ରମଣଙ୍କ ଅବଦାନ କଣ ରହିଛି, ଜାଣନ୍ତୁ...

National Science Day
National Science Day

By

Published : Feb 28, 2023, 10:51 AM IST

Updated : Feb 28, 2023, 11:28 AM IST

ହାଇଦ୍ରାବାଦ: ଜୀବନରେ ବିଜ୍ଞାନ ଖୋଜେ ସତ୍ତା, ବିଜ୍ଞାନରେ ଜୀବନ ଖୋଜେ ବାସ୍ତବତା । ଉଭୟ ଗୋଟିଏ ନାଆର ନାଉରୀ ନହେଲେ ମଧ୍ୟ ମଣିଷର ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ସାଜିଛି ବିଜ୍ଞାନ । ସ୍ବାସ୍ଥ୍ୟଠୁ ଗବେଷଣା ପର୍ଯ୍ୟନ୍ତ ସବୁଠି ବିଜ୍ଞାନର ଛାପ । ଆଜି ବିଜ୍ଞାନ ଆଗୁଆ ପାଣିପାଗ ସ୍ଥିତି ଆକଳନ କରିପାରୁଛି, ସୌରଜଗତର ମହାଜାଗତିକ ଦୃଶ୍ୟକୁ ମାବନର ଦୃଶ୍ୟପଟରେ ଆଣି ଥୋଇଦେଉଛି । ଆଉ ନୀତିଦିନିଆ ଜୀବନ ଯାପନକୁ ସହଜ, ସରଳ ଓ ସୁଗମ କରିପାରିଛି । ବିଜ୍ଞାନର ଏହି ଅବଦାନକୁ ମନେପକାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର(ଫେବ୍ରୁଆରୀ 28) ଦିନକୁ ଜାତୀୟ ବିଜ୍ଞାନ ଦିବସ ରୂପେ ପାଳନ କରାଯାଉଛି ।

ଜାତୀୟ ବିଜ୍ଞାନ ଦିବସର ଉଦ୍ଦେଶ୍ୟ:-

ଏହି ଦିବସ ପାଳନ ପଛରେ ଆଉ ଏକ ମୁଖ୍ୟ ଉଦ୍ଦେଶ୍ୟ ରହିଛି । ପଦାର୍ଥ ବିଜ୍ଞାନ ଜଗତର ଦେଶର ପ୍ରଥମ ନୋବେଲ୍ ପୁରସ୍କାର ବିଜେତା ତଥା ଭାରତ ରତ୍ନ ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କ ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । 1928 ଫେବ୍ରୁଆରୀ 28 ରେ ସେ ସମଗ୍ର ବିଶ୍ବକୁ 'ଆଲୋକ ରଶ୍ମି' ଭେଟି ଦେଇଥିଲେ, ଯାହାର ନାମ ଥିଲା 'ରମଣ ସ୍କାଟରିଂ' ଓ 'ରମଣ ଇଫେକ୍ଟ' । ଆଲୋକ ରଶ୍ମି କ୍ଷେତ୍ରରେ ଉତ୍କୃଷ୍ଟ ଉଦ୍ଭାବନ ପାଇଁ ତାଙ୍କୁ 1930 ରେ ନୋବେଲ୍ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଫେବ୍ରୁଆରୀ 28 ରେ ସାର୍ ଚନ୍ଦ୍ରଶେଖର କରିଥିବା ଉତ୍କୃଷ୍ଟ ଉଦ୍ଭାବନକୁ ମନେ ପକାଇବା ସହ ପ୍ରତିଟି ବୈଜ୍ଞାନିକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତ ସରକାର ପ୍ରତିବର୍ଷ ଜାତୀୟ ବିଜ୍ଞାନ ଦିବସ ପାଳନ କରୁଛନ୍ତି ।

ବିଜ୍ଞାନ ଦିବସର ବିଷୟବସ୍ତୁ:-

1987 ମସିହାରୁ ପ୍ରତିବର୍ଷ ଦେଶର କୋଣ ଅନୁକୋଣରେ ଥିବା ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଏବଂ ବିଜ୍ଞାନ ପ୍ରତିଷ୍ଠାନ ସମେତ ବିଭିନ୍ନ ଭେଷଜ ଓ ଗବେଷଣା ପ୍ରତିଷ୍ଠାନରେ ବିଜ୍ଞାନ ଦିବସ ପାଳନ କରାଯାଉଛି । ବିଜ୍ଞାନର ସଫଳତା ଏବଂ ସମାଜ ପ୍ରତି ତା'ର ଅବଦାନକୁ ପ୍ରଶଂସିତ କରିବାର ଏହା ଏକ ଉତ୍କୃଷ୍ଟ ଦିନ । ପ୍ରତିବର୍ଷ ଏହି ଦିବସ ଏକ ବିଷୟବସ୍ତୁ ଆଧାରରେ ପାଳନ କରାଯାଏ । ଚଳିତ ବର୍ଷ ମଧ୍ୟ ଏକ ବିଷୟବସ୍ତୁ ରଖାଯାଇଛି । 'ବିଶ୍ବର ସୁସ୍ଥତା ପାଇଁ ବିଶ୍ବସ୍ତରୀୟ ବିଜ୍ଞାନ'(Global Science for Global Wellbeing) ଏଥର ଥିମ୍(ବିଷୟବସ୍ତୁ) ରହିଛି ।

ରମଣ ରଶ୍ମି କ'ଣ:-

ଅନୁସନ୍ଧାନ କ୍ଷେତ୍ରରେ ଅନେକ କୀର୍ତ୍ତିମାନ ହାସଲ କରି ଭାରତର ବିଜ୍ଞାନକୁ ନୂଆ ଦିଗନ୍ତ ପ୍ରଦାନ କରିଥିଲେ ସିଭି ରମଣ । ଆଲୋକ ବିଚ୍ଛୁରଣ ସମ୍ପର୍କିତ ତାଙ୍କ ପ୍ରଚେଷ୍ଟା 'ରମଣ ସ୍କାଟରିଂ' ଓ 'ରମଣ ଇଫେକ୍ଟ' ଥିଲା । ସେ ଆବିଷ୍କାର କରିଥିଲେ ଯେ 'ଆଲୋକ ରଶ୍ମି ଯେତେବେଳେ ଗୋଟିଏ ସ୍ୱଚ୍ଛ ପଦାର୍ଥ ଦେଇ ଅତିକ୍ରମ କରେ, କିଛି ଆଲୋକ ରଶ୍ମି ବିଚ୍ଛୁରିତ ହୋଇଯାଆନ୍ତି ଏବଂ ତାଙ୍କର ଦୈର୍ଘ୍ୟ ଓ ବିସ୍ତୃତିରେ ପରିବର୍ତ୍ତନ ହୁଏ । ଏହି ପ୍ରତ୍ୟେକ୍ଷ ଭାବେ ପରିପ୍ରକାଶ ଘଟଣାକୁ ରମଣ ବିଚ୍ଛୁରଣ କୁହାଯାଏ, ଯାହାକି ରମଣ ପ୍ରଭାବ ଦ୍ୱାରା ହୋଇଥାଏ ।'

Raman Effect

ବିଜ୍ଞାନ ଓ ରମଣ:-

୧୮୮୮ ନଭେମ୍ବର ୭ ରେ ତାମିଲନାଡୁର ତିରୁଚିରାପଲ୍ଲୀର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ସିଭି ରମଣ । ତାଙ୍କ ପିତା ଚନ୍ଦ୍ରଶେଖର ରାମନାଥନ୍ ଆୟର ଗଣିତ ଓ ଭୌତିକ ବିଜ୍ଞାନର ଅଧ୍ୟାପକ ଥିଲେ ଏବଂ ମାଆ ପାର୍ବତୀ ଅମ୍ମାଲ ଜଣେ ସଂସ୍କୃତ ପରିବାରର ମହିଳା ଥିଲେ । ଏମଏସି(ବିଜ୍ଞାନରେ ମାଷ୍ଟର୍ ଡିଗ୍ରୀ) ପରେ ସେ ଆକାଉଣ୍ଟାଣ୍ଟ ଭାବେ ସରକାରୀ ଚାକିରିରେ ଯୋଗଦାନ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଅନୁସନ୍ଧାନ କରିଥିଲେ । ଅପ୍ଟିକ୍ସରୁ ପ୍ରଥମେ ଅନୁସନ୍ଧାନ ଆରମ୍ଭ କରିଥିଲେ । କିନ୍ତୁ ରମଣଙ୍କ ଅନୁସନ୍ଧାନ ଆଲୋକର ରଶ୍ମି ତାଙ୍କୁ ଦେଇଥିଲା ପରିଚୟ । ଏଥିପାଇଁ ସେ ନୋବେଲ୍ ପ୍ରାପ୍ର ହେବା ସହ ୧୯୫୪ରେ ଭାରତ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ । ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କ ନାମରେ ମଧ୍ୟ ଓଡିଶାରେ ଏକ ଇଞ୍ଜିନିୟରିଂ କଲେଜ ରହିଛି, ଯାହା ଭୁବନେଶ୍ବରରେ ସିଭି ରମଣ ଇଞ୍ଜିନିୟରିଂ କଲେଜ ନାମରେ ପରିଚିତ ।

Last Updated : Feb 28, 2023, 11:28 AM IST

ABOUT THE AUTHOR

...view details