ଓଡିଶା

odisha

ETV Bharat / science-and-technology

Chandrayaan 3 Update: ଚନ୍ଦ୍ରର ଦକ୍ଷିଣ ମେରୁ ମାଟିର ତାପମାତ୍ରା କେତେ ? ଆସିଲା ନୂଆ ତଥ୍ୟ

ଚନ୍ଦ୍ରର ଦକ୍ଷିଣ ମେରୁ ମାଟିର ତାପମାତ୍ରା କେତେ ? ନୂଆ ଅପଡେଟ ଜାରି କଲା ଇସ୍ରୋ । ଅଧିକ ପଢନ୍ତୁ

By ETV Bharat Odisha Team

Published : Aug 27, 2023, 5:08 PM IST

Etv Bharat
Etv Bharat

ବେଙ୍ଗାଲୁରୁ:ବିକ୍ରମ ଲ୍ୟାଣ୍ଡରରୁ ପୃଥକ ହେବା ପରେ ଚନ୍ଦ୍ରପୃଷ୍ଠରେ ଚଳପ୍ରଚଳ କରି ନୂଆ ତଥ୍ୟ ପ୍ରଦାନ କରୁଛି ରୋଭର ପ୍ରଜ୍ଞାନ । ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନ ଚଳପ୍ରଚଳକୁ 5ଦିନ ପୁରିଥିବା ବେଳେ ସାମ୍ନାକୁ ଆଜି ଆସିଛି ଏକ ରୋଚକ ତଥ୍ୟ । ତେବେ ଚନ୍ଦ୍ରର ଦକ୍ଷିଣ ମେରୁର ମାଟିର ତାପମାତ୍ରା କେତେ ସେନେଇ ସୂଚନା ଜାରି କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଦକ୍ଷିଣ ମେରୁର ତାପମାତ୍ରା ମାପିବା ଲାଗି ପ୍ରାୟ 10ସେମିକୁ ଯାଇ ରୋଭର ପ୍ରଜ୍ଞାନ ଗବେଷଣା କରିଥିବା ଜଣାପଡ଼ିଛି ।

ଏ ନେଇ ଇସ୍ରୋ ଟ୍ବିଟ କରି କହିଛି, "ଏହା ପ୍ରଥମ ଥର ଯେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଚନ୍ଦ୍ରର ମୃତ୍ତିକାର ତାପମାତ୍ରା ପ୍ରୋଫାଇଲିଂ କରାଯାଉଛି । କାରଣ ପ୍ରଥମ ଥର ଲାଗି କୌଣସି ରାଷ୍ଟ୍ର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଛି ।" ଏହାସହିତ ଇସ୍ରୋ ପକ୍ଷରୁ ମୃତ୍ତିକାର ତାପମାତ୍ରାର ଏକ ଗ୍ରାଫ୍‌ ମଧ୍ୟ ଜାରି କରାଯାଇଛି । ଚନ୍ଦ୍ର ଦକ୍ଷିଣ ମେରୁ ଅଞ୍ଚଳରେ ମୃତ୍ତିକାର ତାପମାତ୍ରା -10 ଡିଗ୍ରୀ ସେଲସିୟସରୁ 50 ଡିଗ୍ରୀ ସେଲସିୟସ ମଧ୍ୟରେ ଥିବା ଗ୍ରାଫରେ ଦର୍ଶାଯାଇଛି ।

ଏହା ବି ପଢନ୍ତୁ- Pragyan Rover: ଶିବଶକ୍ତି ପଏଣ୍ଟରେ ବୁଲୁଛି ପ୍ରଜ୍ଞାନ, ଦେଖନ୍ତୁ ଏଥର ନୂଆ କଣ ?

ରୋଭର ପ୍ରଜ୍ଞାନ ଲାଗିଥିବା ChaSTE ପେଲୋଡ ସମ୍ପର୍କରେ ସୂଚନା ଦେଇ ଇସ୍ରୋ କହିଛି, "ChaSTE ପେଲୋଡ ଚନ୍ଦ୍ରର ଉପର ଭାଗ ମୃତ୍ତିକାର ତାପମାତ୍ରା ମାପିଛି । ଏଥିଲାଗି ଏକ ପେନିଟ୍ରେସନ ମେକାନିଜମ ଗ୍ରହଣ କରାଯାଇଛି । ପ୍ରଜ୍ଞାନରେ ଲାଗିଥିବା ଏକ ଯନ୍ତ୍ର ମୃତ୍ତିକାର 10ସେମିରେ ରହି ତାପମାତ୍ରା ମାପିଛି । ଏଥିରେ 10ଟି ଭିନ୍ନଭିନ୍ନ ସେନ୍ସର ଲଗାଯାଇଛି । ଚନ୍ଦ୍ର ଦକ୍ଷିଣ ମେରୁ ଲାଗି ଏହା ପ୍ରଥମ ଗ୍ରାଫ୍‌ । ଆଗକୁ ଗବେଷଣା ଜାରି ରହିଛି ।"

ସୂଚନା ଥାଉ କି ଚନ୍ଦ୍ରରେ ଗବେଷଣା କରିବା ଲାଗି ପ୍ରଜ୍ଞାନ ରୋଭରରେ ବିଭିନ୍ନ ପ୍ରକାର ପେଲୋଡ୍‌ ଲଗାଯାଇଛି । ILSA, RAMBHA, ChaSTE ଏହି ପେଲୋଡଗୁଡ଼ିକ ଆକ୍ଟିଭ ହୋଇଛି । APXS ବା ଆଲ୍‌ଫା ପାର୍ଟିକଲ ଏକ୍ସ-ରେ ସ୍ପେକ୍ଟ୍ରୋମିଟର ଚନ୍ଦ୍ରପୃଷ୍ଠରେ ଥିବା ବିଭିନ୍ନ ରାସାୟନିକ ପଦାର୍ଥର ତଥ୍ୟ ସଂଗ୍ରହ କରୁଛି । ସେପଟେ LIBS ବା ଲେଜର୍‌ ଇଣ୍ଡ୍ୟୁସଡ୍‌ ବ୍ରେକଡାଇନ ସ୍ପେକ୍ଟ୍ରୋସ୍କୋପ୍‌ ଚନ୍ଦ୍ରପୃଷ୍ଠରେ ଥିବା ମୌଳିକ ପଦାର୍ଥ ଯେପରିକି ମ୍ୟାଗ୍ନେସିୟିମ, ଆଲୁମିନିୟମ, କ୍ୟାଲସିୟମ୍‌, ସିଲିକନ୍‌, ପୋଟାସିୟମ୍‌, ଆଇରନ୍‌, ଟାଇଟାନିୟମକୁ ଚିହ୍ନଟ କରିଛି । ଚନ୍ଦ୍ରପୃଷ୍ଠର ଲ୍ୟାଣ୍ଡିଂ ସାଇଟରେ ଥିବା ମୃତ୍ତିକା ଓ ପଥର ମଧ୍ୟରୁ ଏହି ମୌଳିକ ପଦାର୍ଥକୁ ଚିହ୍ନଟ କରିଛି LIBS । ILSA ଚନ୍ଦ୍ରପୃଷ୍ଠରେ ସେସିମିକ ଆକ୍ଟିଭିଟିର ତଥ୍ୟ ସଂଗ୍ରହ କରୁଛି । RAMBHA ଚନ୍ଦ୍ରର ପ୍ଲାଜମା ଏନଭାରମେଣ୍ଟ (ପୃଥିବୀର ଆୟୋନୋସ୍ଫିୟର ପରି)ର ମଧ୍ୟ ତଥ୍ୟ ସଂଗ୍ରହ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details