ଓଡିଶା

odisha

ETV Bharat / science-and-technology

ସଫଳତାରେ ବାଧକ ସାଜିଲାନି ଅଭାବ, ବାୟୁ ପ୍ରଦୂଷଣକୁ ମନିଟର କରିବା ପାଇଁ ଶସ୍ତାରେ ସାଟେଲାଟ ତିଆରି କଲେ ଛାତ୍ର - ଚା ବିକ୍ରେତାଙ୍କ ପୁଅ ତିଆରି କଲେ ସାଟେଲାଇଟ

Low-Cost Satellite:ସଫଳତା କେବେ ଧନୀ ଗରିବ ଦେଖିନଥାଏ। ଦୃଢ ମନୋବଳ, ଗଭୀର ଆତ୍ମବିଶ୍ବାସ ଆଉ କଠିନ ପରିଶ୍ରମ ଦ୍ବାରା ଜଣେ ସଫଳତାର ଶିଢି ଚଢିପାରେ। ତାମିଲନାଡୁର କରୁର ଜିଲ୍ଲାରେ ରହୁଥିବା ଜୟପ୍ରକାଶ ବାୟୁ ପ୍ରଦୂଷଣକୁ ମନିଟର କରିବା ପାଇଁ ଶସ୍ତାରେ ଏକ ସାଟେଲାଇଟ ତିଆରି କରି ଏହି ଉକ୍ତିକୁ ପ୍ରମାଣିତ କରି ଦେଖାଇଛନ୍ତି । ଅଧିକ ପଢନ୍ତୁ

Karur Tea Master Son create Low-Cost Satellite
Karur Tea Master Son create Low-Cost Satellite

By ETV Bharat Odisha Team

Published : Nov 17, 2023, 12:49 PM IST

Updated : Nov 17, 2023, 4:18 PM IST

ଚେନ୍ନାଇ:ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନେ ଗରିବୀ । ଜ୍ଞାନ ରହିଥିଲେ ସଫଳତା ନିଶ୍ଚିତ ମିଳିଥାଏ । ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଚା' ବିକ୍ରେତାଙ୍କ ପୁଅ । ବାୟୁ ପ୍ରଦୂଷଣର ମାତ୍ରାକୁ ମନିଟର କରିବା ପାଇଁ କମ୍‌ ମୂଲ୍ୟରେ ଏକ ସାଟେଲାଇଟ ତିଆରି କରିବାରେ ସଫଳ ହୋଇଛନ୍ତି 16 ବର୍ଷୀୟ ଜୟପ୍ରକାଶ । ତାମିଲନାଡ଼ୁର କରୁର ଜିଲ୍ଲାରେ ରହୁଥିବା ଜୟପ୍ରକାଶ ଏହି ସାଟେଲାଇଟକୁ କମ ବଜେଟରେ ତିଆରି କରିଛନ୍ତି । ତେବେ ଏହି ଉପଗ୍ରହ ତିଆରି କରିବା ପାଇଁ ସେ ବିଜ୍ଞାନ ଶିକ୍ଷକ ରାମଚନ୍ଦ୍ରନ ଏବଂ ଭରଣୀ ସ୍କୁଲ ଗ୍ରୁପର ପ୍ରିନ୍ସାପାଲ ଡ. ରାମାସୁବ୍ରମଣ୍ୟମଙ୍କଠାରୁ ମାର୍ଗଦର୍ଶନ ପାଇଥିବା କଥା କହିଛନ୍ତି ।

କମ ବଜେଟ୍‌ରେ ସାଟେଲାଇଟ୍‌: ଜୟପ୍ରକାଶ ତିଆରି କରିଥିବା ଏହି ଉପଗ୍ରହ ସାହାଯ୍ୟରେ ପୃଥିବୀ ପୃଷ୍ଠରୁ 10ରୁ 20 କିଲୋମିଟର ମଧ୍ୟରେ ଟ୍ରପୋସ୍ଫିୟରରେ ବାୟୁ ପ୍ରଦୂଷଣର ସ୍ତର ଜାଣିହେବ। ସାଧାରଣତଃ ଏକ ସାଟେଲାଇଟ ତିଆରି କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଜୟପ୍ରକାଶ ଏହାକୁ ମାତ୍ର 30 ହଜାର ଟଙ୍କାର ବଜେଟରେ ତିଆରି କରିଛନ୍ତି ।

ତେବେ ଏନେଇ ଇଟିଭି ଭାରତ ସହ ସାକ୍ଷାତକାରରେ ଜୟପ୍ରକାଶ କହିଛନ୍ତି, "ମୁଁ ତିଆରି କରିଥିବା ସାଟେଲାଇଟ ଏକ ହିଲିୟମ ବଲୁନ ଅଟେ। ଯାହାକି ପାରମ୍ପରିକ ଅନ୍ତରୀକ୍ଷ ପାଇଁ ଆଧାରିତ ବ୍ୟୟବହୁଳ ସାଟେଲାଇଟର ବିକଳ୍ପ ହୋଇପାରିବ। ପୁରା ପ୍ରଜେକ୍ଟ ପାଇଁ ମାତ୍ର 30 ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଶସ୍ତାରେ ବାୟୁ ପ୍ରଦୂଷଣର ସ୍ତରକୁ ମନିଟରିଂ କରାଯାଇ ପାରିବ ।"

କାରଖାନାରୁ ନିର୍ଗତ ହେଉଥିବା ପ୍ରଦୂଷଣକାରୀ ଗ୍ୟାସକୁ ଚିହ୍ନଟ କରିବାରେ ସହାୟକ: ଏହି କ୍ଷୁଦ୍ର ଉପଗ୍ରହକୁ ବିଭିନ୍ନ କାରଖାନାରୁ ନିର୍ଗତ ହେଉଥିବା ପ୍ରଦୂଷଣକାରୀ ଗ୍ୟାସକୁ ଚିହ୍ନଟ କରି ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇପାରିବ । ଜୟପ୍ରକାଶ ତିଆରି କରିଥିବା କମ ବଜେଟର ସାଟେଲାଇଟ୍‌ ପ୍ରଦୂଷଣ ନିୟନ୍ତ୍ରଣକାରୀ ବୋର୍ଡର ଅଧିକାରୀଙ୍କୁ ବାୟୁ ପ୍ରଦୂଷଣକୁ ମନିଟର ଏବଂ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିପାରେ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ବାୟୁମଣ୍ଡଳକୁ ଫେରିଲା ଚନ୍ଦ୍ରଯାନ-3 ପାଇଁ ବ୍ୟବହୃତ ରକେଟର ଅଂଶ: ଇସ୍ରୋ

ଇସ୍ରୋ ବୈଜ୍ଞାନିକ ହେବା ଜୟପ୍ରକାଶଙ୍କ ଲକ୍ଷ୍ୟ:ଇଟିଭି ଭାରତ ସହିତ ଆଲୋଚନା କରିବା ସମୟରେ ଜଣେ ଇସ୍ରୋ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଥିବା କଥା କହିଛନ୍ତି ଜୟପ୍ରକାଶ । ବାୟୁ ପ୍ରଦୂଷଣକୁ ନିୟନ୍ତ୍ରିତ କରି ପ୍ରଦୂଷଣମୁକ୍ତ ବିଶ୍ବ କରିବା ପାଇଁ ଇଚ୍ଛା ରଖିଥିବା କଥା ସେ କହିଛନ୍ତି । ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବା ସତ୍ତ୍ବେ ମଧ୍ୟ ସେ ନିଜ ବିଦ୍ୟାଳୟରେ ଏକ ଗ୍ରିଫନ୍‌ ଏରୋ ସ୍ପେସ୍‌ କ୍ଲବ ପ୍ରତିଷ୍ଠା କରିଛନ୍ତି । ଯାହାକି ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବୈଜ୍ଞାନିକ ଆବିଷ୍କାରରେ ବ୍ୟବହୃତ ସାଟେଲାଇଟ୍‌ ପ୍ରଣାଳୀ ଏବଂ ଉପକରଣ ବିଷୟରେ ଜ୍ଞାନ ପ୍ରଦାନ କରିପାରିବ । ଭରଣୀ ଏଜୁକେସନ୍‌ ଗ୍ରୁପର ପ୍ରିନ୍ସିପାଲ ଡ.ଶୁଭ୍ରମଣ୍ୟମଙ୍କ କହିବା ଅନୁସାରେ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ଆୟୋଜିତ ଜାତୀୟ ବିଜ୍ଞାନ ସମ୍ମିଳନୀରେ ଜୟପ୍ରକାଶଙ୍କ ହିଲିୟମ୍ ବେଲୁନ୍ ଉପଗ୍ରହ ବା ସାଟେଲାଇଟକୁ ପ୍ରଦର୍ଶିତ କରାଯିବ। ISROର ବେଙ୍ଗାଲୁରୁ ସାଟେଲାଇଟ୍ ସେଣ୍ଟରର ପୂର୍ବତନ ନିର୍ଦ୍ଦେଶକ ମାୟାଲାସ୍ୱାମୀ ଆନ୍ନାଦୁରାଇ ଜୟପ୍ରକାଶଙ୍କୁ ମାର୍ଗଦର୍ଶନ ଦେଇଛନ୍ତି । କହିରଖୁଛି କି, ଅନ୍ନଦୁରାଇ ଦୀର୍ଘ ଦୂରତ୍ୱରେ ବାୟୁ ପ୍ରଦୂଷଣ କରୁଥିବା ଅନ୍ୟ ଗ୍ୟାସ୍ ଚିହ୍ନଟ କରିବା ପାଇଁ 2ଛୋଟ ଉପଗ୍ରହର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି । ଯଦି ଦେଖିବା କମ ବୟସରେ ଜୟପ୍ରକାଶଙ୍କ ଏଭଳି କାର୍ଯ୍ୟ ନିହାତି ପ୍ରଶଂସାଯୋଗ୍ୟ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 17, 2023, 4:18 PM IST

ABOUT THE AUTHOR

...view details