ହାଇଦ୍ରାବାଦ:ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ ପରେ ବର୍ତ୍ତମାନ ମହାକାଶକୁ ଯାତ୍ରୀଙ୍କୁ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗଗନାନ ମିଶନ ପାଇଁ ମାନବ ବିହୀନ ବିମାନ ପରୀକ୍ଷଣ ଶୀଘ୍ର ଆରମ୍ଭ ହେବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ମାସ ଶେଷ ସୁଦ୍ଧା ପରୀକ୍ଷଣ ପାଇଁ ବିକଶିତ ହୋଇଥିବା ଯାନ ଦ୍ବାରା କ୍ରୁ ଏସ୍କେପ ସିଷ୍ଟମ ପରୀକ୍ଷଣ ପାଇଁ ଇସ୍ରୋ ଯୋଜନା କରୁଥିବା ସୂଚନା ଦିଆଯାଇଛି । ଏହାସହ ସମ୍ବନ୍ଧିତ କିଛି ଫଟୋକୁ ଇସ୍ରୋ ପକ୍ଷରୁ ଏକ୍ସରେ ସେୟାର କରାଯାଇଥିବା ବେଳେ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।
2024ରେ ହେବ ଲଞ୍ଚ: ପ୍ରାୟ 900 କୋଟି ଟଙ୍କା ବ୍ୟୟରେ ହୋଇଥିବା ଅଭିଯାନ ଆସନ୍ତା ବର୍ଷ ଅର୍ଥାତ 2024ରେ ଲଞ୍ଚ ହେବ । ଏହାପୂର୍ବରୁ 3ଟି ଯାନ ପରୀକ୍ଷଣ କରାଯିବ । ଏଥିମଧ୍ୟରୁ ପ୍ରଥମ ଯାନ ପରୀକ୍ଷଣ ମିଶନ୍ TV-D1, ଦ୍ୱିତୀୟଟି TV-D2 ମିଶନ୍ ଏବଂ ତୃତୀୟ ପରୀକ୍ଷା LVM3-G1 ହେବ । ଏହା ମାନବ ବିହୀନ ମିଶନ ହେବ ।
କ୍ରୁ ସୁରକ୍ଷା ନିଶ୍ଚିତ କରିବାକୁ ପଦକ୍ଷେପ: ଆଜି ଇସ୍ରୋ ପକ୍ଷରୁ ଟ୍ବିଟ ଯୋଗେ କୁହାଯାଇଛି, "ଗଗମଯାନ ପାଇଁ ପରୀକ୍ଷଣ ଯାନ ଖୁବଶୀଘ୍ର ଲଞ୍ଚ କରାଯିବ । ଯାହାଦ୍ୱାରା କ୍ରୁ ଏସ୍କେପ୍ ସିଷ୍ଟମ୍ ପରୀକ୍ଷା କରାଯାଇ ପାରିବ । ଏଥିପାଇଁ ଫ୍ଲାଇଟ୍ ଟେଷ୍ଟ ଭେଇକଲ୍ ଅବର୍ଟ ମିଶନ୍-1 (TV-D1) ପାଇଁ ପ୍ରସ୍ତୁତି ଜାରି ରହିଛି ।"
ସୂଚନାଯୋଗ୍ୟ ଯେ, ମହାକାଶକୁ ରୋବଟ୍ ଏବଂ ହ୍ୟୁମାନୋଇଡ୍ (ମାନବ ପରି ରୋବଟ୍) ପଠାଇ କ୍ରୁଙ୍କ ସୁରକ୍ଷା ନିଶ୍ଚିତ କରାଯିବ । ଗଗନଯାନର ତୃତୀୟ ଯାନ ପରୀକ୍ଷଣ LVM3-G1 ଅଧୀନରେ ଯେଉଁ ହ୍ୟୁମାନୋଇଡ୍ ପଠାଯିବ, ଏହାଦ୍ବାରା କ୍ରୁ ସମ୍ମୁଖୀନ ହେଉଥିବା ସମସ୍ତ ଆହ୍ବାନ ବିଷୟରେ ସୂଚନା ସଂଗ୍ରହ କରିବ ।