ହାଇଦ୍ରାବାଦ:ମନୁଷ୍ୟ ଏବଂ ପ୍ରକୃତି.. ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରତି କ୍ଷେତ୍ରରେ ପ୍ରକୃତି ମନୁଷ୍ୟ ଉପରେ ଏବଂ ମନୁଷ୍ୟ ପ୍ରକୃତି ଉପରେ ନିର୍ଭରଶୀଳ । ତେଣୁ ମନୁଷ୍ୟକୁ ପ୍ରକୃତି ପାଇଁ କିଛି ସମୟ ବାହାର କରିବା ଆବଶ୍ୟକ । ଯୁଗ ଯୁଗରୁ ମାନବ ସମାଜର ଜୀବନ ପ୍ରଣାଳୀ ଚଳାଉଥିବା ପ୍ରକୃତିକୁ ଆଜିକା ଦିନରେ ଅଣଦେଖା କରାଯାଉଛି । ଏଭଳି ପରିସ୍ଥିତିରେ ମେ 22 ତାରିଖକୁ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ କରାଯାଉଛି । ଆମେ ପ୍ରକୃତି ବିନା ତୁଚ୍ଛ ବୋଲି ଭାବିବା ଦରକାର । ଏହାସହ ଆଜିର ଦିନରେ ବିଶ୍ବସ୍ତରରେ ପରିବେଶକୁ ରକ୍ଷା କରୁଥିବା ଜୈବିକ ସମ୍ବଳର ସୁରକ୍ଷାକୁ ନେଇ ସଚେତନତା ବାର୍ତ୍ତା ବଣ୍ଟାଯାଇଥାଏ ।
ଆଜିକା ଦୁନିଆରେ ଅନେକ ଲୋକ ଭାବୁନାହାନ୍ତି ଯେ, ଆମେ ଯେଉଁ ନିଶ୍ବାସ ନେଉଛୁ, ଯେଉଁଥିରୁ ଇନ୍ଧନ ପ୍ରସ୍ତୁତ ହୁଏ ଏବଂ ଯେଉଁ ଔଷଧକୁ ବ୍ୟବହାର କରି ଲୋକେ ଆରୋଗ୍ୟ ଲାଭ କରୁଛନ୍ତି ସେ ସବୁ କେଉଁଠାରୁ ପାଇଥାଉ ? ସାଧାରଣତଃ ଜୈବ ବିବିଧତାକୁ ବୁଝିବା ପାଇଁ ଗଛ ଲତା, ପଶୁ ପକ୍ଷୀ ଓ ମାଇକ୍ରୋ ଅର୍ଗାନିଜମର ସହାୟତା ନେବାକୁ ହୁଏ । ମନୁଷ୍ୟ ପ୍ରକୃତି ଉପରେ ସମ୍ପୁର୍ଣ୍ଣ ନିର୍ଭରଶୀଳ ହୋଇଥିବା ବେଳେ ମନୁଷ୍ୟ ପ୍ରତିଦିନ ଏମିତି କିଛି କାର୍ଯ୍ୟ କରିଥାଏ, ଯାହାକି ପରିବେଶକୁ ସମସ୍ତ ଦିଗରୁ ନଷ୍ଟ କରିଥାଏ ।
ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ, ବାସସ୍ଥାନ ନଷ୍ଟ ହେବା, ପ୍ରଦୂଷଣ ବୃଦ୍ଧି ଏବଂ ଜଳବାୟୁ ସଙ୍କଟ ଯୋଗୁଁ ପ୍ରାୟ ଏକ ଲକ୍ଷ ପ୍ରଜାତି ବିଲୁପ୍ତ ହେବାର ଆଶଙ୍କା ରହିଛି । ପ୍ରକୃତି ବିରୋଧରେ ଚାଲିଥିବା ଏହି ଯୁଦ୍ଧକୁ ଯଥାଶୀଘ୍ର ଶେଷ କରିବାକୁ ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।
ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସର ଇତିହାସ: 1993 ମସିହାରେ ମିଳିତ ଜାତିସଂଘର ସାଧାରଣ ସଭାର ଦ୍ୱିତୀୟ କମିଟି ବୈଠକ ପରଠୁ ପ୍ରତିବର୍ଷ ମେ 22 ତାରିଖକୁ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି । ଜୈବ ବିବିଧତାର ଗୁରୁତ୍ବ ଏବଂ ଏହାର ସୁରକ୍ଷାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ଏହି ଦିବସକୁ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପ୍ରାୟ 3 ବିଲିୟନ ଲୋକଙ୍କୁ ମାଛ ଦ୍ବାରା 20 ପ୍ରତିଶତ ପ୍ରୋଟିନ ମିଳୁଥିବା ବେଳେ ଗଛ ଓ ସବୁଜିମା ଦ୍ବାରା 80 ପ୍ରତିଶତ ପ୍ରୋଟିନ ମିଳିଥାଏ । ସେହିପରି ବିକଶିତ ରାଷ୍ଟ୍ରର ଗ୍ରାମୀଣ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ପାରମ୍ପରିକ ବୃକ୍ଷ ଔଷଧୀ ଏବେ ବି ସାଧାରଣ ସ୍ବାସ୍ଥ୍ୟସେବାର ମାଧ୍ୟମ ।