ହାଇଦ୍ରାବାଦ:ମହାକାଶ ଗବେଷଣା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳତା ହାତେଇ ଚାଲିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ହେଲେ ବର୍ତ୍ତମାନ ସୁଦ୍ଧା ଭାରତର ନିଜର ଗୋଟିଏ ମଧ୍ୟ ସ୍ପେସ ଷ୍ଟେସନ ନାହିଁ । ତେବେ ଭାରତ କେବେ ନିଜସ୍ବ ସ୍ପେସ ସେଣ୍ଟର ନିର୍ମାଣ କରିବ ସେନେଇ ଗତକାଲି(ଶୁକ୍ରବାର) ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଅଧ୍ୟକ୍ଷ ଏସ ସୋମନାଥ ।
ଶୁକ୍ରବାର ଦିନ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ସୋମନାଥ କହିଛନ୍ତି, "ଆମେ ସ୍ପେସ ଷ୍ଟେସନ ତିଆରି କରିବା ପାଇଁ ଯୋଜନା କରିବୁ । ଆଗାମୀ 20ରୁ 25 ବର୍ଷ ମଧ୍ୟରେ ଭାରତ ନିଜର ସ୍ପେସ ସେଣ୍ଟର ତିଆରି କରିବ । ଭାରତର ଗଗନାନ ମିଶନ ହେଉଛି ମହାକାଶକୁ ମାନବବାହୀ ମହାକାଶଯାନ ପ୍ରେରଣ କରିବା । ଯଦି ଏହା ସଫଳ ହୁଏ ତେବେ ଭାରତ ମହାକାଶରେ ଏକ ସ୍ପେସ ଷ୍ଟେସନ ନିର୍ମାଣ କରିବାରେ ସକ୍ଷମ ହେବ । 2021 ମସିହାରେ ଗଗନଯାନ ମିଶନ ଲଞ୍ଚ କରିବାର ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ କୋଭିଡ ମହାମାରୀ ହେତୁ ଏହା ସମ୍ଭବ ହୋଇପାରି ନଥିଲା ।"
କେମିତି ହେବ ଭାରତର ସ୍ପେସ ଷ୍ଟେସନ: ଗଗନଯାନ ପରେ ଇସ୍ରୋର ପରବର୍ତ୍ତୀ ପଦକ୍ଷେପ ସ୍ପେସ ସେଣ୍ଟର ହେବ ବୋଲି ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି । ଏହାପରେ ଭାରତର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଚନ୍ଦ୍ରକୁ ଏକ ମାନବ ମିଶନ ପଠାଇବା । ସ୍ପେସ ଷ୍ଟେସନ ନେଇ ଆମ ପାଖରେ ଏକ ସ୍ପଷ୍ଟ ଯୋଜନା ରହିଛି । ଏହି ଯୋଜନା ମୁତାବକ ସ୍ପେସ ସେଣ୍ଟର ହେବ ଏବଂ ଏହା ସ୍ବତନ୍ତ୍ର ଭାବେ କାର୍ଯ୍ୟ କରିବ । କିନ୍ତୁ ଏହା ଅନ୍ତରାଷ୍ଟ୍ରୀୟ ସ୍ପେସ ସେଣ୍ଟର ଠାରୁ ଆକାରରେ ଛୋଟ ହେବ ହେବ ବୋଲି କହିଛନ୍ତି ସୋମନାଥ ।