ଲେଖକ- ଡଃ ସତ୍ୟନାରାୟଣମୂର୍ତ୍ତି ଡୋଗା
(ସହକାରୀ ପ୍ରଫେସର, ଅର୍ଥଶାସ୍ତ୍ର ବିଭାଗ, ରାଜସ୍ଥାନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ)
ହାଇଦ୍ରାବାଦ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆବର୍ଷ ୨୦୨୪ରୁ ସ୍ବାଧୀନତାର ୧୦୦ତମ ବର୍ଷ ୨୦୪୭ ସୁଦ୍ଧା ଭାରତକୁ ୩୦ ଟ୍ରିଲିୟନ ଡଲାର ଅର୍ଥନୀତି ସହିତ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିଲାଗି ଏକ ରୋଡମ୍ୟାପ ପ୍ରକାଶ ହେବାକୁ ଯାଉଛି । ଭାରତର ସର୍ବୋଚ୍ଚ ନୀତି କୁହାଯାଉଥିବା 'ନୀତି ଆୟୋଗ' ୨୦୪୭ ସୁଦ୍ଧା ଏହି ରୂପାନ୍ତର ହାସଲ କରିବା ପାଇଁ ଏକ ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଯାଉଛି । ତେବେ ଭାରତର ଉଚ୍ଚାଭିଳାଷୀ ଆଶାର ସଫଳତା ପାଇଁ ଅନେକ ଆହ୍ବାନ ରହିଛି । ଏଥିରେ ଯୁବବର୍ଗଙ୍କ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।
ଭାରତ ବର୍ତ୍ତମାନ ୩.୭ ଟ୍ରିଲିୟନ ଡଲାର ସହିତ ବିଶ୍ବର ପଞ୍ଚମ ବୃହତ୍ତମ ଅର୍ଥନୈତିକ ଦେଶ ରହିଛି । ଆସନ୍ତା ୨୦୩୦ ସୁଦ୍ଧା ଭାରତ ଜର୍ମାନୀ ଏବଂ ଜାପାନକୁ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି । ନୀତି ଆୟୋଗ ଆକଳନ କରିଛନ୍ତି ଯେ ବାର୍ଷିକ ହାରାହାରି ଅର୍ଥନୈତିକ ଅଭିବୃଦ୍ଧି ୨୦୩୦-୪୦ ମଧ୍ୟରେ ୯.୨ ପ୍ରତିଶତ, ୨୦୪୦-୪୭ ମଧ୍ୟରେ ୮.୮ ପ୍ରତିଶତ ଏବଂ ୨୦୩୦ରୁ ୨୦୪୭ ମଧ୍ୟରେ ୯ ପ୍ରତିଶତ ହେବ । ତଥାପି ଦାରିଦ୍ର୍ୟ, ବେକାରୀ, ସ୍ବାସ୍ଥ୍ୟସେବା, ଗୁଣାତ୍ମକ ଶିକ୍ଷା ଅଭାବ, ପର୍ଯ୍ୟାପ୍ତ ଭିତ୍ତିଭୂମି, ବେସରକାରୀ ଋଣ ଏବଂ ଆୟ ଅସମାନତା ଭଳି ବ୍ୟାପକ ପ୍ରସଙ୍ଗରେ ମୁକାବିଲା କରୁଥିବା ଦେଶ ପାଇଁ ଭିଜନ ୨୦୪୭ ସମ୍ପର୍କରେ ଚିନ୍ତା କରିବା ଏକ ଗୁରୁତ୍ବପୂର୍ଣ୍ଣ ଆହ୍ବାନ ।
ଭାରତର ଉଚ୍ଚାଭିଳାଷୀ ଆଶାର ସଫଳତା ପାଇଁ ଏହି ଆହ୍ବାନ ଗୁଡିକର ସମାଧାନ ଏକାନ୍ତ ଆବଶ୍ୟକ । ଏହା ମନେ ରଖିବା ଜରୁରୀ ଯେ କୌଣସି ସ୍ବଳ୍ପ ଆୟରୁ ଉଚ୍ଚ ଆୟକୁ ଏକ ଅର୍ଥନୀତିକୁ ପରିବର୍ତ୍ତନ କରିବାକୁ ହେଲେ ମଧ୍ୟବିତ୍ତ ଜାଲରେ ପଡ଼ିବାର ଆଶଙ୍କା ରହିଥାଏ । ଯେପରି ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଭଳି ରାଷ୍ଟ୍ର ସ୍ବଳ୍ପ ଆୟରୁ ଉଚ୍ଚ ଆୟକୁ ସ୍ଥାନାନ୍ତରିତ ହେବା ଲାଗି ଉଦ୍ୟମ କରିବା ପରେ ଏବେ ମଧ୍ୟମ ଆୟ ପର୍ଯ୍ୟନ୍ତ ସୀମିତ ରହିପାରିଛି । ଏଥିରୁ ଆମକୁ ସତର୍କ ହେବାକୁ ପଡ଼ିବ ଯେ ଯେପରି ଆମର ଅର୍ଥନୀତି ମଧ୍ୟମ ଆୟ ପର୍ଯ୍ୟନ୍ତ ସୀମିତ ନ ରହୁ ।
ଯୁବପିଢିଙ୍କ ଭୂମିକା:-୩୦ ବର୍ଷରୁ କମ ବୟସର ୬୫% ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଭାରତର ଯୁବପିଢି ଡ୍ରିମ୍ ଇଣ୍ଡିଆ@ 2047ର ହାସଲ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଗୁଣାତ୍ମକ ଶିକ୍ଷା, ଡିଜିଟାଲ ପ୍ରବାହ ଏବଂ ନୂତନତା ସହିତ ଯୁବପିଢିମାନେ ସାମାଜିକ ପରିବର୍ତ୍ତନ ଆଣିପାରନ୍ତି । ଡିଜିଟାଲ ଯୁଗରେ ଯୁବପିଢିଙ୍କ ଟେକ୍ନୋଲୋଜିରେ ଦକ୍ଷତା ସମାଜରେ ପରିବର୍ତ୍ତନ ଆଣିପାରେ । ସେମାନ ନିଜର ବିଚାରଧାରା, ମତକୁ ସମ୍ପ୍ରଦାୟ ନିକଟରେ ସହଜରେ ପହଞ୍ଚାଇପାରିଥାନ୍ତି । ଏନେଇ ପୂର୍ବତନ ଇନଫୋସିସ୍ ଚେୟାରମ୍ୟାନ ଏନ.ଆର ନାରାୟଣ ମୁର୍ତ୍ତୀ ଯୁବପିଢିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ।
ମୁର୍ତ୍ତୀ ଯୁବପିଢିଙ୍କୁ ଆସନ୍ତା ୨୦ରୁ ୫୦ ବର୍ଷ ପାଇଁ ଦିନକୁ ୧୨ ଘଣ୍ଟା କାମ କରିବାକୁ ଆହ୍ବାନ ଦେଇଥିଲେ । ସେ ଆଶା ପ୍ରକଟ କରିଛନ୍ତି ଯେ ଏଭଳି ନିରନ୍ତର ପ୍ରୟାସ ଭାରତକୁ ଆଗରେ ରଖିବ ଏବଂ ଏହାକୁ ବିଶ୍ବବ୍ୟାପୀ ଏକ ପ୍ରମୁଖ ଅର୍ଥନୀତି ଭାବରେ ସ୍ଥାନିତ କରିବ । ତଥାପି ଯୁବପିଢିଙ୍କ ସାମର୍ଥ୍ୟ, ଦକ୍ଷତାକୁ ହୃଦୟଙ୍ଗମ କରିବା ପାଇଁ ସରକାରୀ, ଶିକ୍ଷାନୁଷ୍ଠାନ, ବେସରକାରୀ ଉଦ୍ୟୋଗ ଏବଂ ନାଗରିକ ସମାଜର ମିଳିତ ପ୍ରୟାସ ଆବଶ୍ୟକ । ଦ୍ରୁତ ବିକାଶଶୀଳ ଦୁନିଆରେ ଯୁବପିଢିଙ୍କ ଉନ୍ନତି ପାଇଁ ଦକ୍ଷତା ବିକାଶ, ଧନ୍ଦାମୂଳକ ତାଲିମ ଏବଂ ଅନୁସନ୍ଧାନରେ ବିନିଯୋଗ ଆବଶ୍ୟକ ।
ମୂର୍ତ୍ତି କହିଛନ୍ତି, "ଯେତେବେଳେ ଆମେ ଆମର ସ୍ବାଧୀନତାର ୧୦୦ତମ ବାର୍ଷିକ ପାଳନ କରିବାକୁ ଯାଉଛନ୍ତି, ଯୁବକମାନଙ୍କୁ ପରିବର୍ତ୍ତନର ସ୍ବର ଭାବେ ଗ୍ରହଣ କରିବା ଉଚିତ । ଏଣୁ ଆସନ୍ତୁ ଏକଜୁଟ ହେବା, ଯୁବକମାନଙ୍କୁ ପ୍ରେରଣା ଦେବା ଏବଂ ଭବିଷ୍ୟତ ଆଡକୁ ବାଟ କାଢିବା । ଯେଉଁଠାରେ ଆମ ଦେଶ ଭାରତ ଆଶା ଏବଂ ପ୍ରଗତିର ଆଲୋକ ଭାବରେ ଉଜ୍ଜ୍ବଳିତ ହେବ ।" ଭାରତରେ ବିପୁଳ ଜନସଂଖ୍ୟା ରହିଥିଲେ ସୁଦ୍ଧା ଚୀନ ତୁଳନାରେ ଭାରତ ବହୁ ପଛରେ ରହିଛି । ଏବେ ବି ଦେଶ ନିରକ୍ଷରତା ଓ ଗରିବୀ ସହିତ ଲଢେଇ କରୁଛି । ବିଶ୍ବ ବ୍ୟାଙ୍କ କାରବାରରେ ଭାରତ ୬୩ତମ ସ୍ଥାନରେ ରହିଥିବା ବେଳେ ଚୀନ ୩୧ତମ ସ୍ଥାନରେ ରହିଛି । ଏଣୁ ଯୁବପିଢିଙ୍କୁ ଅସ୍ତ୍ର କରି ଆମେ ଆଗକୁ ବଢିବା ଦରକାର ।
ଆଗକୁ ବଢିବାର ରାସ୍ତା:-'ଭିଜନ ଇଣ୍ଡିଆ @2047' ଯୋଜନା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ପରିଣତ କରିବା ଲାଗି ହାତକୁ ନେଇଛନ୍ତି କେନ୍ଦ୍ର ସରକାର । ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଦି ଭାରତର ନିରନ୍ତର ବୃଦ୍ଧି ଲାଗି ମହତ୍ତ୍ବପୂର୍ଣ୍ଣ । ସରକାର ନିଜ ରାଜନୈତିକ ଗୋଟିଚାଳନା ବାଦ ଏହି ସମସ୍ତ ବ୍ଲୁପ୍ରିଣ୍ଟ ଉପରେ ପ୍ରତିବଦ୍ଧତାକୁ ବଜାୟ ରଖିବା ଉଚିତ । ନିରନ୍ତର ବିକାଶ ଦିଗରେ ମଧ୍ୟ ଧ୍ୟାନ ଦେବା ଉଚିତ ।
(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)